ଦାଉ ସାଧିଲା ବନ୍ୟା, ଲିବିୟାରେ ମୃତ୍ୟୁ ସଂଖ୍ୟା 20ହଜାର ଟପିପାରେ

ବେଙ୍ଘାଜି- ଦାଉ ସାଧିଲା ବନ୍ୟା । ଲିବ୍ୟାର ପୂର୍ବାଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ଦେଖାଦେଇଛି । ଏହି ବନ୍ୟାରେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ଡର୍ନା ସହରରେ ଉଦ୍ଧାରକାରୀମାନେ ବନ୍ୟା ଜଳ ଏବଂ ଅଳିଆ ଗଦାରେ ମୃତଦେହଗୁଡିକୁ ଖୋଜୁଛନ୍ତି। ଯଦି ମୃତ ଦେହ ଗୁଡିକୁ ତୁରନ୍ତ ଠାବ ନ କରାଯାଏ, ଆଗାମୀ ଦିନରେ ଏଥିଯୋଗୁ ମହାମାରୀ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଭୂମଧ୍ୟସାଗରୀୟ ବାତ୍ୟା ଡାନିଏଲ୍ ପ୍ରଭାବରେ ସେଠାରେ ୨ଟି ଡ୍ୟାମ୍ ଭୁଶୁଡ଼ି ପଡ଼ିବାରୁ ଲିବ୍ୟାର ପୂର୍ବରେ ଥିବା ବନ୍ଦର ସହର ଡର୍ନାର ମଧ୍ୟଭାଗରେ ୨୦ ଫୁଟରୁ ଅଧିକ ଉଚ୍ଚରେ ଜଳ ପ୍ରବାହିତ ହୋଇଥିଲା। ଅନୁସନ୍ଧାନକାରୀ ଦଳ ଧ୍ୱଂସାବଶେଷ ମଧ୍ୟରୁ ଅଧିକ ମୃତଦେହ ପାଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
ସହାୟତା ସଂସ୍ଥା ଏବଂ ସରକାରୀ ଅଧିକାରୀଙ୍କ ଆକଳନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୮ ହଜାର ଥିବା ବେଳେ ୧୦ ହଜାର ଲୋକ ନିଖୋଜ ଅଛନ୍ତି। ବନ୍ୟା ବିତ୍ପାତ ଘଟିଥିବା ଅଂଚଳରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ହିସାବକୁ ନେଲେ ସେଠାରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଯିବା ଅନୁମାନ କରାଯାଉଛି।