ଓଡ଼ିଶାମୁଖ୍ୟ ଖବର

ଆସନ୍ତୁ ପଢିବା ଓ ଜାଣିବା ଓଡ଼ିଆ ନବବର୍ଷ ବିଷୟରେ

ବିଭିନ୍ନତା ମଧ୍ୟରେ ଏକତା ଭାରତବର୍ଷର ବିଶେଷତା । ବିଭିନ୍ନ ଜାତି, ଧର୍ମ, ଭାଷା, ବର୍ଣ୍ଣକୁ ନେଇ ଆମଦେଶ ସମୃଦ୍ଧ । ବର୍ଷ ଆରମ୍ଭ ଗଣନା ବିଭିନ୍ନ ପ୍ରକାରରେ ପ୍ରଚଳିତ

ଶାଳିବାହାନ ଶକାବ୍ଦ ଗଣନା ଅନୁଯାୟୀ ପ୍ରତିବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାକୁ ହିନ୍ଦୁ ନବବର୍ଷ ବା ରାଷ୍ଟ୍ରିୟ ନବବର୍ଷ ଭାବେ ପାଳନ କରାଯାଏ । ବିଭିନ୍ନ ରାଜାଙ୍କ ଶାସନକାଳକୁ ନେଇ ବର୍ଷ ଗଣନା ମଧ୍ୟ କରାଯାଇଥାଏ । ଯେପରି ଅଙ୍କ, ଶକାବ୍ଦ, ଯୁଗାବ୍ଦ, ସାଲ, ସମ୍ବତ ଇତ୍ୟାଦି । ମୁସ୍ଲିମ୍ ମାନଙ୍କର ହିଜିରା ଯାହା ଚାନ୍ଦ୍ର ମହରମ୍ ୧ଦିନ, ବୋ÷ଦ୍ଧମାନଙ୍କର ବୁଦ୍ଧ ନିର୍ବାଣାବ୍ଦ ବୈଶାଖ ପୂର୍ଣ୍ଣିମା, ଜୈନମାନଙ୍କର ମହାବୀର ନିର୍ବାଣାବ୍ଦ କାର୍ତ୍ତିକ ଶୁକ୍ଳ ପ୍ରତିପଦାରେ ଆରମ୍ଭ ହୋଇଥାଏ । ଏପରିକି ବିଭିନ୍ନ ରାଜ୍ୟରେ ମଧ୍ୟ ଭିନ୍ନ ଭିନ୍ନ ଦିବସରେ ନୂଆବର୍ଷ ପାଳନ କରାଯାଏ । ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରେ ଉଗାଡି ଯାହା ଚୈତ୍ର ଶୁକ୍ଳ ପ୍ରତିପଦାରେ ଆରମ୍ଭ ହୋଇଥାଏ । ଇଂରେଜମାନେ ଓଡିଶାକୁ ଦଖଲ କରିବାପରେ ଆମ ଓଡିଶାବାସୀ ଇଂରେଜଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡିଶାର ପ୍ରଚଳିତ ସାଲ,ଅଙ୍କ,ଶକାବ୍ଦକୁ ଛାଡି ଖ୍ରୀଷ୍ଟାବ୍ଦ ଗଣନା ଅନୁସାରେ ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସର ୧ ତାରିଖକୁ ନୂତନ ବର୍ଷ ଆରମ୍ଭ ଭାବେ ପାଳନ କରୁଛନ୍ତି ।