ଦେଶ ବିଦେଶ

ଆସନ୍ତୁ ଜାଣିବା ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ବଂଶ ପରମ୍ପରା ବିଷୟରେ

ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ଆଧ୍ୟାତ୍ମିକ ଜୀବନ ଓ ତାଙ୍କର ବଚନ ରକ୍ଷାର ପ୍ରତିଶ୍ରୁତି ଚିରକାଳ ପାଇଁ ଅମର ହୋଇ ରହିଯାଇଛି । ବର୍ତ୍ତମାନ ସମୟରେ ପ୍ରଭୁ ଶ୍ରୀରାମଙ୍କ ବଂଶ ପରମ୍ପରାକୁ ନେଇ ଅନେକ ଶ୍ରୀରାମଙ୍କ ଆଶି୍ରତ ଓ ଭକ୍ତମାନଙ୍କ ଭିତରେ କିଛି ଜାଣିବା ପାଇଁ ଆଗ୍ରହ ବଢ଼ୁଛି । ଭାରତର ସନାତନ ସଂସ୍କୃତିର ମହାନ ପରମ୍ପରା ପ୍ରଭୁ ଶ୍ରୀରାମଙ୍କ ବଂଶକୁ ନେଇ ଗର୍ବ ଅନୁଭବ କରିଛି

ଭଗବାନ ରାମଚନ୍ଦ୍ର ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର । ଆସନ୍ତୁ ଜାଣିବା ପ୍ରଭୁ ଶ୍ରୀରାମଙ୍କ ବଂଶଜଙ୍କ ବିଷୟରେ । ରାମାୟଣର ବାଳକାଣ୍ଡରେ ଗୁରୁ ବଶିଷ୍ଠଙ୍କ ଦ୍ୱାରା ଶ୍ରୀରାମଙ୍କ ବଂଶ ବିଷୟରେ ବର୍ଣ୍ଣନା ରହିଛି । ବ୍ରହ୍ମାଙ୍କ ଠାରୁ ମରିଚିଙ୍କ ଜନ୍ମ ହୋଇଥିଲା । ମରିଚିଙ୍କ ପୁତ୍ର ଥିଲେ କଶ୍ୟପ । କଶ୍ୟପଙ୍କ ଠାରୁ ବିବସ୍ୱାନ ଏବଂ ବିବସ୍ୱାନଙ୍କ ଠାରୁ ବୈବସ୍ୱତମନୁ ଥିଲେ ।

ବୈବସ୍ୱତ ମନୁଙ୍କ ସମୟରେ ଜଳ ପ୍ରଳୟ ହୋଇଥିଲା । ବୈବସ୍ୱତ ମନୁଙ୍କ ଦଶ ପୁତ୍ର ଥିଲେ – ଈଲ, ଇକ୍ଷାକୁ, କୁଶନାମ, ଅରିଷ୍ଟ, ଧୂଷ୍ଟ, ନରୀଷ୍ୟନ୍ତ, କରୁଷ, ମହାବଳୀ, ଶର୍ଯ୍ୟାତି ଏବଂ ପୁଷଧ । ରାମଙ୍କ ଜନ୍ମ ମନୁଙ୍କ ଦ୍ୱିତୀୟ ପୁତ୍ର ଈକ୍ଷାକୁଙ୍କ କୂଳରେ ହୋଇଥିଲା । ଈକ୍ଷାକୁଙ୍କ ଠାରୁ ବିକୃକ୍ଷୀ, ନିମି ଏବଂ ଦଣ୍ଡକ ନାମକ ତିନି ପୁତ୍ର ଉତ୍ପନ୍ନ ହେଲେ । ଏହିପରି ବଂଶ ପରମ୍ପରା ଚାଲି ଚାଲି ଈକ୍ଷାକୁ ବଂଶରେ ହରିଶ୍ଚନ୍ଦ୍ର, ରୋହିତ, ବୃଷ, ବାହୁ ଏବଂ ସଗର ଜନ୍ମ ନେଲେ । ଈକ୍ଷାକୁ ଥିଲେ ପ୍ରାଚୀନ ରାଜ୍ୟ କୌଶଳର ରାଜା । ଏହି ରାଜ୍ୟର ରାଜଧାନୀ ଥିଲା ଅଯୋଧ୍ୟା । ଈକ୍ଷାକୁଙ୍କ ପୁତ୍ର କୁକ୍ଷୀଙ୍କ ଠାରୁ ବିକୁକ୍ଷୀ ଜନ୍ମ ନେଲେ । ବିକୁକ୍ଷୀଙ୍କ ପୁତ୍ର ବାଣ ଏବଂ ବାଣଙ୍କ ପୁତ୍ର ରୂପେ ଅନରଣ ଜନ୍ମ ନେଲେ । ଅନରଣଙ୍କ ଠାରୁ ପୃଥୁ ଏବଂ ପୃଥୁଙ୍କ ଠାରୁ ତ୍ରିଶଙ୍କୁ ଜନ୍ମ ନେଲେ । ତ୍ରିଶଙ୍କୁଙ୍କ ପୁତ୍ର ଧୁନ୍ଧୁମାର ଜନ୍ମନେଲେ । ଧୁନ୍ଧୁମାରଙ୍କ ପୁତ୍ରଙ୍କ ନାମ ଯୁବନାଶ୍ୱ ଥିଲା । ଯୁବନାଶ୍ୱଙ୍କ ପୁତ୍ର ଥିଲେ ମାନ୍ଧାତା । ମାନ୍ଧାତାଙ୍କ ପୁତ୍ର ରୂପେ ଜନ୍ମ ନେଲେ ସୁସନ୍ଧି । ସୁସନ୍ଧିଙ୍କ ଦୁଇ ପୁତ୍ର ଥିଲେ ଧୂବସନ୍ଧୀ ଏବଂ ପ୍ରସେନ୍ଜିତ୍ । ଧ୍ରୁବସନ୍ଧିଙ୍କ ପୁତ୍ର ଥିଲେ ଭରତ ।

