ଓଡ଼ିଆ ଗଳ୍ପଓଡ଼ିଶା

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ

ବ୍ଲାକ ମେଲ _ ହ୍ଵାଇଟମେଲ

ମର୍ଣ୍ଣିଙ୍ଗ ୱାକ ସାରି, ପାର୍କର ଗୋଟେ କଣରେ ଥିବା ବରଗଛ ତଳ ସିମେଣ୍ଟ ପିଣ୍ଡିରେ ବସି ସେମାନେ ମୋବାଇଲରେ କିଛି ୟୁ ଟ୍ୟୁବ ଭିଡିଓ ଏବଂ ନିଉଜ ଦେଖୁଥିଲାବେଳେ ସେମାନଙ୍କ ଭିତରୁ ପ୍ରଥମ ବ୍ୟକ୍ତି କହିଲା,
-ହେଇ ଦେଖ,ଚାରିଆଡେ ଏଇନା ଚହଳ ପଡିଛି।ନେତା,ମନ୍ତ୍ରୀ,ବେପାରୀ,ସିନେମାବାଲା,ରିଏଲ ଇଷ୍ଟେଟବାଲା କେହି ବି ବାଦ ପଡିଲେନି ?କେତେ ସିକ୍ରେଟ ଫଟ ମିଡିଆ ବାଲାଙ୍କ ହାତରେ ଲାଗିଲାଣି।”
ଦ୍ଵିତୀୟ ବ୍ୟକ୍ତି କହିଲା,
-ମାନିବାକୁ ପଡିବ ତା ସାହସକୁ।ତେବେ କୌଣସି ସରକାରୀ ବାବୁ,ପୋଲିସଙ୍କ ଫଟ କେମିତି ଲିକ ହୋଇନି ?”
ଫେଁ କିନା ହସି ତୃତୀୟ ବ୍ୟକ୍ତି ଧୀର ସ୍ୱରରେ କହିଲା,
-କେମିତି ଲିକ ହେବ ?ନିଜ ଫଟ ବା ଡିପାର୍ଟମେଣ୍ଟ ଅଫିସରଙ୍କ ଫଟ କଣ ସେମାନେ ରଖିବେ ?
ଲୋକେ କହୁଛନ୍ତି,ଆଗେ ସେମାନଙ୍କ ଫଟ ଡିଲିଟ କରାଇବେ।”
ଦୀର୍ଘନିଶ୍ବାସ ଛାଡି ଚତୁର୍ଥ ବ୍ୟକ୍ତି କହିଲା,
– ହେଇ ଭଲକରି ଏଇ ଭିଡ଼ିଓରେ ଦେଖେ।ବ୍ଲାକମେଲ ଶିକାର ହୋଇଥିବା ଲୋକେ କାଳେ ଟଙ୍କା ସହିତ ବିଭିନ୍ନ ସୌଖିନ ଜିନିଷ ବାଧ୍ୟ ହୋଇ ଉପହାର ଦେଇଛନ୍ତି,ଲୋକଲଜ୍ୟା ଭୟରେ ଅଭିଯୋଗ ନକରି।ଆରେ ଭାଇ,ହାଇ ପ୍ରୋଫାଇଲ ଲୋକଙ୍କୁ ଯଦି ଏମିତି ଭାବେ ବ୍ଲାକମେଲ କରିପାରେ ଆଉ ଆମ ଭଳି ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ କହିଲ ?”
ଟିକେ ଚିନ୍ତା କରି ଏଥର ପ୍ରଥମ ବ୍ୟକ୍ତି କହିଲା,
-ପୁରୁଷମାନେ ସିକ୍ରେଟ ବା ଜବରଦସ୍ତି ଝିଅଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ଼ିଂଗ କରି,ସେଇ ଝିଅ/ମହିଳା ଅଥବା ପରିବାର ଲୋକଙ୍କୁ ବ୍ଲାକମେଲ କରୁଥିଲେ।