ଓଡ଼ିଶାମୁଖ୍ୟ ଖବର

ଶୁଖିଲା ପଡିଛି ୨୦ ଜିଲ୍ଲା : ଲଘୁଚାପ ହିଁ ଭରସା

କ୍ଷେତ ଫାଟି ଆଁ କରିଛି । ହଜାର ହଜାର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଯେଉଁଠି ଧାନ ତଳି ପଡ଼ିଥିଲା, ସେଗୁଡ଼ିକ ଶୁଖିଗଲାଣି । ଅଧିକାଂଶ ପାଣି ଅଭାବରୁ ପୋଡ଼ିଗଲାଣି । ରୁଆ, ବେଉଷଣ ପାଇଁ ଚାଷୀ ଆକାଶକୁ ଅନେଇଛି । ବର୍ଷା ଅପେକ୍ଷାରେ ଅନେକ ଏବେ ବି ତଳି ପକାଇ ପାରୁନାହାନ୍ତି ।

ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ବର୍ଷା ଅଭାବରୁ ଚାଷ ଶୁଖିଗଲାଣି । ଗଜା ମରୁଡ଼ି ଆଶଙ୍କା ଘାରିଲାଣି ଚାଷୀଙ୍କୁ ।ଆଗକୁ ଦୁଇଟି ଲଘୁଚାପ ଆସିବା ନେଇ ପୂର୍ବାନୁମାନ କରାଯାଉଛି । ତଥାପି ବର୍ଷା ଅଭାବରୁ ଚାଷରେ ଯେତିକି କ୍ଷତି ହେଲାଣି, ସମ୍ଭାବ୍ୟ ଲଘୁଚାପ ବର୍ଷାରେ ତାହା ଭରଣା ହେବା ସମ୍ଭାବନା କମ୍‌ । ବର୍ଷା ଅଭାବରୁ ଚାଷୀ ଚିନ୍ତାରେ ଥିବାବେଳେ ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଲେଣି । ସ୍ଥିତି ସମୀକ୍ଷା ପାଇଁ ମଙ୍ଗଳବାର କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ଜରୁରୀକାଳୀନ ବୈଠକ ଡାକିଛନ୍ତି । ବୈଠକରେ ବର୍ଷା ଅଭାବଜନିତ ଚାଷ ସମସ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା ହେବ ।ସ୍ଥିତି ସାଂଘାତିକ । ଜୁନ୍‌ ପହିଲାରୁ ଏଯାବତ୍‌ ବର୍ଷାର ହିସାବରୁ ଜଣାପଡ଼ିଛି, ରାଜ୍ୟର ୨୦ ଜିଲ୍ଲାରେ ବର୍ଷା ସଙ୍କଟ ରହିଛି । ଭଦ୍ରକ ସ୍ଥିତି ସବୁଠୁ ସଙ୍ଗୀନ । ଯେତିକି ବର୍ଷା ହେବା କଥା, ତା’ଠାରୁ ୬୦% କମ୍‌ ବର୍ଷା ହୋଇଛି ଭଦ୍ରକରେ ।ଯାଜପୁରରେ ୫୩%, କେନ୍ଦୁଝରରେ ୪୪%, ବଲାଙ୍ଗିରରେ ୪୪%, ଗଜପତିରେ ୪୧%, ଝାରସୁଗୁଡ଼ାରେ ୩୯%, ବୌଦ୍ଧରେ ୩୯%, ସମ୍ବଲପୁରରେ ୩୮%, ଦେବଗଡ଼ରେ ୩୮%, ରାୟଗଡ଼ାରେ ୩୬%, କଳାହାଣ୍ଡିରେ ୩୫%, ଅନୁଗୁଳରେ ୩୫% ବର୍ଷା ନିଅଣ୍ଟିଆ ରହିଛି । ଏହାବାଦ୍‌ ନବରଙ୍ଗପୁର, କନ୍ଧମାଳ, ସୋନପୁର, ବରଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ୱାଭାବିକଠାରୁ କମ୍‌ ରହିଛି ବର୍ଷା । ଖୋର୍ଦ୍ଧା ଜିଲ୍ଲାରେ ବି ବର୍ଷା ପରିମାଣ ସ୍ୱାଭାବିକଠାରୁ ୧୯% କମ୍‌ ଅଛି ଗତ ୭ ଦିନର ବର୍ଷା ରେକର୍ଡ ଦେଖିଲେ, ଅବସ୍ଥା ଆହୁରି ସଙ୍ଗୀନ ହୋଇଥିବା ଜଳଜଳ ହୋଇ ଦିଶୁଛି । ଏଇ ସପ୍ତାହରେ କନ୍ଧମାଳକୁ ଛାଡ଼ି ଦେଲେ ସବୁ ଜିଲ୍ଲାରେ ବର୍ଷାର ଘୋର ଅଭାବ ରହିଛି ।