ଭରତଙ୍କ ପୁତ୍ର ଅସିତ୍ ଏବଂ ଅସିତଙ୍କ ପୁତ୍ର ଥିଲେ ସଗର । ସଗର ଅଯୋଧ୍ୟାର ପ୍ରବଳ ପ୍ରତାପୀ ରାଜା ଥିଲେ । ସଗରଙ୍କ ପୁତ୍ରଙ୍କ ନାମ ଥିଲା ଅସମଞ୍ଜ । ଅସମଞ୍ଜଙ୍କ ପୁତ୍ର ଅଂଶୁମାନ ତଥା ଅଂଶୁମାନଙ୍କ ପୁତ୍ର ଥିଲେ ଦିଲ୍ଲୀପ । ଦିଲ୍ଲୀପଙ୍କ ପୁତ୍ର ଥିଲେ ଭଗୀରଥ । ଭଗୀରଥ ହିଁ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ । ଭଗୀରଥଙ୍କ ପୁତ୍ର ରୂପେ ଜନ୍ମ ନେଲେ କକୁତ୍ସ୍ଥ ଏବଂ କକୁତସ୍ଥଙ୍କ ପୁତ୍ର ହେଲେ ରଘୁ । ରଘୁ ଅତ୍ୟନ୍ତ ତେଜସ୍ୱୀ ଏବଂ ପରାକ୍ରମୀ ନରେଶ ଥିଲେ । ଫଳରେ ତାଙ୍କ ପରେ ଏହି ବଂଶର ନାମ ରଘୁବଂଶ ହୋଇଗଲା । ସେଥିପାଇଁ ରାମଙ୍କ ବଂଶ ରଘୁବଂଶ ନାମରେ ଖ୍ୟାତ ହେଲା । ରଘୁଙ୍କ ପୁତ୍ର ଥିଲେ ପ୍ରବୁଦ୍ଧ । ତାଙ୍କ ପୁତ୍ର ଶଙ୍ଖଣ ଏବଂ ଶଙ୍ଖଣଙ୍କ ପୁତ୍ର ଥିଲେ ସୁଦର୍ଶନ ।

ସୁଦର୍ଶନଙ୍କ ପୁତ୍ର ଥିଲେ ଅଗ୍ନିବର୍ଣ୍ଣ । ଅଗ୍ନିବର୍ଣ୍ଣଙ୍କ ପୁତ୍ର ଶ୍ରୀଘ୍ରଗ ଏବଂ ତାଙ୍କ ପୁତ୍ର ଥିଲେ ମରୁ । ମରୁଙ୍କ ପୁତ୍ର ପଶୁଶୁକ୍ତ ଏବଂ ତାଙ୍କ ପୁତ୍ର ରୂପେ ଅମ୍ବରୀଶ ଜନ୍ମ ନେଲେ । ଅମ୍ବରୀଶଙ୍କ ପୁତ୍ର ଥିଲେ ନହୁଷ । ନହୁଷଙ୍କ ପୁତ୍ର ଥିଲେ ଯଯାତୀ ଏବଂ ତାଙ୍କ ପୁତ୍ର ଥିଲେ ନାଭାଗ । ନାଭାଗଙ୍କ ପୁତ୍ର ଥିଲା ଅଜ । ଅଜଙ୍କ ପୁତ୍ର ଥିଲେ ଦଶରଥ । ଦଶରଥଙ୍କ ଚାରିପୁତ୍ର ଥିଲେ ବିଷ୍ଣୁ ଅବତାର ପ୍ରଭୁ ଶ୍ରୀରାମ, ଭାରତ, ଲକ୍ଷ୍ମଣ ଏବଂ ଶତ୍ରୁଘ୍ନ । ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ବଂଶାବଳୀର ପରିଚୟ ଆଜିର କଳିଯୁଗର ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଆଦର୍ଶ, ପ୍ରେରଣାର ଆଲୋକବର୍ତ୍ତିକା ହୋଇପାରିଛି ।

Show More

Related Articles

Back to top button