Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ମଙ୍ଗଳବାର ଶପଥ ନେବେ ଦୁଇ ବିଚାରପତି

ନୂଆଦିଲ୍ଲୀ: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ମଙ୍ଗଳବାର ଶପଥ ନେବେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା। ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ବିଚାରପତି ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଶନିବାର ପ୍ରକାଶ ପାଇଛି।

ସୁପ୍ରିମକୋର୍ଟ କଲେଜିୟମ୍ ଅଗଷ୍ଟ ୧୭ ତାରିଖରେ ଉଭୟଙ୍କ ନାମ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପାଇଁ ସୁପାରିସ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ସଞ୍ଜୟ କିଷାନ କଉଲ୍ ଓ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍ ଏହି ସୁପାରିସ କରିଥିଲେ।

ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଆଇନଜୀବୀ ପେସାରେ ରହିଛନ୍ତି। ଦେୱାନୀ ଓ ଫୌଜଦାରୀ ଓକିଲ ଭାବେ ୩୦ବର୍ଷରୁ ଅଧିକ ସମୟ ହେବ ତାଙ୍କର ଅଭିଜ୍ଞତା ରହିଛି। ସେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ରହିଛନ୍ତି। ସେହିପରି ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ଅଦାଲତରେ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୩ ଜାନୁୟାରୀ ୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କ ଦୁଇ ବରିଷ୍ଠ ସହଯୋଗୀଙ୍କ ପରାମର୍ଶ ପରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାମ ବିଚାରପତି ପାଇଁ ସୁପ୍ରିମକୋର୍ଟ କଲେଜିୟମକୁ ସୁପାରିସ କରିଥିଲେ। ଶ୍ରୀ ମିଶ୍ର ଓ ଶ୍ରୀ ବେହେରା ବିଚାରପତି ଭାବେ ଶପଥ ନେବା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ।

Show More

Related Articles

Back to top button