ଜଗନ୍ନଥ ସଂସ୍କୃତି ହିଁ ଓଡିଆ ସଂସ୍କୃତି । ତେବେ ଓଡିଶାରେ ବର୍ଷ ଆରମ୍ଭ ସାଲ, ଅଙ୍କ ଓ ଶକାବ୍ଦ ପ୍ରଚଳିତ । ଶ୍ରୀକ୍ଷେତ୍ର ପୁରୀର ଗଜପତି ରାଜାଙ୍କ ସିଂହାସନ ଆରୋହଣକୁ ଅଙ୍କ ଭାବେ ଭାଦ୍ରବଶୁକ୍ଳ ଦ୍ୱାଦଶୀ ସୁନିଆଁଠାରୁ ଆରମ୍ଭ ହୋଇଥାଏ, ଯାହା ଚଳିତ ବର୍ଷ ୧୮.୯.୨୦୨୧ରୁ ଆରମ୍ଭ ହେବ । ଉକ୍ରଳୀୟ ସାଲ ମଧ୍ୟ ଏହି ସୁନିଆଁ ଦିନଠାରୁ ଆରମ୍ଭ ହୋଇଥାଏ । ମାତ୍ର ପାରମ୍ପରିକ ନିରୟଣ ସୌର ମେଷାଦି ଶକାବ୍ଦ ଅନୁଯାୟୀ ଓଡିଆ ପଞ୍ଜିକା ଗଣନାଅନୁସାରେ ଓଡିଆମାନଙ୍କର ନବବର୍ଷ ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଯେଉଁ ଦିନଠାରୁ କୋଟିକୋଟି ଓଡିଆଙ୍କର ଠାକୁର ତଥା ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ନବବର୍ଷର ପାଞ୍ଜି ପ୍ରଚଳନ ହୁଏ । ସେହି ଦିନ ଓଡିଆମାନେ ଏହାକୁ ନବବର୍ଷଭାବେ ପାଳନ କରିଥାନ୍ତି । ପରଂପରା ଅନୁଯାୟୀ ଚଳିତ ବର୍ଷ ୧୯୪୩ ଶକାବ୍ଦ ୧୪.୪.୨୦୨୧ଦିନ ଆରମ୍ଭ ହେବ ।ମଣିଷର ନୂଆ ଜିନିଷ ପ୍ରତି କେଉଁ ଆବାହମାନ କାଳରୁ ଦୁର୍ବାର ଦୁର୍ବଳତା ରହିଆସିଛି । ମଣିଷ ଜୀବନରେ ନୂତନ ଆଶାର ସଂଚାର କରିବାପାଇଁ ମଣିଷ ସର୍ବଦା ନୂଆ ନୂଆ ଜିନିଷ ଖୋଜେ । ପୁରୁଣାରେ ଥିବା ସମସ୍ୟାକୁ ଭୁଲି ନୂତନର ଆଗମନରେ ପୁଲ୍ଲକିତ ହେବା ପାଇଁ ନୂତନ ପଦାର୍ଥ ଖୋଜେ । ଏହି ମନସ୍ତତ୍ତ୍ୱକୁ ନେଇ ମଣିଷ ସୃଷ୍ଟି କରିଛି ନୂଆ ପୁରୁଣା ।ସୂର୍ଯ୍ୟଙ୍କର ଉଦୟ ଅସ୍ତ ନଥାଏ । ପୃଥିବୀ ନିଜଅକ୍ଷ ଚତୁଃପାଶ୍ୱର୍ରେ ଆବର୍ତ୍ତନଗତି ଯୋଗୁ ଦିନରାତି ହୁଏ । ଏଥିଯୋଗୁୁ ସୂର୍ଯେ୍ୟାଦୟ ଓ ସୂର୍ଯ୍ୟାସ୍ତ ପ୍ରତୀତ ହୁଏ । ସୂର୍ଯେ୍ୟାଦୟରୁ ପରବର୍ତ୍ତୀ ସୂର୍ଯେ୍ୟାଦୟ ସମୟ ଏକଦିନ ବା ପ୍ରାୟ ୨୪ ଘଣ୍ଟା । ପୃଥିବୀର ବାର୍ଷିକ ଗତି ବା ସୂର୍ଯ୍ୟଙ୍କ ଚତୁଃପାଶ୍ୱର୍ରେ ପରିକ୍ରମଣ ଯୋଗୁ ଗ୍ରୀଷ୍ମ,ବର୍ଷା,ଶୀତ ଆଦି ଋତୁ ପରିବର୍ତ୍ତନ ହୁଏ । ଏହି ପରିକ୍ରମଣ ସମୟ ପ୍ରାୟ ୩୬୫.