Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଲଘୁଚାପ ଅବପାତରେ ହେବ ପରିଣତ, ୧୯ ସନ୍ଧ୍ୟା ସୁଦ୍ଧା ଉପକୂଳ ଛୁଇଁବ

ପ୍ରଭାବୀ ହେବନି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଏହା କ୍ରମଶଃ ଦୁର୍ବଳ ହୋଇଯିବ । ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ଓ ବାତ୍ୟା ଆଡ଼କୁ ଯିବ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଥିଲେ । କିନ୍ତୁ ଏହି ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା କ୍ଷୀଣ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସାନି ପୂର୍ବାନୁମାନ କରିଛି ।

ଆସନ୍ତା ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ଆରବସାଗର ଓ ଦକ୍ଷିଣ ମହାରାଷ୍ଟ୍ରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଏବେର ଲଘୁଚାପ ଅଧିକ ଘନୀଭୂତ ହେବନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଲଘୁଚାପ ମଙ୍ଗଳବାର ଅବପାତରେ ପରିଣତ ହେବ । ଲଘୁଚାପ ଘନୀଭୂତ ହୋଇ ଅବପାତ ଅବସ୍ଥାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ସେଠାରେ ଏହା ୪୮ ଘଣ୍ଟା ଯାଏ ରହିବ । ୧୮ ତାରିଖ ମଧ୍ୟାହ୍ନ ପରେ ଏହି ଅବପାତ କ୍ରମଶଃ ଦୁର୍ବଳ ହୋଇଯିବ । ପ୍ରତିକୂଳ ପାଗ ଯୋଗୁ ଅବପାତ ପୁଣି ଲଘୁଚାପକୁ ବଦଳିଯିବ । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଉପକୂଳ ଛୁଇଁବ ।

ଏହା ଅଧିକ ଘନୀଭୂତ ନହୋଇ ଦୁର୍ବଳ ହେଲେ ମଧ୍ୟ ଏହାର ପ୍ରଭାବରେ ବିଶାଖପାଟଣାରୁ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ୧୭, ୧୮ ଓ ୧୯ ତାରିଖରେ ଦକ୍ଷିଣ ଆନ୍ଧ୍ର ଉପକୂଳ ସମେତ ସଂଲଗ୍ନ ତାମିଲନାଡୁରେ ଭାରୀ ବର୍ଷା ହେବ । ସେହିଭଳି ୧୮, ୧୯ ଓ ୨୦ ତାରିଖ ଓଡ଼ିଶା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ସେହିପରି ସୋମବାର ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଅନୁଗୁଳରେ ୩୬.୪ ମିଲିମିଟର, ସମ୍ବଲପୁରରେ ୧୩ ଓ ଭବାନୀପାଟଣାରେ ୧୨ମିମି ବର୍ଷା ହୋଇଛି । ୧୬ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ଆଶଙ୍କା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ସକାଳୁ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ହୋଇଥିଲା । କୁହୁଡ଼ି ପ୍ରଭାବରେ ବଲାଙ୍ଗୀର, ଭୁବନେଶ୍ୱର, ଭବାନୀପାଟଣା ଓ ମାଲକାନଗିରିରେ ୧୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହୋଇନଥିଲା ।

Show More

Related Articles

Back to top button