ଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ମୋକିମ

କଟକ : ORHDC ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍‌ଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଏମ୍‌ଡି ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିବା ବେଳେ ସେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବାରୁ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସଦସ୍ୟ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। ତେବେ ହାଇକୋର୍ଟରୁ ଏହା ଉପରେ ରହିତାଦେଶ ମିଳିଲେ ସେ ତାଙ୍କ ସଦସ୍ୟ ପଦ ବଜାୟ ରଖିପାରିବେ। ୨୦୦୦ ମସିହା ଜାନୁଆରୀ ୪ ତାରିଖରୁ ୨୦୦୧ ମସିହା ମେ’ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ। ସେହି ସମୟରେ ସ୍ୱସ୍ତି ରଞ୍ଜନ ମହାପାତ୍ର ORHDCର କମ୍ପାନୀ ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ଜୁନ୍ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌ ORHDCରେ ୧୫୦ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲେ। ଭୁବନେଶ୍ୱର ନୟାପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ କଂପାନୀ ପକ୍ଷରୁ ଋଣ ଆବେଦନ କରାଯାଇଥିଲା। ବିନୋଦ କୁମାରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ୱସ୍ତି ରଞ୍ଜନ ମହାପାତ୍ର ଋଣ ଆବେଦନ ଦରଖାସ୍ତକୁ ଯାଞ୍ଚ କରି ପୂରା ପ୍ରକ୍ରିୟା ସଂପାଦନ କରିଥିଲେ। ପରେ ଏହାକୁ ଅନୁମୋଦନ କରିବାକୁ ସେ ବିନୋଦ କୁମାରଙ୍କ ପାଖକୁ ପଠାଇଥିଲେ। ୧୫୦ ଲକ୍ଷର ଋଣକୁ ବିନୋଦ କୁମାର ଅନୁମୋଦନ କରିଥିଲେ ଏବଂ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ତିନିଟି କିସ୍ତିରେ ୨୦୦୦ ଜୁଲାଇ ୬ ତାରିଖରୁ ୨୦୦୦ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଋଣ ଅର୍ଥ ପ୍ରଦାନ କରାଯାଇଥିଲା। ପ୍ରଥମ କିସ୍ତିରେ ୧୦୦ ଲକ୍ଷ ଟଙ୍କା, ଦ୍ୱିତୀୟ କିସ୍ତିରେ ୩୦ ଓ ତୃତୀୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଲୋନ୍ ଏଗ୍ରିମେଣ୍ଟ ଓ ଏ ସଂପର୍କିତ ଅନ୍ୟାନ୍ୟ କାଗଜପତ୍ରରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହାର ନିର୍ଦ୍ଦେଶକ ପୀୟୂଷ ମହାନ୍ତି ଦସ୍ତଖତ କରିଥିଲେ। ତେବେ ଋଣ ନ ସୁଝିବା ଯୋଗୁଁ ୩୧ ଜୁଲାଇ ୨୦୦୭ ସୁଦ୍ଧା ମେଟ୍ରୋ ବିଲ୍ଡର ଉପରେ ୬କୋଟିରୁ ଅଧିକ ଟଙ୍କା ପେଣ୍ଡିଂ ରହିଥିଲା। ଫଳରେ ସରକାରଙ୍କ ଆର୍ଥିକ କ୍ଷତି ହୋଇଥିଲା। ଅନ୍ୟପକ୍ଷରେ ORHDCର ପରିଚାଳନା ନିର୍ଦ୍ଦେଶକ ଭାବେ ଋଣ ଅନୁମୋଦନ କରିବା ତଥା ଚେକ୍‌ରେ ଦସ୍ତଖତ କରିବାର କ୍ଷମତା ସେତେବେଳେ ବିନୋଦ କୁମାରଙ୍କ ପାଖରେ ନଥିଲା। ORHDCର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ତାଙ୍କୁ ଏମିତି କିଛି କ୍ଷମତା ଦିଆଯାଇ ନଥିଲା। ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ସ୍ୱସ୍ତି ରଞ୍ଜନ ମହାପାତ୍ର ସହ ମିଶି ବିନୋଦ କୁମାର ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି କାର୍ଯ୍ୟ କରିଥିଲେ।

Show More

Related Articles

Back to top button