Breaking PLUSଓଡ଼ିଶାପାଣିପାଗ

ଶନିବାର ସନ୍ଧ୍ୟାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା !

ପ୍ରଭାବିତ ହେବ ୪ ଜିଲ୍ଲା

ବଢୁଛି ମହାନଦୀର ଜଳସ୍ତର । ହୀରାକୁଦରେ ଅଧିକ ଗେଟ୍ ଖାଲାଯିବା ପରେ ଉଛୁଳୁଛି ମହାନଦୀ । ହୀରାକୁଦରୁ ଛଡାଯାଇଥିବା ପାଣି ପହଁଚିଲେ ଜଳସ୍ତର ଆହୁରି ବଢ଼ିବ । ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳି ନିକଟରେ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ଜଳସ୍ତର ବଢ଼ିବା ଯୋଗୁଁ ଶନିବାର ସନ୍ଧ୍ୟାରେ ମହାନଦୀ ଓ ଏହାର ଶାଖା ନଦୀରେ ନିମ୍ନ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି ।

ତଳିଆ ଅଂଚଳକୁ ରହିଛି ବେଶୀ ବିପଦ । ମହାନଦୀରେ ଆସୁଥିବା ବନ୍ୟା ନିମ୍ନ ମଧ୍ୟମ ଧରଣ ହେବ ବୋଲି କୁହାଯାଉଥିଲେ ବି, ଅବବାହିକାରେ ଥିବା କଟକ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ୪ଜିଲ୍ଲାକୁ ସତର୍କ କରିଛନ୍ତି ସରକାର । ଏହି ଚାରି ଜିଲ୍ଲା ଦେଇ ମହାନଦୀ ଓ ତାର ଶାଖା ନଦୀ ପ୍ରବାହିତ ହେଉଛି । ଜଳସ୍ତର ବଢ଼ିଲେ, ପ୍ରବାହିତ ହେଉଥିବା ଏସବୁ ନଦୀ ଅବବାହିକାରେ ଥିବା ୪ ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ହେବା ଆଶଙ୍କା ରହିଛି ।

ସେପଟେ ବନ୍ୟା ଆଶଙ୍କାରେ ମୁକାବିଲା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ ମୁତୟନ ହୋଇଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ବି ନିର୍ଦ୍ଦେଶ ଦିଆଯାଇଛି । ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ବାହିନୀକୁ ମୂତୟନ କରାଯାଇଛି । ସେହିପରି ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ସଜାଗ ରହିବାକୁ କୁହାଯାଇଛି ।

ବନ୍ୟା ଆଶଙ୍କା ଭିତରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଚିନ୍ତାର କାରଣ ପାଲଟିଛି । କାରଣ ୧୮ ତାରିଖରେ ଏହା ଲଘୁଚାପରେ ପରିଣତ ହେବା ସହ ୧୯, ୨୦ ବେଳକୁ ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଏହା ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଛତିଶଗଡରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାକି ବନ୍ୟା ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ସେହିପରି ଆସନ୍ତା ୨୦ରେ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହିବ । ନଦୀରୁ ଜଳ ନିଷ୍କାସନ ହେବାରେ ଅସୁବିଧା ରହିବ । ଯାହାଫଳରେ ନଦୀର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି ।

Show More

Related Articles

Back to top button