ହେଲେ ଏଠି ପରିସ୍ଥିତି ଓଲଟା;ଝିଅ ଏଠି ଅଶ୍ଲୀଳ ଭିଡିଓ ଦେଖାଇ ଟଙ୍କା ଓ ଇଜ୍ଜତ ଲୁଟୁଛି।ସତରେ ଆଜିକାଲି କାହାକୁ ବିଶ୍ବାସ କରିବା କଷ୍ଟ।ଯେତେ ହୁସିଆର ହେଲେ ବି, କେତେବେଳେ କିଏ ତୁମକୁ ବ୍ଲାକମେଲ କରିବ ତାର ଗ୍ୟାରେଣ୍ଟି କେହି ଦେଇପାରିବେନି।ଏଇ ଆମ ଚାରିଜଣଙ୍କ କଥା ବିଚାର କରୁନ ?କାହାକୁ ମୁହଁ ଖୋଲି କହିବା କି ଆମେ ବି ଏଭଳି ଡିମାଣ୍ଡର ଶିକାର ହୋଇଛେ ?ଜଲଦି ଗୋଟେ ଫ୍ଲାଟ କିଣି ଦେବା ଛଡା ମୋ ପାଖରେ ଅନ୍ୟ ଉପାୟ ନାହିଁ।”
ସମସ୍ତେ ପ୍ରଥମ ବ୍ୟକ୍ତିଙ୍କୁ ଅନାଇବା ଦେଖି,ଦ୍ଵିତୀୟ ବ୍ୟକ୍ତି ଗଳା ସଫା କରି କହିଲା,
– କଣ ଆଉ ଲୁଚାଇବି ?ମୋତେ କାର କିଣି ଦେବାକୁ ପଡିବ।”
ତୃତୀୟ ବ୍ୟକ୍ତି କାନ କୁଣ୍ଡାଇ କହିଲା,
-ତୁ ଶସ୍ତାରେ ପାରି ହୋଇଯିବୁ।ଘର ତିଆରି ପାଇଁ ଖାଲି ପ୍ଲଟ କିଣିବା ମୋ ଭାଗ୍ୟରେ।ଏଇନା ରାଜଧାନୀରେ ଭଲ ପ୍ଲଟ ଦାମ ତ ଜାଣିଥିବ।”
ଚତୁର୍ଥ ଜଣଙ୍କ କହିଲା,
– ସୁନା ସେଟ କିଣିଦେବା ମୋ ମୁଣ୍ଡରେ ପଡିଛି।
ଶଳା ମଣିଷ ଆମ ଦୁର୍ଭାଗ୍ୟ ଏମିତି ଯେ, ପୋଲିସ ପାଖକୁ ବି ଯାଇପାରିବାନି।”
ଏଇ ସମୟରେ ବରଗଛ’ର ଆରପଟୁ ଜଣେ ବ୍ୟକ୍ତି ସେମାନଙ୍କ ସାମ୍ନାକୁ ଆସିବାର ଦେଖି ଚମକିପଡ଼ିଲେ ସଭିଏଁ।ମୃଦୁହସି ସେ ବ୍ୟକ୍ତି କହିଲା,
-ମୋତେ କ୍ଷମା କରିବେ।ମୁଁ ପେଶାରେ ଜଣେ ସାମ୍ୱାଦିକ।ବର୍ତ୍ତମାନ ସବୁଠୁ ଅଧିକ ଚର୍ଚିତ ସେଇ ଫଟ/ଭିଡିଓ ସ୍କାଣ୍ଡାଲ ବିଷୟରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ନେବାକୁ ସକାଳୁ ଏଇ ପାର୍କକୁ ଆସି ସେଠି ବସିଲାବେଳେ , ଆପଣମାନଙ୍କ କଥା ମୋ କାନରେ ପଡିଲା।ଆପଣମାନଙ୍କ ଅଜଣାତରେ ମୁଁ ସବୁ ଶୁଣିଛି।ବ୍ଲାକମେଲର ଶିକାର ଆପଣମାନେ ବି ହୋଇଛନ୍ତି।ତେବେ ଆପଣମାନେ ଭୟ କରିବା ମୋଟେ ଦରକାର ନାହିଁ।ଆମ ଚ୍ୟାନେଲକୁ ଆସନ୍ତୁ,ଆପଣଙ୍କ ପରିଚୟ ଗୋପନ ରଖି ଇଣ୍ଟରଭିଉ କରାଯିବ।ତେବେ ସେଇ ବ୍ଲାକମେଲର ବିରୁଦ୍ଧରେ ଆପଣମାନେ ପୋଲିସ ରେ ଏଫ ଆଇ ଆର ଦେଲେ ତା କୁ ମୁକୁଳିବା/ଜାମିନ ମିଳିବା କଷ୍ଟ ହେବ।ଏତେ ସମ୍ପତ୍ତି ଥାଇ ବି,ପୁଣି ଘର,ଗାଡି,ଜମି,ଟଙ୍କା ସୁନା ଡିମାଣ୍ଡ କରୁଛି ?ଏଭଳି ବ୍ଲାକମେଲର କଠିନ ରୁ କଠିନ ତମ ଦଣ୍ଡ ପାଇବା ଉଚିତ।”
