Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଡାଲି, ଚାଉଳ, ଦହି ଓ ଲସି ଉପରେ କାହିଁକି ଲାଗିଲା GST?

ଟ୍ୱିଟ୍‌ରେ ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ସରକାର ୧୮ ଜୁଲାଇ ସୋମବାର ସାରା ଦେଶରେ ଦୈନନ୍ଦିନ ଆବଶ୍ୟକତାରେ ଆସୁଥିବା ପ୍ୟାକେଟ୍ ଓ ଲେବୁଲ ଯୁକ୍ତ ଡାଲି, ଚାଉଳ, ଅଟା, ଦହି ଓ ଲସି ସମେତ ଅନେକ ସାମଗ୍ରୀକୁ ଜିଏସଟି ଅନ୍ତର୍ଗତ କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ ନିଶୁଳ୍କ ବିକ୍ରି ହେଉଥିବା ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଯାଇଛି। ଉଚ୍ଚ ମୁଦ୍ରାସ୍ପିତି ଯୋଗୁ ମହଙ୍ଗା ବୋଝ ମୁଣ୍ଡେଇଥିବା ଲୋକଙ୍କ ଲାଗି ସରକାରଙ୍କ ଜିଏସଟି ଛାଟ ଏବେ ବେଡି ଉପରେ କୋରଡା ହୋଇଛି। ତେବେ ଏହି ସବୁ ଉତ୍ପାଦ ଉପରେ ଜିଏସଟି କାହିଁକି ଲାଗୁ କରାଗଲା ସେ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍‌ କରି ସଫେଇ ଦେଇଛନ୍ତି। ଏଥିଲାଗି ସେ ୧୪ଟି ଟ୍ୱିଟ୍‌ କରିଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଏପରି ଅନେକ ସାମଗ୍ରୀର ସୂଚୀ ଦେଇଛନ୍ତି ଯେଉଁଗୁଡିକ ଜିଏସଟି ଅନ୍ତର୍ଗତ ନୁହେଁ। ଏହି ସବୁ ଖାଦ୍ୟ ପଦାର୍ଥ ଖୋଲାରେ ବିକ୍ରି ହେଉଥିବାରୁ ଏହା ଉପରେ ଗ୍ରାହକଙ୍କୁ କୌଣସି ପ୍ରକାର ଜିଏସଟି ଦେବାକୁ ପଡିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିରେ ଡାଲି, ଅଟା, ସୋରିସ, ଓଟସ୍, ମକା, ଚାଉଳ, ସୁଜି, ବେସନ, ମୁଢ଼ି, ଦହି ଓ ଲସି ଭଳି ଖାଦ୍ୟପଦାର୍ଥ ଖୋଲାରେ ବିକ୍ରି ହେଉଥିଲେ ଏହା ଜିଏସଟି ଅନ୍ତର୍ଗତ ନୁହେଁ ବୋଲି କହିଛନ୍ତି। ଟ୍ୱିଟ୍‌ରେ ଅର୍ଥମନ୍ତ୍ରୀ ଖାଦ୍ୟପଦାର୍ଥ ଉପରେ କର ଲାଗିବା କିଛି ନୂଆ କଥା ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ ଜିଏସଟି ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ରାଜ୍ୟମାନେ ଖାଦ୍ୟସାମଗ୍ରୀରୁ ଶୁଳ୍କ ଆକାରରେ ରାଜସ୍ୱର ଏକ ସିଂହ ଭାଗ ଅସୁଲ କରୁଥିଲେ।

ଯଦି କେବଳ ପଞ୍ଜାବକୁ ହିସାବରେ ନିଆଯାଏ ଖାଦ୍ୟ ସାମଗ୍ରୀରେ ରାଜ୍ୟ ସରକାର ୨ ହଜାର କୋଟିଟଙ୍କାରୁ ଅଧିକ ଶୁଳ୍କ ଅସୁଲ କରୁଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେହି ଅନୁସାରେ ଦେଖିଲେ ଉତ୍ତର ପ୍ରଦେଶ ଏ ବାବଦେ ୭୦୦ କୋଟି ଟଙ୍କା ଅସୁଲ କରନ୍ତି। ଏଣୁ ରାଜ୍ୟଙ୍କ ଦ୍ୱାରା ଅସୁଲ କରାଯାଉଥିବା କରକୁ ଧ୍ୟାନରେ ରଖି ପ୍ରଥମେ କେବଳ ବ୍ରାଣ୍ଡେଡ ଡାଲି, ଚାଉଳ ଓ ଅଟା ଉପରେ ୫ ପ୍ରତିଶତ କର ଲାଗୁ କରାଯାଇଥିଲା। ତେବେ ବ୍ୟବସ୍ଥାର ଦୂରୋପଯୋଗ ଦେଖିବାକୁ ମିଳିଲା ଓ ଏହି ବସ୍ତୁଗୁଡିକର ଜିଏସଟିରେ ହ୍ରାସ ଦେଖା ଗଲା। ଏଣୁ ଏଥିଲାଗି ଫିଟମେଣ୍ଟ କମିଟି ଗଠନ କରାଯାଇଥିବା ବେଳେ ସବୁ ପ୍ୟାକେଜଡ ଓ ଲେବୁଲ ଲଗା ଉତ୍ପାଦ ଉପରେ ସମାନ ଜିଏସଟି ଲାଗୁ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ତେବେ ଏହି ସବୁ ସାମଗ୍ରୀ ଉପରେ ଜିଏସଟି ଲାଗୁ ନିମନ୍ତେ ଜିଏସଟି କାଉନସିଲଙ୍କ ଗ୍ରୁପ ଅଫ ମିନିଷ୍ଟର ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ଉତ୍ତରପ୍ରଦେଶ, ଗୋଆ ଓ ବିଆହର ଆଦି ରାଜ୍ୟଙ୍କ ସଦସ୍ୟ ମଧ୍ୟ ରହିଛନ୍ତି। ତେବେ ଟ୍ୟାକ୍ସ ଲିକେଜ ରୋକିବା ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ବୋଲି ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପ୍ରସଙ୍ଗରେ ଗହନ ବିଚାରବିମର୍ଷ କରି ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହମତି ପରେ ଜିଏସଟି କାଉନସିଲ ଶୁଳ୍କ ଲାଗୁ ନିମନ୍ତେ ସୁପାରିଶ କରିଛନ୍ତି। ତାଙ୍କର କହିବା ଅର୍ଥ ହେଉଛି ଖାଦ୍ୟପଦାର୍ଥ ଉପରେ ଜିଏସଟି ଲାଗୁ ନିଷ୍ପତ୍ତି କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ ବରଂ ଜିଏସଟି କାଉନସିଲ ଏକ ପ୍ରକ୍ରିୟାରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ନିର୍ମଳା ସୀତାରମଣ ଉଲ୍ଲେଖ କରିଛନ୍ତି।

Show More

Related Articles

Back to top button