ଓଡ଼ିଶା

ନବରଙ୍ଗପୁର ସୋରିଷପଦର ଦୁର୍ଘଟଣା ନେଇ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ

ପଞ୍ଚାୟତ ନିର୍ବାଚନ କାମରେ ନିୟୋଜିତ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ନବରଙ୍ଗପୁର ସୋରିଷପଦର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଟ୍ବିଟ୍ କରିଛନ୍ତି ଧର୍ମେନ୍ଦ୍ର । ସୂଚନାଯୋଗ୍ୟ ଯେ, ଶୁକ୍ରବାର ନବରଙ୍ଗପୁରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିଲେ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ଗ୍ରାମରକ୍ଷୀମାନେ ହେଲେ ନବରଙ୍ଗପୁର ଇଛାବତୀଗୁଡ଼ାର ଶେଷା ରାଓ, ଖାତିଗୁଡା ଥାନା ଅଞ୍ଚଳର ରବି ବିଶୋଇ ଓ ଡ଼ଙ୍ଗରଭେଜା ଫାଣ୍ଡି ଅଞ୍ଚଳର ଜଗବନ୍ଧୁ ଗୌଡ଼ ବୋଲି ଜଣାପଡିଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ନେଇ ବସ୍ ଟି କୋଷାଗୁମୁଡ଼ା ଯାଉଥିଲା ।

ବସ୍ ରେ ୩୫ରୁ ଅଧିକ ଜଣ ପୋଲିସ କର୍ମଚାରୀ ଥିଲେ । ଏମାନେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବାର ଥିଲା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ କାମ ଶେଷ କରି ଏମାନେ କୋଷାଗୁମୁଡ଼ା ଅଭିମୁଖେ ଯାଉଥିଲେ । ତେବେ ସୋରିଷପଦର ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣହାନୀ ହୋଇଥିବା ଅନ୍ୟମାନେ ଆହତ ହୋଇଥିଲେ । ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର ସୂଚନା ଦେଇଥିଲେ । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ସଦାଶିବ ପ୍ରଧାନୀ ମେଡିକାଲରେ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଆହତମାନଙ୍କ ପାଇଁ ସହାୟତା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ ସାଂସଦ ।

Show More

Related Articles

Back to top button