୨୫ ଦିନ ଯାହାକୁ ଆମେ ଏକ ବର୍ଷ ବୋଲି କହୁ । ସୌରମାନ ଗଣନାନୁସାରେ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟକରାଯାଇ ବର୍ଷ ଏବଂ ମାସ ଗଣନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ କ୍ରାନ୍ତିବୃତ୍ତର ପ୍ରତ୍ୟେକ ଭାଗକୁ ଗୋଟିଏ ଗୋଟିଏ ରାଶି କୁହାଯାଏ । ଯଥା ମେଷ,ବୃଷ,ମିଥୁନ,କର୍କଟ,ସିଂହ,କନ୍ୟା,ତୁଳା, ବିଛା,ଧନୁ,ମକର, କୁମ୍ଭ ଓ ମୀନ । ଏହି ରାଶିମାନଙ୍କ ନାମରେ ୧୨ଟି ସୌରମାସ ନାମିତ ହୋଇଛି ।ସଂକ୍ରାନ୍ତି ଶବ୍ଦ ସଂସ୍କୃତ ‘ସଂକ୍ରମଣ’ ଶବ୍ଦରୁ ଆନୀତ । ରବିଙ୍କର ଗୋଟିଏ ରାଶିରୁ ଅନ୍ୟରାଶିକୁ ସଂକ୍ରମଣ ହିଁ ସଂକ୍ରାନ୍ତି । ରବି ମୀନରାଶିରୁ ମେଷରାଶିକୁ ପ୍ରବେଶ ସମୟକୁ ନୂଆବର୍ଷ ରୁପେ ଗ୍ରହଣ କରିଥାଉ । ତେବେ ଏହି ପରିକ୍ରମଣ ସମୟ ଏତେ ସୁକ୍ଷ୍ମ ଯେ ତାକୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ । ଆଖିର ଏକ ପଲକରୁ କମ୍ ସମୟ ମଧ୍ୟରେ ରବି ମୀନ ରାଶିରୁ ମେଷ ରାଶିକୁ ସଂକ୍ରମିତ ହୋଇଯାଆନ୍ତି । ଚଳିତ ବର୍ଷ ୧୯୪୩ ଶକାବ୍ଦ ପାରଂପାରିକ ମେଷ୧ଦିନ ଏପ୍ରିଲ୍ ୧୪ ତାରିଖରେ ବୁଧବାର ପଞ୍ଜିକାମାନଙ୍କରେ ପ୍ରଦତ୍ତ ସମୟ ଦିବା ୧୦ା୧୪ସମୟରେ ରବିସଂକ୍ରମିତ ହୋଇ ମେଷରାଶିକୁ ପ୍ରବେଶ କରିବେ । ଏହଦିନ ଉକ୍ରଳରେ ସୂର୍ଯେ୍ୟାଦୟରୁ ସୂର୍ଯ୍ୟାସ୍ତ ସମୟ ପର୍ଯ୍ୟନ୍ତ ସଂକ୍ରାନ୍ତିର ପୂଣ୍ୟକାଳ । ସଂକ୍ରାନ୍ତି ଚଳନର ପୂର୍ବ ଓ ପର ୧୨ ଘଣ୍ଟା ଅତ୍ୟନ୍ତ ପୂଣ୍ୟକାଳ । ଏହି ଦିନ ତୈଳ, ସ୍ତ୍ରୀ ଓ ଆମିଷ ବର୍ଜନୀୟ ।

