
ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ମେଡିକାଲ କଲେଜ । ଗୁଜରାଟର ଅହମ୍ମଦାବାଦରେ ଥିବା ଗୋଟିଏ ମେଡିକାଲ କଲେଜର ନାଁକୁ ବଦଳାଇ ଦିଆଯାଇଛି। ଏଠାରେ ଥିବା ମେଡିକାଲ କଲେଜର ନାଁ ନରେନ୍ଦ୍ର ମୋଦି ମେଡିକାଲ କଲେଜ ବୋଲି ରଖାଯାଇଛି। ପୂର୍ବରୁ ଏହା ଏଲଜି ମେଡିକାଲ କଲେଜ ଭାବେ ପରିଚିତ ହୋଇଥିଲା। ହେଲେ ଏବେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ପରିବର୍ତ୍ତନ କରାଯାଇଛି। ଏହି ନାମ ପରିବର୍ତ୍ତନ ଧାରାକୁ ଟିଆରଏସର କାର୍ଯ୍ୟକାରୀ ସଭାପତି ତଥା ତେଲେଙ୍ଗାନାର ଶିଳ୍ପମନ୍ତ୍ରୀ କେଟି ରାମା ରାଓ(କେଟିଆର) ତୀବ୍ର ସମାଲୋଚନା କରିଛନ୍ତି। ସେ ନାଁ ବଦଳ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। ଟ୍ୱିଟ ଯୋଗେ କେଟିଆର ପ୍ରଧାନମନ୍ତ୍ରୀ ମୋଦି ଓ ସୀତାରମଣଙ୍କୁ ଗାନ୍ଧିଜୀ ବାଣ ମାରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ଅହମ୍ମଦାବାଦରେ ଥିବା ଏଲଜି ମେଡିକାଲ କଲେଜର ନାଁକୁ ବଦଳାଇ ନରେନ୍ଦ୍ର ମୋଦି ମେଡିକାଲ କଲେଜ ରଖାଯାଇଛି। ପୂର୍ବରୁ ସର୍ଦ୍ଦାର ପଟେଲ ଷ୍ଟାଡିୟମର ନାଁକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଯାଇଥିଲା। ଯଦି ଅର୍ଥମନ୍ତ୍ରୀ ନିର୍ମଳାଜୀ ଏହି ଧାରା ଜାରି ରଖିବେ, ତା’ହେଲେ ଖୁବଶୀଘ୍ର ଆରବିଆଇକୁ ନୂଆ ନୋଟ ଛାପିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ ଓ ଏହି ନୋଟରେ ଗାନ୍ଧିଜୀଙ୍କ ବଦଳରେ ମୋଦିଜୀଙ୍କ ଫଟୋ ମଧ୍ୟ ରଖିପାରିବେ ବୋଲି ସେ କହିଛନ୍ତି। ଏହାପୂର୍ବରୁ ମଧ୍ୟ ଏହି ନାଁ ବଦଳ ନୀତିକୁ ନେଇ କେଟିଆର ବିଜେପିକୁ ସିଧାସଳଖ ଟାର୍ଗେଟ କରିଥିଲେ।