ଅଧା ଓଡ଼ିଶାରେ ଏଇ ସପ୍ତାହରେ ସ୍ୱାଭାବିକଠାରୁ ୬୦%ରୁ ୯୧% ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି । ଏହି ୭ ଦିନ ଭିତରେ ଯେତିକି ବର୍ଷା ହେବା କଥା, ଝାରସୁଗୁଡ଼ାରେ ତା’ଠାରୁ ୯୧% କମ୍‌ ବର୍ଷା ହୋଇଛି । ସ୍ୱାଭାବିକ ତୁଳନାରେ ସୋନପୁରରେ ୮୮%, ଦେବଗଡ଼ରେ ୮୩%, କଳାହାଣ୍ଡିରେ ୭୫%, ଯାଜପୁରରେ ୭୭%, ବଲାଙ୍ଗିରରେ ୭୪%, ନବରଙ୍ଗପୁରରେ ୭୧%, ବୌଦ୍ଧରେ ୭୩%, ଜଗତସିଂହପୁରରେ ୭୦%, ବରଗଡ଼ରେ ୭୩%, ଭଦ୍ରକରେ ୬୧%, ରାୟଗଡ଼ାରେ ୬୮%, ନୂଆପଡ଼ାରେ ୬୫%, ସମ୍ବଲପୁରରେ ୬୭% ଓ ବାଲେଶ୍ୱରରେ ୬୫% ବର୍ଷା ଅଭାବ ରହିଛି ।ଏଥିରୁ ସ୍ଥିତି କିଭଳି ହୋଇଥିବ, ଅନୁମାନ କରାଯାଇପାରେ । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼, କଳାହାଣ୍ଡି ଭଳି ଜିଲ୍ଲାରେ ଚାଷ ଜମି ଫାଟି ଆଁ କରିଛି । ଯେଉଁଠି ସର୍ବାଧିକ ଧାନ ଉତ୍ପାଦନ ହୁଏ, ସେ ଜିଲ୍ଲାରେ ବର୍ଷା ଅଭାବରୁ ଧାନ ତଳି ଶୁଖି ମରିବାକୁ ବସିଲାଣି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଏଥର ମୌସୁମୀ ଠିକ୍‌ ସମୟରେ ଆସିଥିଲା । ବର୍ଷା ଦେଖି ବହୁ ଚାଷୀ ଜୁନ୍‌ ୧୫/୧୬ ତାରିଖବେଳକୁ ଧାନ ତଳି ପକାଇଦେଲେ । ହେଲେ ତା’ପରଠୁ ବର୍ଷା ଗାଏବ୍‌ । ୨ ସପ୍ତାହରୁ ୩ ସପ୍ତାହ ଭିତରେ ତଳି ରୁଆ ହେବା କଥା । ବେଉଷଣ ବି ୩ ସପ୍ତାହରେ କରାଯାଏ । ହେଲେ ୪ ସପ୍ତାହ ବିତିଗଲାଣି, ତଳି ରୁଆ ଓ ବେଉଷଣ କାମ ଆଗେଇ ପାରୁନି । ଏମିତିରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ହେବା ପରେ ତଳି ରୁଆ ଓ ବେଉଷଣ ହେଲାବେଳକୁ ୫ ସପ୍ତାହ ହୋଇଯିବ । ତେଣୁ ଏଇ ବୁଢା ତଳି ରୁଆବେଳେ ଅଧିକ ବୁଦା (ଅଧିକ ସଂଖ୍ୟାରେ ଧାନ ତଳି) ଲଗାଇବାକୁ ହେବ । ଚାଷ ଆଗେଇବାକୁ ତଳି ଆବଶ୍ୟକତାବଢ଼ିପାରେ ।ଅଣ ଧାନ ଫସଲ ଅବସ୍ଥା ବି ସାଂଘାତିକ । ହରଡ଼, ମୁଗ, ବିରି, କପା ଫସଲ ଏଥର ବର୍ଷା ଅଭାବରୁ ଆଗେଇପାରିନି । ବର୍ଷାକୁ ଅପେକ୍ଷା କରି କରି କପା ଫସଲ ସମୟ ପଳାଇଲା । ଏଥିରେ ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିରର ହଜାର ହଜାର କପା ଚାଷୀ ପ୍ରଭାବିତ ହେବେ । ହରଡ଼ ଚାଷ ଉପରେ ନିର୍ଭରଶୀଳ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଚାଷୀ ବି ଆକାଶକୁ ଅନେଇଛନ୍ତି । ଯଦି ଆଗାମୀ ବର୍ଷାରେ ହରଡ଼ ଚାଷ ଆଗେଇବେ, ତେବେ ସ୍ୱଳ୍ପ ଅବଧି ଚାଷ କରିବାକୁ ହେବ ।ଡକ୍ଟର ପଶୁପାଳକଙ୍କ ଆକଳନ ହେଲା, ଆସନ୍ତା ସପ୍ତାହକ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏଥିରେ କୃଷି କାମ ଆଗେଇବା ସମ୍ଭାବନା ଅଛି ।ପ୍ରଥମ ଲଘୁଚାପଟି ଆସନ୍ତା ୨୧ରେ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହା ଅବପାତ ରୂପ ନେଇପାରେ । ୨୩ରେ ସମ୍ଭବତଃ ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗକୁ ଯିବ। ଏହା ପ୍ରଭାବରେ ୨୦ରେ ଭଦ୍ରକ, ଯାଜପୁର, ବାଲେଶ୍ୱରରେ ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ବର୍ଷା କରାଇବ । ୨୧ରେ ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ସମଗ୍ର ଉପକୂଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ୨୨ରେ ସାରା ରାଜ୍ୟରେ ବର୍ଷା ହେବ । ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଦକ୍ଷିଣର ଅନେକ ଜାଗାରେ ଭାରି ଓ ଗୋଟିଏ ଗୋଟିଏ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । ଖୋର୍ଦ୍ଧା, ପୁରୀ, କଟକରେ ପ୍ରବଳ ବର୍ଷା ହୋଇପାରେ । ବାକି ଉପକୂଳ ଅଞ୍ଚଳରେ ମଧ୍ୟମ ବର୍ଷା ହେବ । ୨୩ରେ ସମସ୍ତ ଉପକୂଳ ଓ ସୀମାନ୍ତ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମରୁ ଭାରି ବର୍ଷା ସମ୍ଭାବନା ଅଛି । ଏହି ଲଘୁଚାପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ହୋଇପାରେ । ପରବର୍ତ୍ତୀ ଲଘୁଚାପଟି ୨୬ ତାରିଖବେଳକୁ ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ସୃଷ୍ଟି ହେବା ସମ୍ଭାବନା ଅଛି । ଏଥିରେ ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ ଭଲ ବର୍ଷା ହୋଇପାରେ ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮% କମ୍‌ ବର୍ଷା ହୋଇଛି । ଡକ୍ଟର ପଶୁପାଳକଙ୍କ ଆକଳନ ଅନୁଯାୟୀ ଯଦିଓ ସମ୍ଭାବ୍ୟ ଦୁଇଟି ଲଘୁଚାପ ଯୋଗୁ ବର୍ଷା ବଢ଼ିବ, ତଥାପି ଜୁଲାଇରେ ମୋଟ ବର୍ଷା ପରିମାଣ ନିଅଣ୍ଟିଆ ରହିପାରେ । ଦୁଇଟି ଲଘୁଚାପ ବର୍ଷାରେ ଚାଷ କାମ ଆଗେଇବ ସତ, ହେଲେ ସ୍ଥିତି ପୂରା ସୁଧୁରିବା ସମ୍ଭାବନା କମ୍‌ । ବର୍ତ୍ତମାନ ସୁଦ୍ଧା ଚାଷ କାର୍ଯ୍ୟ ଯେତିକି କ୍ଷତିଗ୍ରସ୍ତ ହେଲାଣି, ଏଥର ଫସଲ ଉତ୍ପାଦନ ୧୦% କମିପାରେ । ବର୍ତ୍ତମାନ ବର୍ଷା ପରେ ଯେଉଁ ଚାଷୀ ଚାଷ କାମ ଆଗେଇବେ, ସେମାନଙ୍କୁ ମଧ୍ୟମ ଅବଧି ଓ ସ୍ୱଳ୍ପ ଅବଧି ଫସଲ କରିବାକୁ ପଡ଼ିବ । କାରଣ ଆଗରୁ ଯେଉଁମାନେ ତଳି ପକାଇଥିଲେ, ତାହା ଦୀର୍ଘ ଅବଧି (୧୫୦ ଦିନିଆରୁ ଅଧିକ) ଥିଲା । ତାହା ବର୍ଷା ଅଭାବରୁ କ୍ଷତିଗ୍ରସ୍ତ ହେଲା । ଏବେ ହାତରେ ସମୟ କମ । ତେଣୁ ମଧ୍ୟମ ଓ ସ୍ୱଳ୍ପ ଅବଧି ଫସଲ ସହ ଆବଶ୍ୟକତା ଅନୁଯାୟୀ ସାର ପ୍ରୟୋଗ ନ କଲେ, ଅମଳ ଆହୁରି ପ୍ରଭାବିତ ହୋଇପାରେ ।କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି, ଆଗକୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଶା ଭଲ ବର୍ଷା ହେଲେ ସ୍ଥିତି ସୁଧୁରିବ । ବର୍ତ୍ତମାନର କୃଷି ସ୍ଥିତି ନେଇ ମଙ୍ଗଳବାର ଏକ ସମୀକ୍ଷା ବୈଠକ ଡକାଯାଯାଇଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button