ଏହି ଦିନଟି ବର୍ଷର ପ୍ରଥମ ଦିନ ହୋଇଥିବାରୁ ଓଡିଆ ପରିବାରରେ ଦେବାଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ଭୋଗ, ପୂଜା, ହୋମ କରି ଆଗାମୀ ବର୍ଷଟି ପରିବାରବର୍ଗ ଓ ସମାଜପାଇଁ ମଙ୍ଗଳ କାମନା କରାଯାଏ ।ମହାବିଷୁବ ସଂକ୍ରାନ୍ତି ସମୟରେ ସୂର୍ଯ୍ୟଙ୍କର କିରଣ ପ୍ରଖର ହୁଏ । ଶରୀରର ଅତ୍ୟଧିକ ତାପଶକ୍ତିକୁ ନିୟନ୍ତ୍ରଣକୁ ଆଣିବାପାଇଁ ପଣାପାନର ବ୍ୟବସ୍ଥା ଆମ ପରମ୍ପରାରେ ରହିଛି । ଏହି ଦିନ ଦେବାଦେବୀ ମନ୍ଦିରରେ ଛତୁଆ ଓ ପଣାପାନର ବିଧି ରହିଛି । ଏଣୁ ଏହି ସଂକ୍ରାନ୍ତିକୁ ପଣାସଂକ୍ରାନ୍ତି କୁହାଯାଏ । ଏହିଦିନ ହନୁମାନଙ୍କ ଜୟନ୍ତୀ ପାଳନ କରାଯାଏ । ଏହାଛଡା ଦେହକୁ ସୂର୍ଯ୍ୟତାପରୁ ରକ୍ଷା କରିବାପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଏହି ସମୟରେ କୂଅ, ନଦୀ ପୋଖରୀ ଶୁଖିଯାଏ । ଏଥିପାଇଁ ଜଳଦାନ ଅତି ପୁଣ୍ୟ କାର୍ଯ୍ୟଭାବରେ ଗ୍ରହଣ କରାଯାଇଥାଏ । ଏହିଦିନ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଏ । ଝାମୁଯାତ୍ରା, ପାଟୁଆ ନାଚ, ଦଣ୍ଡନାଚ ଆଦି କରାଯାଇଥାଏ । ଦରିଦ୍ର ବ୍ରାହ୍ମଣମାନଙ୍କୁ ଟଙ୍କା ସହିତ ବସ୍ତ୍ର, ଛତା, ବିଞ୍ଚଣା ଓ କଠଉ ମଧ୍ୟ ଦାନ କରାଯାଇଥାଏ । ବାଟୋଇମାନଙ୍କ ପାଇଁ ଅବଢାପାଣିର ଜଳଛତ୍ରର ବ୍ୟବସ୍ଥା କରାଯାଇଥାଏଚଉରା ଉପରେ ନଡିଆପତ୍ରରେ ଏକ ଛାମୁଡିଆ ବାନ୍ଧି ସେଥିରେ ବସନ୍ତରା ଘଡିରେ ଜଳରଖି ତା’ର ନିମ୍ନଅଂଶରେ ଏକ ସରୁ ଛିଦ୍ର କରାଯାଇ ସୁକ୍ଷ୍ମ ଧାରରେ ତୁଳସୀ ଗଛଉପରକୁ ଜଳ ପ୍ରଦାନ କରାଯାଏ । ଏହି କାର୍ଯ୍ୟ ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ସଂପୂର୍ଣ୍ଣ ଏକ ମାସ ଚାଲିଥାଏ । ମହାବିଷୁବ ସଂକ୍ରାନ୍ତିରେ ଏପରି ଠେକିବସା ବସାଯାଉଥିବାରୁ ଏହାକୁ ଠେକିବସା ସଂକ୍ରାନ୍ତି ଓ ତା’ପରବର୍ତ୍ତୀ ବୃଷ ସଂକ୍ରାନ୍ତିକୁ ଠେକିଉଠା ସଂକ୍ରାନ୍ତି କୁହାଯାଏ ।ଆମର ସଂସ୍କୃତି ଓ ପରମ୍ପରା ଅତି ଶୃଙ୍ଖଳିତ । ଆମ ସଂସ୍କୃତିରେ ପର୍ବ ପାଳନ କରାଯାଏ ଜୀବେ ଦୟାକରି, ଜୀବହତ୍ୟା କରିନୁହେଁ । ସନାତନ ସଂସ୍କୃତି କହେ ଜୀବହତ୍ୟା ମହାପାପ । ଆମର ସମସ୍ତ ପର୍ବପର୍ବାଣି ବିଜ୍ଞାନ ଆଧାରିତ । ଶରୀରକୁ ସୁସ୍ଥ, ଶୃଙ୍ଖଳିତ ଓ ସୁଖମୟ ରଖିବା ହେଉଛି ଏହାର ମୂଳ ଉଦେ୍ଦଶ୍ୟ ।

Show More

Related Articles

Back to top button