Breaking PLUSବାଣିଜ୍ୟ

ନଭେମ୍ବରରୁ ଓଟିପି ଦେଖାଇଲେ ମିଳିବ ଏଲ୍‌ପିଜି

ଆସନ୍ତା ନଭେମ୍ବରରୁ ଦେଶରେ ଏଲ୍‌ପିଜି ଡେଲିଭରି ନିୟମ ବଦଳିଯିବ

ଗ୍ୟାସ ବୁକିଂ ବେଳେ ମିଳିଥିବା ଓଟିପି ଦେଖାଇଲେ ଡେଲିଭରି ମ୍ୟାନ୍ ସଂପୃକ୍ତ ଗ୍ରାହକଙ୍କୁ ଏଲପିଜି ଭର୍ତ୍ତି ସିଲିଣ୍ଡର ହସ୍ତାନ୍ତର କରିବେ। ଗ୍ୟାସ୍‌ ଚୋରିକୁ ରୋକିବା ପାଇଁ ସରକାରୀ କମ୍ପାନି ଗୁଡ଼ିକ ଏହି ପଦକ୍ଷେପ ନେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ପହିଲାରୁ ଏହି ବ୍ୟବସ୍ଥା ଦେଶର ୧୦୦ଟି ସ୍ମାର୍ଟ ସିଟିରେ କାର୍ଯ୍ୟକାରୀ ହେବ। ଫଳରେ ଭୁବନେଶ୍ବର ଏବଂ ରାଉରକେଲାରେ ଏହି ଯୋଜନା ଲାଗୁହେବ। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ରାଜସ୍ଥାନର ଜୟପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ୧୦୦ଟି ସ୍ମାର୍ଟସିଟିରେ ଉକ୍ତ ଯୋଜନାର ଅଗ୍ରଗତି ଏବଂ ସଫଳତା ଆଧାରରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରାଯିବ।ସରକାରୀ ତୈଳ କମ୍ପାନି ଗୁଡ଼ିକ ପକ୍ଷରୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ଏହି ଯୋଜନାର ନାମ ଡେଲିଭରି ଅଥେଣ୍ଟିକେସନ୍ କୋଡ୍‌ (ଡିଏସି) ରଖାଯାଇଛି। ନୂଆ ବ୍ୟବସ୍ଥାରେ ଜଣେ ଗ୍ରାହକ ଏଲ୍‌ପିଜି ବୁକ୍ କରିବା ସମୟରେ ତାଙ୍କ ମୋବାଇଲ ଫୋନକୁ ଓଟିପି ପଠାଯିବ। ଡେଲିଭରି ପର୍ସନ ଘରେ ଏଲ୍‌ପିଜି ପ୍ରଦାନ କରିବା ସମୟରେ ଗ୍ରାହକଙ୍କୁ ସେହି ଓଟିପିକୁ ଦେଖାଇବାକୁ ହେବ।

ଗ୍ରାହକଙ୍କ ମୋବାଇଲ ନମ୍ବର ଅପଡେଟ୍ ହୋଇ ନଥିଲେ ଏକ ଆପ୍ ମାଧ୍ୟମରେ ଡେଲିଭରି ପର୍ସନ ଏହାକୁ ଅପଡେଟ୍ କରି କୋଡ୍ ‌ଜେନେରେଟ୍ କରିବ। ଯେଉଁ ଗ୍ରାହକଙ୍କ ଠିକଣା ଓ ମୋବାଇଲ ନମ୍ବର ଭୁଲ ରହିଛି ସେମାନେ ଗ୍ୟାସ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ। ଏପରିକି ସେମାନଙ୍କ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯାଇପାରେ। ତେବେ ଏହି ଯୋଜନା ବାଣିଜ୍ୟିକ ସିଲିଣ୍ଡର ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଓଡ଼ିଶାରେ ଦୁଇଟି ସ୍ମାର୍ଟ ସିଟି ଯଥା ଭୁବନେଶ୍ବର ଏବଂ ରାଉରକେଲାରେ ୩ଟି ଯାକ ତେଲ କମ୍ପାନିର ପାଖାପାଖି ୪୫ ଜଣ ବିତରକ ରହିଛନ୍ତି। ଭୁବନେଶ୍ବରରେ ପ୍ରାୟ ୩୪ ଜଣ ଏବଂ ରାଉରକେଲାରେ ୧୧ ଜଣ ବିତରକ ଅଛନ୍ତି। ସେମାନେ ପ୍ରାୟ ୫ ଲକ୍ଷ ୫୫ ହଜାର ଏଲ୍‌ପିଜି ଗ୍ରାହକଙ୍କୁ ଗ୍ୟାସ ଯୋଗାଇ ଦେଉଛନ୍ତି। ଦୁଇଟି ଯାକ ସହରରେ ଆଇଓସିଏଲର ୧ ଲକ୍ଷ ୮୦ ହଜାର, ଏଚପିସିଏଲର ୨ ଲକ୍ଷ ୨୫ ହଜାର ଏବଂ ବିପିସିଏଲର ୧ ଲକ୍ଷ ୬୦ ହଜାର ଗ୍ରାହକ ଅଛନ୍ତି ବୋଲି ତୈଳ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କୁ ଗ୍ୟାସ ପାଇବା ପାଇଁ ଓଟିପିର ଆବଶ୍ୟକତା ରହିଛି। ତେବେ ଏହି ଯୋଜନାର ସଫଳତାରେ କେତେକ ପ୍ରତିବନ୍ଧକ ରହିଛି। ସେଥିରୁ ଗୋଟିଏ ହେ‌ଲା ଡେଲିଭରି ପର୍ସନ ଘରେ ପହଞ୍ଚିବା ସମୟରେ ‌ଓଟିପି ଯାଇଥିବା ମୋବାଇଲ ନମ୍ବର ବ୍ୟବହାର କରୁଥିବା ବ୍ୟକ୍ତି ଘରେ ଥିବା ଆବଶ୍ୟକ। ନଚେତ୍ ଡେଲିଭରି ଦେବାରେ ବିଳମ୍ବ ହେବ। ସେହିଭଳି ଡେଲିଭରି ପର୍ସନ ନିକଟରେ ମଧ୍ୟ ଏଥିପାଇଁ ସ୍ମାର୍ଟଫୋନ୍ ଥିବା ଦରକାର। କିନ୍ତୁ ଏପର୍ଯ୍ୟନ୍ତ ସବୁ ଡେଲିଭରି ପର୍ସନଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ। ତେଣୁ ଏସବୁ ପ୍ରତିବନ୍ଧକକୁ ଦୂର କରାଗଲେ ଉକ୍ତ ଯୋଜନାକୁ ସଫଳତା ମିଳିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button