ବାଣିଜ୍ୟ

ଦେଶର ଅର୍ଥନୀତି ପାଇଁ ଆଗାମୀ ସମୟ ୧୯୯୧ ସଙ୍କଟ ତୁଳନାରେ ଅଧିକ ଆହ୍ବାନପୂର୍ଣ୍ଣ ହେବ: ମନମୋହନ ସିଂହ

କରୋନା ମହାମାରୀ ପାଇଁ ବିଶ୍ବର ଅର୍ଥନୀତି ପ୍ରଭାବିତ ହୋଇଛି। ଏଥିରୁ ଭାରତର ଅର୍ଥନୀତି ମଧ୍ୟ ବାଦ ପଡ଼ିନାହିଁ। ଭାରତୀୟ ଅର୍ଥନୀତିର ସ୍ଥିତିକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ବଡ଼ ବୟାନ ଦେଇଛନ୍ତି ।

ଡକ୍ଟର ସିଂହ କହିଛନ୍ତି, ଦେଶର ଇକୋନୋମି ପାଇଁ ୧୯୯୧ଠୁ ଆହୁରି ମୁସକିଲ୍‌ ସମୟ ଆସିବାକୁ ଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ୧୯୯୧ର ଐତିହାସିକ ବଜେଟକୁ ୩୦ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର କହିଛନ୍ତି, କରୋନା ମହାମାରୀ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖିଲେ ଆଗାମୀ ସମୟ ଆହୁରି ଆହ୍ବାନପୂର୍ଣ୍ଣ ହେବ। ଏକ ଦେଶ ଭାବେ ଭାରତକୁ ନିଜର ପ୍ରାଥମିକତାକୁ ପୁଣି ଥରେ ନିର୍ଦ୍ଧାରଣ କରିବାକୁ ହେବ।ମନମୋହନ ସିଂହ ୧୯୯୧ରେ ନରସିଂହ ରାଓଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଥିଲେ ଏବଂ ୨୪ ଜୁଲାଇ ୧୯୯୧ରେ ନିଜର ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହି ବଜେଟ୍‌କୁ ୩୦ ବର୍ଷ ପୂରିଥିବା ବେଳେ ସେ କହିଛନ୍ତି, ’୧୯୯୧, ୩୦ ବର୍ଷ ପୂର୍ବେ କଂଗ୍ରେସ ଦଳ ଭାରତର ଅର୍ଥବ୍ୟବସ୍ଥାର ମହତ୍ବପୂର୍ଣ୍ଣ ସୁଧାର ଆରମ୍ଭ କରିଥିଲା ଏବଂ ଦେଶର ଆର୍ଥିକ ନୀତି ପାଇଁ ଏକ ନୂଆ ମାର୍ଗ ପ୍ରଶସ୍ତ କରିଥିଲା। ଗତ ୩ ଦଶକ ମଧ୍ୟରେ ବିଭିନ୍ନ ସରକାର ଏହି ମାର୍ଗକୁ ଅନୁସରଣ କଲେ ଏବଂ ଦେଶର ଅର୍ଥ ବ୍ୟବସ୍ଥା ୩ ହଜାର ଅରବ ଡଲାର ହୋଇଛି। ଏହା ଦୁନିଆାର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ଗୋଟିଏ।’ ଏହା ସହ ସେ ଆହୁରି କହିଛନ୍ତି ଏହି ସମୟ ମଧ୍ୟରେ ୩୦ କୋଟି ଭାରତୀୟ ନାଗରିକ ଗରିବୀରୁ ମୁକୁଳିଥିଲେ ଏବଂ କୋଟି କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଧିରେଧରେ ଆର୍ଥିକ ସୁଧାର ଆସିବା ସହ ବିଶ୍ବ ସ୍ତରୀୟ କମ୍ପାନୀଙ୍କ ଅସ୍ତିତ୍ବ ବଢ଼ିବାରେ ଲାଗିଲା। ୧୯୯୧ରେ ଉଦାରୀକରଣର ମଧ୍ୟ ଶୁଭାରମ୍ଭ ହୋଇଥିଲା ବୋଲି ମଧ୍ୟ ସେ କହିଛନ୍ତି। ଏହା ସହ ସେ କଂଗ୍ରେସ ଦଳର ସାଥିମାନଙ୍କ ସହ ମିଶି ଏହି ପରିବର୍ତ୍ତନରେ ଭାଗ ନେଇଥିବାରୁ ଖୁସି ବ୍ୟକ୍ତି କରିବା ସହ କରୋନା ପାଇଁ କୋଟି କୋଟି ଚାକିରୀ ଯାଉଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ।ଏହା ବ୍ୟତୀତ ସ୍ବାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା ବହୁତ ପଛରେ ରହିଗଲା। ଯାହାକି ଆର୍ଥିକ ପ୍ରଗତିର ଗତି ସହ ତାଳ ମେଳାଇ ଚାଲିପାରିଲା ନାହିଁ। ଏତେ ସଂଖ୍ୟକ ଚାକିରୀ ଯାଇଛି, କିନ୍ତୁ ଏମିତି ହେବାର ନଥିଲା ବୋଲି ଡକ୍ଟର ସିଂହ କହିଛନ୍ତି।

ଆଗାମୀ ରାସ୍ତା ୧୯୯୧ ସଙ୍କଟ ତୁଳନାରେ ଅଧିକ ଆହ୍ବାନପୂର୍ଣ୍ଣ ହେବ। ଏକ ରାଷ୍ଟ୍ର ହିସାବରେ ପୁଣିଥରେ ଆମର ପ୍ରାଥମିକତାକୁ ନିର୍ଦ୍ଧାରଣ କରିବା ଜରୁରୀ। ଯାହା ଦ୍ବାରା ଭାରତୀୟଙ୍କ ପାଇଁ ଏକ ସ୍ବସ୍ଥ ଏବଂ ଗାରିମାମୟ ଜୀବନ ସୁନିଶ୍ଚିତ ହୋଇପାରିବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।୧୯୯୧ରେ ଜଣେ ଅର୍ଥମନ୍ତ୍ରୀ ଭାବେ ମୁଁ ଫ୍ରାନ୍ସର କବି ଭିକ୍ଟର ହ୍ୟୁଗୋଙ୍କ ଲେଖାକୁ ଉଲ୍ଲେକ କରିଥିଲେ ଯେ, ‘ପୃଥିବୀରେ କୌଣସି ଶକ୍ତି ସେହି ବିଚାରକୁ ରୋକିପାରିବ ନାହିଁ ଯାହାର ସମୟ ଆସିସାରିଛି। ୩୦ ବର୍ଷ ପରେ ଗୋଟିଏ ଦେଶ ଭାବେ ଆମେ ରବର୍ଟ ଫ୍ରାଷ୍ଟ (ଆମେରିକା କବି)ଙ୍କ କବିତାକୁ ମନେ ରଖିବାକୁ ହେବ ଯେ, ଆ​‌ମେ ଆମର ପ୍ରତିଜ୍ଞାକୁ ପୂର୍ଣ୍ଣ କରିବା ଏବଂ ମାଇଲ ମାଇଲ ରାସ୍ତା ଯାତ୍ରା କରିବା ପରେ ଆରାମ କରିବାକୁ ହେବ ବୋଲି ଡକ୍ଟର ମନମୋହନ ସିଂହ କହିଛନ୍ତି ।

Show More

Related Articles

Back to top button