ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିସିସିଆଇ ସଭାପତି ବିବାଦକୁ ନେଇ ମୁହଁ ଖୋଲିଲେ ମମତା ବାନାର୍ଜୀ

କୋଲକାତା : ବିସିସିଆଇ ସଭାପତି ବିବାଦ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପ୍ରଥମ ଥର ମୁହଁ ଖୋଲିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ ବିସିସିଆଇ ସଭାପତି ଭାବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଦ୍ୱିତୀୟ କାର୍ଯ୍ୟକାଳରୁ ବଞ୍ଚିତ କରାଯାଇଛି। ଉତ୍ତର ପ୍ରଦେଶ ଗସ୍ତ ପୂର୍ବରୁ କୋଲକାତା ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମମତା କହିଛନ୍ତି, ସୌରଭ ଗାଙ୍ଗୁଲି ଆମର ଗର୍ବ । ସେ ଜଣେ ଦକ୍ଷ ପ୍ରଶାସକ ମଧ୍ୟ ରହିଛନ୍ତି । ଅମିତ ଶାହାଙ୍କ ପୁଅ ବିସିସିଆଇରେ ରହିଛନ୍ତି, ହେଲେ ସୌରଭ ଗାଙ୍ଗୁଲିଙ୍କୁ ହଟାଇ ଦିଆଗଲା । ଆମେ ଜାଣିବାକୁ ଚାହୁଁଛୁ ଏହାର କାରଣ କଣ? ଏଥି ସହିତ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିବେ । ଗାଙ୍ଗୁଲିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅଧ୍ୟକ୍ଷ ପଦବୀ ପାଇଁ ଲଢ଼ିବାକୁ ଅନୁମତି ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିବେ । ସୌରଭ ଜଣେ ଦକ୍ଷ ପ୍ରଶାସକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ବିସିସିଆଇ ସଭାପତି ପଦରୁ ତାଙ୍କୁ ହଟାଯିବା ନେଇ ମୁଁ ଆଶ୍ଚର୍ଯ୍ୟ । ଏହା ତାଙ୍କ ପ୍ରତି ଅନ୍ୟାୟ । ଆଇସିସି ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କୁ ଲଢ଼ିବାକୁ ଅନୁମତି ଦିଆଯାଉ ବୋଲି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବି। ଏହି ପ୍ରସଙ୍ଗରେ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ମମତା ବାନାର୍ଜୀ କହିଛନ୍ତି। ଗାଙ୍ଗୁଲିଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ ବିଜେତା ଦଳର ହିରୋ ରୋଜର ବିନ୍ନି ବିସିସିଆଇର ପରବର୍ତ୍ତୀ ସଭାପତି ହେବା ନିଶ୍ଚିତ ହୋଇଯାଇଛି । ଯଦିଓ ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ଆଉ ଏକ କାର୍ଯ୍ୟକାଳ ଚାହୁଁଥିଲେ, ତାଙ୍କୁ ସମର୍ଥନ ମିଳିନଥିଲା । ବିସିସିଆଇରୁ ଗାଙ୍ଗୁଲିଙ୍କୁ ଏଭଳି ବିଦା କରାଯିବା ନେଇ ମମତା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗାଙ୍ଗୁଲି ବିସିସିଆଇ ସଭାପତି ଛାଡ଼ିବାକୁ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା କିନ୍ତୁ ବୋର୍ଡର ସଚିବ ଭାବେ ପଦ ବଜାୟ ରଖିବେ ।

 

Show More

Related Articles

Back to top button