ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଅନେକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଛନ୍ଦିଲେ ସାଂସଦ ଅପରାଜିତା ଷଡଙ୍ଗୀ

ପଦ୍ମପୁର : ୨୨ ବର୍ଷ ଶାସନ ଭିତରେ କାହିଁକି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କଲେନି? କାହିଁକି ଏଠାରେ ରେଳ ଲାଇନ୍ କରିବାକୁ ପଦକ୍ଷେପ ନେଲେନି ? କାହିଁକି ଘୋଷଣା ମୁତାବକ ୩୫ ପ୍ରତିଶତ ଜମିକୁ ଏଠାରେ ଜଳସେଚିତ କରିପାରିନାହାନ୍ତି ? ଗଙ୍ଗାଧର ମେହର ଜଳସେଚନ ପ୍ରକଳ୍ପ କୁଆଡ଼େ ଗଲା ? କାହିଁକି ସମସ୍ତ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ପକ୍କାଘର ଦେଲେନି ? କାହିଁକି ସମସ୍ତଙ୍କୁ ପାଇପ୍ ପାନୀୟଜଳ ସୁବିଧା ଦେଉନାହାନ୍ତି ? କାହିଁକି ସମସ୍ତଙ୍କୁ ଶୌଚାଚଳ ସୁବିଧା ଦେଲେନି ? ଏଠାରେ କାହିଁକି ଶିଳ୍ପ ପ୍ରତିଷ୍ଠା କରାଯାଉନି ? ଲୋକେ ଅନ୍ୟ ରାଜ୍ୟକୁ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି? ଏଭଳି ଗୋଟିଏ ପରେ ଗୋଟିଏ ପ୍ରଶ୍ନତୀର ସିଧା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ୍‌ ନବୀନ ପଟ୍ଟନାୟକଙ୍କୁ ମାରିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ପଦ୍ମପୁର ଠାରେ ଦଳୀୟ ନିର୍ବାଚନୀ ସଭାରେ ଏଭଳି ଅନେକ ପ୍ରଶ୍ନବାଣରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଛନ୍ଦିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯ, ବରଗଡ଼ ଷ୍ଟେସନରୁ ପଦ୍ମପୁର ପ୍ରାୟ ୮୦ କିଲୋମିଟର ରାସ୍ତା ଆସିବାକୁ ଦେଢ ଘଣ୍ଟା ଲାଗି ଯାଉଛି। ପାଇକମାଳ ଓ ଝାରବନ୍ଧ ଯିବାକୁ ହେଲେ ୨ରୁ ୩ଘଣ୍ଟା ଲାଗୁଛି। ଏହି ସ୍ଥାନକୁ ବରଗଡ଼ରୁ ରେଳ ଲାଇନ୍ ପକାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ୨୨ ବର୍ଷ ଶାସନରେ ରହିବା ସତ୍ତ୍ୱେ ମଧ୍ୟ ଉଦ୍ୟମ କଲେନି। ମୁଁ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି। ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ପଦ୍ମପୁରର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ସ୍ୱତନ୍ତ୍ର ଜିଲ୍ଲା କରାଯିବା ନେଇ ମିଛ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ଜିଲ୍ଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୌଣସି ଯୋଜନା ନ ଥିବା ଗତକାଲି ତାଙ୍କ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ କହିଛନ୍ତି। ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଯୋଜନା ନ ଥିବା କୁହାଯାଇଛି। ଖାଲି ପଦ୍ମପୁରବାସୀଙ୍କୁ ନୁହେଁ, ପୂରା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭୂତେଇ ଚାଲିଛନ୍ତି।

ଦେଶର ବିକାଶଶୀଳ ୨୮ଟି ରାଜ୍ୟ ମଧ୍ୟରୁ ଶେଷ ଆଡୁ ୫ ନମ୍ବରରେ ଓଡ଼ିଶା ରହିଛି। ୨୨ ବର୍ଷ ଜଣେ ବ୍ୟକ୍ତି ଓ ଗୋଟିଏ ସରକାର ଶାସନରେ ଥାଇ ମଧ୍ୟ ଓଡ଼ିଶା ଯେଉଁ ଗରିବ ଥିଲା ଓ ଏଠାର ଲୋକେ ଯେଉଁଭଳି ଗରିବ ଥିଲେ, ଏବେବି ରହିଛନ୍ତି। ଏହା ଓଡ଼ିଆଙ୍କ ଆତ୍ମସମ୍ମାନର ପ୍ରଶ୍ନ। ଆଉ କେତେଦିନ ଏଭଳି ସରକାରକୁ ଶାସନ ଦେବେ। ଓଡ଼ିଶା ଖୁବ୍ ଧନୀ। ଏଠାରେ ଖଣି, ଖାଦାନ ଭରି ହୋଇ ରହିଛି। ଓଡ଼ିଶାର ମାଟି ତଳେ ୩୫ ପ୍ରତିଶତ ଲୁହା, ୭୦ ପ୍ରତିଶତ ବକ୍ସସାଇଟ୍, ୨୫ ପ୍ରତିଶତ କୋଇଲା ରହିଛି।

ବିଜେପି ନେତାମାନେ ଟ୍ରେନ୍‌ରେ ଆସି ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ଓଡ଼ିଆ ଜାଣି ନ ଥିବା ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ଆସି କାଗଜକଲମରେ ଲିଖିତ ଚିରାଚରିତ ଭାଷଣ ପଢ଼ି ଫେରିଯାଇ ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି। ୨୦୧୯ ବିଜେପୁର ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଶେଷ ଥର ଏହି ଅଞ୍ଚଳକୁ ଆସିଥିବା ବେଳେ ଏବେ କେବଳ ଲୋକଙ୍କ ଭୋଟ ମାଗି ଭୂତାଇବାକୁ ଆସିଛନ୍ତି। ଅନ୍ୟ ସମୟରେ ଲୋକଙ୍କ କଥା ବୁଝିବାକୁ ଓ ଲୋକଙ୍କ ସହ ସମ୍ପର୍କ ରଖିବାକୁ ତାଙ୍କର ସମୟ ନାହିଁ। ଆବଶ୍ୟକ ହେଲେ ଭିଡିଓ କନ୍ଫରେନ୍ସିରେ କଥା ହେଉଛନ୍ତି। ଏଭଳି ନେତା ଲୋକେ କ’ଣ ଚାହାନ୍ତି ବୋଲି ଅପରାଜିତା ଲୋକଙ୍କ ପ୍ରଶ୍ନ କରିଛନ୍ତି।

Show More

Related Articles

Back to top button