ସାମ୍ବାଦିକଙ୍କ କଥା ଶୁଣି ସେମାନେ ସମସ୍ତେ ଏକାସାଙ୍ଗରେ ଚମକି ପଡିଲେ ଓ ପରସ୍ପରର ମୁହଁକୁ ଚାହାଁଚାହିଁ ହେଲେ।ସେମାନଙ୍କ ଭିତରୁ ଜଣେ ସେ ସାମ୍ବାଦିକଙ୍କୁ ପ୍ରଶ୍ନ କଲା,
-ହଇଓ ବାବୁ,ଏବେ ଯାହା ଟିଭିରେ ଦେଖାଉଛ,ତାହା ଏତେ ବର୍ଷ ହେଲାଣି ଏସବୁ ଚାଲିଥିଲା ଓ ଏତେ କଥା ଘଟିଗଲା ଅଥଚ ତୁମ ଚ୍ୟାନେଲମାନଙ୍କୁ ଟିକେ ବି ଜଣାପଡିଲାନି ?ନିଶ୍ଚେ ବଟି ଟଙ୍କା ମିଳୁଥିଲା।ତେବେ ତମକୁ କିଏ କହିଲା କି ଆମକୁ ସେଇ ଚର୍ଚ୍ଚିତ ଚରିତ୍ର ବ୍ଲାକମେଲ କରିଛି ବୋଲି ?”
ଛେପ ଢ଼ୋକି ସେ ସାମ୍ବାଦିକ କହିଲା,
-ନା,ନା ,ଆପଣମାନେ ଫ୍ଲାଟ,ଗାଡି,ଜମି,ସୁନା ଡିମାଣ୍ଡ କଥା ଆଲୋଚନା କରୁଥିବାରୁ ମୁଁ ଭାବିଲି ବୋଧେ
କିଛି ଭିଡିଓ ଥିବ ବୋଲି ସେଇ ବ୍ଲାକମେଲର ର ନାଗଫାଶରେ ଆପଣମାନେ ବି ପଡିଛନ୍ତି।”
ଦୀର୍ଘନିଶ୍ବାସ ଛାଡି ସମସ୍ତେ ଏକାସ୍ୱରରେ କହିଲେ,
-ଏ ଦାବି କଣ ନୂଆ ? ଦାବି କରୁଥିବା ଲୋକ ପାଖରେ ଆମର କୌଣସି ଭିଡ଼ିଓ ନାହିଁ,ତଥାପି ଆମକୁ ତା ଦାବି ମାନିବାକୁ ହିଁ ପଡିବ।କେଉଁ ଆବାହମାନ କାଳରୁ ଆମଭଳି ପୁରୁଷ ଏଭଳି ଦାବି ର ଶିକାର ହୋଇଆସୁଛନ୍ତି।”
ସାମ୍ବାଦିକ ଜଣଙ୍କ କୌତୁହଳୀ ହୋଇ ପ୍ରଶ୍ନ କଲେ,
-କିଏ ସେ ଲୋକ ?”
ଉଠିଯାଉ ସେମାନେ ସମସ୍ତେ ପୁଣିଥରେ ହସିଦେଇ ଏକସ୍ୱରରେ କହିଲେ,
-ଆମେ ସମସ୍ତେ ବିବାହିତ।ଘରେ ସ୍ୱାମୀ ସାମ୍ନାରେ କିଏ ଆଉ ଏଭଳି ଦାବି କରିପାରିବ ?ବ୍ଲାକମେଲ ନୁହେଁ,ବରଂ ହ୍ଵାଇଟମେଲ’ର ଶିକାର ଆମେ।”

ରଚନା: ଅରବିନ୍ଦ ଦାସ

Show More

Related Articles

Back to top button