
ଆସନ୍ତା ୧ ଫେବୃଆରୀରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ), ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି), ବ୍ୟାଙ୍କ ଅଫ୍ ବରୋଦା (ବିଓବି) ବ୍ୟାଙ୍କର କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟଙ୍କ ଅଫ୍ ବରୋଦାର ଗ୍ରାହକଙ୍କ ପାଇଁ ଚେକ୍ରେ ପେମେଣ୍ଟ୍ କରିବା ସମ୍ବନ୍ଧିତ ନିୟମ ବଦଳିବାକୁ ଯାଉଥିବା ବେଳେ ଏସ୍ବିଆଇ ଏବଂ ପିଏନ୍ବି ଗ୍ରାହକଙ୍କ ପାଇଁ ଟଙ୍କା ନେଣଦେଣ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ ହେବ । ବ୍ୟାଙ୍କ ଅଫ୍ ବରୋଦା ଆଗାମୀ ମାସ ୧ ତାରିଖରୁ ଚେକ୍ କ୍ଲିୟରାନ୍ସ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧ ଫେବୃଆରୀରୁ ଚେକ୍ ପେମେଣ୍ଟ ପାଇଁ କନଫର୍ମେସନ୍ ଅନିବାର୍ଯ୍ୟ ହେବ ।
କନ୍ଫର୍ମେସନ୍ ନମିଳିଲେ ଚେକ୍କୁ ଫେରାଇ ଦିଆଯାଇପାରିବ। ସେହିପରି ଏସ୍ବିଆଇ ଗ୍ରାହକଙ୍କୁ ଏବେ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡ଼ିପାରେ । ଏସ୍ବିଆଇର ୱେବ୍ସାଇଟ୍ ଅନୁସାରେ ବ୍ୟାଙ୍କ ୧ ଫେବୃଆରୀରୁ ଆଇଏମ୍ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍ ଜୋଡ଼ିବାକୁ ଯାଉଛି । ଏହା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ୍ ରହିବ ।୧ ତାରିଖରୁ ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍ପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍ଟି ଦେବାକୁ ପଡ଼ିବ । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ମଧ୍ୟ ଆଗାମୀ ମାସରୁ କିଛି ନିୟମ ବଦଳାଇବାକୁ ଯାଉଛି । ପିଏନ୍ବି ମୁତାବିକ ୧ ଫେବୃଆରୀରୁ ଆପଣଙ୍କ କିସ୍ତି ବା ଡେବିଟ୍ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ ଆପଣଙ୍କୁ ୨୫୦ଟଙ୍କା ଦେବାକୁ ପଡ଼ିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ ୧୦୦ ଟଙ୍କା ଦେବାକୁ ପଡ଼ୁଥିଲା । ଏଥିସହିତ ଡିମାଣ୍ଡ ଡ୍ରାଫ୍ଟ ପାଇଁ ୧୦୦ ଟଙ୍କା ଚାର୍ଜ ହେଉଥିବା ବେଳେ ଏବେ ୧୫୦ ଟଙ୍କା ଦେବାକୁ ପଡ଼ିବ ।