ଓଡ଼ିଶାମୁଖ୍ୟ ଖବର

ଦଶହରା, ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଦଶହରା ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । କିନ୍ତୁ ୨୦ ତାରିଖରେ କୁମାରପୂର୍ଣ୍ଣିମା ଦିନ ଖୋଲା ରହିବ ଶ୍ରୀମନ୍ଦିର । ଭକ୍ତମାନେ ନିୟମ ଅନୁସାରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଶନ କୁମାର । ଠିକ୍‌ ସେହିପରି ନଭେମ୍ବର ମାସରେ ସମସ୍ତ ରବିବାର ସମେତ ୪ ତାରିଖରେ ଦୀପାବଳି ଓ ୧୬ରେ କାର୍ତ୍ତିକ ମାସ ବଡ଼ ଏକାଦଶୀ, ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ ।

ଶ୍ରୀମନ୍ଦିର ସେବାୟତଙ୍କ ପାରମ୍ପରିକ ବେଶଭୁଷା ଉପରେ ଆଜିର ବୈଠକରେ ଗୁରୁତ୍ୱାରୋପ କରାଯାଇଛି । କୁମାରପୂର୍ଣ୍ଣିମାରୁ ସେବାୟତମାନେ ପାରମ୍ପରିକ ବେଷରେ ଭିତରକାଠରୁ ଗର୍ଭଗୃହକୁ ଯାଇପାରିବେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହେବ । ଦୀପାବଳୀଠାରୁ ଶ୍ରୀମନ୍ଦିର କର୍ମଚାରୀମାନେ ସ୍ୱତନ୍ତ୍ର ବେଶପୋଷାକରେ ଶ୍ରୀମନ୍ଦିରକୁ ଯିବେ । ଏହାପରେ ଏହି କଟକଣା ପରବର୍ତ୍ତୀ ସମୟରେ ଭକ୍ତଙ୍କ କ୍ଷେତ୍ରରେ ଲାଗୁ ହେବାର ସମ୍ଭାବନା ରହିଛି ।

ସେପଟେ ଆନନ୍ଦବଜାରରୁ କିଭଳି ଶୃଙ୍ଖଳିତ ଭାବେ ଭକ୍ତ ମହାପ୍ରସାଦ ପାଇପାରିବେ ତାହା ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣକୁ ଅନୁମୋଦନ ଦେଇଛି ଏନଏମଏ । ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟର ଭୁମି ପୂଜନ କରିବେ । କୋଭିଡ ନିୟମ ଭିତରେ ଏ ସବୁ କାର୍ଯ୍ୟକ୍ରମ ହେବ ।

ଧର୍ମମାସ କାର୍ତ୍ତିକରେ ହବିଷ୍ୟାଳିମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଜଳସ୍ପର୍ଶ କରିଥାନ୍ତି । ତେଣୁ ସେମାନଙ୍କ ପାଇଁ ଆଧାର କାର୍ଡ ଦେଖାଇ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି । କୋଭିଡ଼ ସମୟରେ ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ ।

Show More

Related Articles

Back to top button