Breaking PLUSମୁଖ୍ୟ ଖବର

ଟ୍ରେନ ଯାତ୍ରୀଙ୍କ ପାଇଁ ନୂଆ ନିୟମ

ଭାରତୀୟ ଟ୍ରେନ ଯାତ୍ରୀ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ନିଜ ସହ ନେଇପାରିବେନି କୌଣସି ବି ପ୍ରକାରର ଜ୍ୱଳନଶୀଳ ପଦାର୍ଥ । ଏବେ ଏଥିରେ ବାଣ ମଧ୍ୟ ସାମିଲ ହୋଇଛି । ଯଦି ଆପଣ ଏହାକୁ ନେଇ ଯାଉଥିବା ବେଳେ ଟ୍ରେନ୍‌ରେ ଧରା ପଡ଼ୁଛନ୍ତି, ତା’ ହେଲେ ଆପଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଏନେଇ ରେଲଓ୍ଵେ ମନ୍ତ୍ରାଳୟ ଏକ ଟ୍ଵିଟ୍‌ କରି ସୂଚନା ଦେବା ସହିତ ଏକ ପ୍ରତୀକାତ୍ମକ ଲୋଗୋ ବ୍ୟବହାର କରି ଲୋକଙ୍କୁ ସଚେତନ କରିଛି । କହି ରଖୁଛୁ, ରେଲେଓ୍ଵ ଆକ୍ଟ ୧୯୮୯ର ଧାରା ୬୭ ମୁତାବକ, ଟ୍ରେନ୍‌ରେ କୌଣସି ବିପଦପୂର୍ଣ୍ଣ ଏବଂ ଅପ୍ରିୟ ଜିନିଷ ସାଙ୍ଗରେ ଧରି ଯାତ୍ରା କରିବା ମନା । ଏହି ଜିନିଷଗୁଡ଼ିକ ରେଲେଓ୍ଵ ଆକ୍ଟ ୧୯୮୯ର ଧାରା ୧୬୪ ଏବଂ ଧାରା ୧୬୫ ଅନୁସାରେ ଦଣ୍ଡନୀୟ ଅପରାଧ ହୋଇଥାଏ ।

ରେଲଓ୍ଵେ ସ୍ପଷ୍ଟ ମନା କରି ଦେଇଛି କି, ଲୋକେ ଜ୍ୱଳନଶୀଳ ପଦାର୍ଥ ଏବଂ ବାଣ ଆଦି ଧରି ଟ୍ରେନ୍‌ରେ ଯାତ୍ରା ନ କରିବାକୁ । ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଯାଇ ରେଲଓ୍ଵେ ଏହା ମଧ୍ୟ କହିଛି କି, ବାଣ ବ୍ୟତୀତ ଗ୍ୟାସ୍‌ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ, କିରୋସିନ, ଶୁଖିଲା ପତ୍ର ବା ଘାସ, ଥର୍ମିକ୍‌ ୱେଲଣ୍ଡିଂ, ସିଗାରେଟ୍‌, ଷ୍ଟୋଭ୍‌ ଆଦି ନେଇ ଯାତ୍ରା କରିବା ମଧ୍ୟ କଡ଼ାକଡ଼ି ମନା । ଅର୍ଥାତ୍‌ ଆପଣ ଏ ସବୁ ଜିନିଷକୁ ସାଙ୍ଗରେ ଧରି ଟ୍ରେନ୍‌ରେ ଅନ୍ୟ ଯାତ୍ରୀମାନଙ୍କ ସହିତ ଯାତ୍ରା କରି ପାରିବେ ନାହିଁ ।

ସେପଟେ ଏ ସବୁ ଜିନିଷ ସହିତ ଯଦି କେହି ଟ୍ରେନ୍‌ରେ ଧରାପଡ଼ି ଯାଆନ୍ତି, ତେବେ ତାଙ୍କୁ ରେଲଓ୍ଵେ ଆକ୍ଟର ଧାରା ୧୬୪ ଅଧୀନରେ ୩ ବର୍ଷର ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ । ନଚେତ୍‌ ୧୦୦୦ ଟଙ୍କାର ଜରିମାନା କିମ୍ବା ଦୁଇଟି ଯାକକୁ ସାମ୍ନା କରିବାକୁ ପଡ଼ିପାରେ, ଯେତେବେଳେ କି, ଧାରା ୧୬୫ ଅଧୀନରେ ଦଣ୍ଡ ସ୍ୱରୂପ ୫୦୦ ଟଙ୍କାର ଜରିମାନା ଭରିବାକୁ ପଡ଼ିଥାଏ । ଏଥି ସହିତ ରେଲଓ୍ଵେ କିଛି ସିକ୍ୟୁରିଟି ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି । ଯଦି କେହି ଟ୍ରେନ୍‌ ଯାତ୍ରାରେ କୌଣସି ବ୍ୟକ୍ତିଙ୍କୁ ବାଣ କିମ୍ବା ଏହିପରି ଅନ୍ୟ କୌଣସି ଜିନିଷ ସହିତ ଦେଖେ, ତା’ ହେଲେ ସେ ଏ ବିଷୟରେ ତୁରନ୍ତ ରେଲଓ୍ଵେକୁ କଲ୍‌ କରି ସୂଚନା ଦେଇ ପାରିବେ ଏବଂ ସମ୍ଭାବିତ ଦୁର୍ଘଟଣାକୁ ଟାଳି ପାରିବେ । ଅଭିଯୋଗକାରୀ ରେଲଓ୍ଵେର ୩ଟି ନମ୍ବର ୦୧୧-୨୩୩୦୩୯୮୨, ୦୧୧-୨୩୩୦୩୯୮୩ ଏବଂ ୦୧୧-୨୩୩୦୩୭୪୮ କୁ କଲ୍‌ କରି ସୂଚନା ଦେଇପାରିବେ ।

Show More

Related Articles

Back to top button