ଖେଳମୁଖ୍ୟ ଖବରସ୍ୱତନ୍ତ୍ର

ରାହୁଲ ଡ୍ରାଭିଡଙ୍କ ବଦଳରେ ଭାରତୀୟ ଟିମ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବେ ଲକ୍ଷ୍ମଣ

ମୁମ୍ବାଇ: ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳିଥିବା ଡ୍ରାଭିଡ ଅଷ୍ଟ୍ରେଲିଆରୁ ସିଧା ଭାରତକୁ ଫେରିବେ। ତାଙ୍କ ବଦଳରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଟିମ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବେ। ସେ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଟିମର କାମଚଳା ମୁଖ୍ୟ କୋଚ ଦାୟିତ୍ୱରେ ରହିବେ। ନଭେମ୍ବର ୧୮ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଟି-୨୦ ଓ ସମାନ ସଂଖ୍ୟକ ୩ ଦିନିକିଆ ମ୍ୟାଚ ଖେଳାଯିବ। ୱେଲିଙ୍ଗଟନ୍‌ରୁ ଏହି ସୀମିତ ଓଭର ସିରିଜ ଆରମ୍ଭ ହେବ।

ନ୍ୟୁଜିଲ୍ୟାଣ୍ଡ ଟୁରରେ ରୋହିତ ଶର୍ମା, ବିରାଟ କୋହଲି, ଓପନର କେଏଲ ରାହୁଲ ଓ ରବି ଚନ୍ଦ୍ରନ ଅଶ୍ୱିନ ଯିବେନାହିଁ। ଏମାନଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଏବେ ରାହୁଲ ଡ୍ରାଭିଡ୍‌ଙ୍କ ସହ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍‌ ଓ ବୋଲିଂ କୋଚ୍‌ଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟୁରରେ ବିସିସିଆଇ ଛାଡ଼ିବ ନାହିଁ।

ଲକ୍ଷ୍ମଣ ମୁଖ୍ୟ କୋଚ୍‌ ଭାବେ ଦଳ ସହ ଯିବାକୁ ଥିବା ବେଳେ ହୃଷିକେଶ କାନିତକର ବ୍ୟାଟିଂ କୋଚ ଓ ସାଇରାଜ ବାହୁତୁଲେ ବୋଲିଂ କୋଚ ଭାବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।

ଲକ୍ଷ୍ମଣ ପ୍ରଥମଥର ପାଇଁ ଭାରତୀୟ ଟିମର କାମଚଳା କୋଚ ବନି ନାହାନ୍ତି। ପୂର୍ବରୁ ସେ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ଭାରତର କୋଚ ସାଜିଥିଲେ। ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ମଧ୍ୟ ମୁଖ୍ୟ କୋଚ୍‌ ଭାବେ ଲକ୍ଷ୍ମଣଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେ ପୁଣିଥରେ ଭାରତୀୟ ଟିମର କୋଚ ସାଜିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତୀୟ ଟିମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ। ସେହିପରି ଶିଖର ଧୱନ ଦିନିକିଆରେ ଦଳର କମାଣ ସମ୍ଭାଳିବେ। ଡିସେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌କୁ ବିରାଟ, ରୋହିତ ଓ ଅଶ୍ୱିନ ଫେରିବେ।

Show More

Related Articles

Back to top button