ଓଡ଼ିଶା

ନୟାଗଡ ଫାଷ୍ଟଟ୍ରାକ୍‌ କୋର୍ଟଙ୍କ ଐତିହାସିକ ରାୟ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪୦ ବର୍ଷ ଜେଲ୍‌ ଦଣ୍ଡ

ନାବାଳିକା ଝିଆରୀକୁ ଦୁଷ୍କର୍ମ ମାମଲାରେ ନୟାଗଡ ଫାଷ୍ଟଟ୍ରାକ୍‌ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛି । ଏହି ମାମଲାରେ ବଡବାପାକୁ ୪୦ ବର୍ଷ ଜେଲ୍‌ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି ନୟାଗଡ ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟ । ଏହା ସହ ଘଟଣାରେ ସହଯୋଗ କରିଥିବା ବଡମାଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଶୁଣାଇଛି କୋର୍ଟ। ୨୦୧୯ ମସିହାରେ ଇଟାମାଟି ଥାନା ଅଞ୍ଚଳରେ ଜଣେ ୧୫ ବର୍ଷିଆ ନାବାଳିକାକୁ ତାର ବଡବାପା ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ମା ଥାନାରେ ଅଭିଯୋଗ କରିଥିଲେ । ନାବାଳିକାର ମା ବିଦ୍ୟାଳୟକୁ ରୋଷେଇ କରିବାକୁ ଯାଉଥିବା ସମୟରେ ପୀଡିତାର ବଡମା ତାକୁ ଘରକୁ ଡାକି ନେଇ ନିଜ ସ୍ଵାମୀଙ୍କ ପାଖରେ ଛାଡିଦେଉଥିଲା । ଏହାର ସୁଯୋଗ ନେଇ ପୀଡିତାକୁ ତାର ବଡବାପା ଦୁଷ୍କର୍ମ କରୁଥିଲା।

ଅଭିଯୋଗ ପରେ ଇଟାମାଟି ଥାନା ପୋଲିସ ଘଟଣାର ତଦନ୍ତ କରି ବଡବାପା ଭିକାରୀ ଜେନା ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା । ଦୁଇଟି ମାମଲା ୩୭୬-୨ ଏଫ୍‌ ଏବଂ ୩୭୬-୨ ଏମ୍‌ ର ବିଚାର କରି ଜଜ୍‌ ବିରଞ୍ଚି କୁମାର ରଥ ଏହି ରାୟ ଶୁଣାଇଛି । ତେବେ ଦୁଇଟି ମାମଲାରେ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ହୋଇଥିବାରୁ ଅଭିଯୁକ୍ତ ଭିକାରୀ ଏକକାଳିନ ୨୦ବର୍ଷ ଏହି ଜେଲ୍‌ ଦଣ୍ଡ ଭୋଗିବ ବୋଲି କୋର୍ଟ ନିର୍ଦ୍ଦଶେ ଦେଇଥିବା ସରକାରୀ ଓକିଲ ଅମିୟ କୁମାର ପଟ୍ଟନାୟକ ଜଣାଇଛି । ଏହାସହିତ ପୀଡିତାଙ୍କୁ ୫ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ କହିଛନ୍ତି।

Show More

Related Articles

Back to top button