ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରାଉରକେଲାରେ ଗଡିବ ‘ମୋ ବସ୍’: କ୍ରୁଟ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ୍’। ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଟୁର ଅପରେଟର ବାଛିବା ପାଇଁ କ୍ରୁଟ୍‌ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ କରିବାକୁ ଯୋଜନା କରାଯାଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସହରରେ ଶହେଟି ନୂଆ ବସ୍‌ ଚାଲିବ। ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍‌ ରହିବ। ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ଉପକଣ୍ଠରେ ଏହି ସେବା ଉପଲବ୍ଧ ହେବ। ପରେ ଯାତ୍ରୀଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ଏହାକୁ ସହରର ପାର୍ଶ୍ୱବର୍ତ୍ତୀ ସଦର ମହକୁମା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯିବ। ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିଦିନ ହିଁ ବୈଷୟିକ ପ୍ରସ୍ତାବ(ଟେକ୍ନିକାଲ୍‌ ପ୍ରପୋଜାଲ୍‌) ‌ଖୋଲାଯିବ। ପରେ ଫାଇନାନ୍‌ସିଆଲ୍‌ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯବ। ଅପରେଟରଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବ। ସେବା ଉତ୍ତମମାନର ହେବା ସହିତ ବସ୍‌ଗୁଡ଼ିକର ଅବସ୍ଥା ଭଲ ରହିଲେ ଚୁକ୍ତି ଅବଧି ଆଉ ଦୁଇବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ। ବସ୍‌ଗୁଡ଼ିକ ଅପରେଟରଙ୍କ ନାମରେ ପଞ୍ଜୀକୃତ ହେବ। ‘ଗ୍ରସ୍‌ କଷ୍ଟ କଣ୍ଟ୍ରା‌କ୍ଟ’ ଆଧାରରେ ଅପରେଟରମାନେ ଏହି ସେବା ପରିଚାଳନା କରିବେ ବୋଲି କ୍ରୁଟ୍‌ ସର୍ତ୍ତ ରଖିଥିବା ସୂଚନା ମିଳିଛି।

Show More

Related Articles

Back to top button