ଓଡ଼ିଶାମୁଖ୍ୟ ଖବର

ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ

ମିଆଁମାରର ୟାଙ୍ଗନ ସହରର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସନ୍ଧ୍ୟାବେଳକୁ ଉତ୍ତର ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଅନୁମାନ କରାଯାଉଛି, ଏହା ୨୬ ତାରିଖବେଳକୁ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ହେଲେ ଏହା ପ୍ରକୋପରେ ୨୫ ରାତିରୁ ବର୍ଷା ଆରମ୍ଭ ହୋଇଯିବ ଓଡ଼ିଶାରେ । ରାଜ୍ୟରେ ପ୍ରବଳ ବର୍ଷା କରାଇବ ଏହି ସମ୍ଭାବ୍ୟ ଲଘୁଚାପ ।

ବର୍ତ୍ତମାନ ଛତିଶଗଡ଼ ଉପରେ ଏକ ଲଘୁଚାପ ରହିଛି । ଏହା ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ବି ବର୍ଷା ବଢ଼ିଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପ ୨୬ ତାରିଖ (ଶନିବାର) ରାତିରେ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ରହିବ । ୨୭ ତାରିଖରେ ଉତ୍ତର ଭାରତରେ ଥିବା ଲଘୁଚାପ ବଳୟ ସହିତ ଏହା ମିଶିଯିବ । ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହୋଇଯିବା ସମ୍ଭାବନା ଅଛି । ଉପକୂଳରେ ପହଞ୍ଚିଲାବେଳକୁ ଏହା ଦୁର୍ବଳ ହୋଇଯାଇଥିବ । ଆକଳନ କରାଯାଉଛି, ଦକ୍ଷିଣ ଓଡ଼ିଶାରେ ୨୫ ତାରିଖ ରାତିରୁ ଓ ଉପକୂଳ ଓଡ଼ିଶାରେ ୨୬ ତାରିଖ ରାତିରୁ ବର୍ଷା ଆରମ୍ଭ ହେବ । ୨୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରକୋପ ରହିବ । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା କମ୍‌ ହେବ ଏବଂ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଜଗତସିଂହପୁର ଜିଲ୍ଲାର ଦକ୍ଷିଣରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ଧରଣର ଓ କେତେକ ଜିଲ୍ଲାରେ ଭାରି (୫୦ ମିମି ପର୍ଯ୍ୟନ୍ତ) ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହେବ । ରାଜ୍ୟରେ ବିସ୍ତୃତ ଭାରି ବର୍ଷାର ସମ୍ଭାବନା କମ୍‌ । ଆଉ ଏକ ଆକଳନ ହେଲା, ସମ୍ଭାବ୍ୟ ଲଘୁଚାପ ଆନ୍ଧ୍ର ଉପକୂଳରେ ୨୭ ଓ ୨୮ ତାରିଖ ରହିପାରେ । ଯଦି ଏଭଳି ହୁଏ, ଓଡ଼ିଶାରେ ବର୍ଷା ବହୁତ କମ୍‌ ରହିବ ।

ପାଣିପାଗ ବିଭାଗ କହିଛି, ଶୁକ୍ରବାର ବିଶେଷ ବର୍ଷା ହେବନି । କାଁ ଭାଁ ବର୍ଷା ହେବ । ୨୫ରୁ ବର୍ଷା ବଢ଼ିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣରେ ମୁଖ୍ୟତଃ ବର୍ଷା ହେବ । ଯାଜପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୬ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଥିବାବେଳେ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ, କଟକ, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୨୭ରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । କେକେତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Show More

Related Articles

Back to top button