ଜୀବନଚର୍ଯ୍ୟା

ବିଳମ୍ବିତ ବିବାହରେ ସମସ୍ୟା

ଆସନ୍ତୁ ଜାଣିବା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର କାନ୍ତୀ ନାୟକ କଣ କହୁଛନ୍ତି

ଫିଗୋ (ଦି କାଉନ୍ସିଲ ଅଫ୍ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଅବଷ୍ଟ୍ରେଟିକ୍ସ ଆଣ୍ଡ ଗାଇନୋଲୋଜି) ଅନୁଯାୟୀ ୩୫ ବର୍ଷରୁ ବେଶୀ ବୟସର ପ୍ରଥମ ଗର୍ଭଧାରଣକୁ ବୟସ୍କା ପ୍ରଥମାଗର୍ଭା ବୋଲି କୁହାଯାଇଥାଏ । ନିଜ ପ୍ରଜନନ ସମୟ ସୀମା ଶେଷ ପର୍ଯ୍ୟାୟରେ ଗର୍ଭଧାରଣର ଗୁରୁତର ଜଟିଳତା ସହିତ ବୟସର ଯେଉଁ ସାଧାରଣ ଜଟିଳତାକୁ ସାମ୍ନା କରିଥାନ୍ତି ସେଗୁଡ଼ିକ ହେଉଛି – ରକ୍ତଚାପ, ମଧୁମେହ ରୋଗ, ହୃଦ୍ରୋଗ, ବୃକକ୍ଜନିତ ଓ ଭେଷଜନିତ ରୋଗ ।

ଏହାଛଡ଼ା ବେଶୀ ବୟସରେ ଗର୍ଭ ଧାରଣ କଲାପରେ ଜନ୍ମଗତ ବିକଳାଙ୍ଗତା, ଯମଜଗର୍ଭ, ଅପରିପକ୍ୱ ପ୍ରସବ ଓ ସାଧାରଣ ଉପସ୍ଥାନ ଭଳି ସମସ୍ୟା ଆଦି ଦେଖାଦେଇଥାଏ । ଏହିଭଳି ସମସ୍ୟା ଦେଖାଦେଇଥିବା ମହିଳା ମାନଙ୍କର ସାଧାରଣ ପ୍ରସବ ନହୋଇ ସିଜରିଆନ୍ ଅପରେସନ ଦ୍ୱାରା ପ୍ରସବ ହୋଇଥାଏ । ଏହି କାରଣରୁ ମଧ୍ୟ ଶିଶୁ ଓ ମାତୃ ମୃତୁ୍ୟହାର ଅଧିକ ଦେଖିବାକୁ ମିଳିଥାଏ ।

ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ୩୫ରୁ ୪୯ ବର୍ଷ ବୟସରେ ପ୍ରଥମ ଗର୍ଭଧାରଣ ଶତକଡ଼ା ୮.୬ ଥିବାବେଳେ ପ୍ରଥମ ବିଳମ୍ବିତ ଗର୍ଭଧାରଣ ହାର ଆଉ ୨.୪ରୁ ୩.୪ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ୩୫ ବୟସ ବା ତଦୁଦ୍ଧ୍ୱର୍ ବୟସରେ ମାତୃତ୍ୱ ଲାଭ କରୁଥିବା ମା’ ଓ ଶିଶୁଙ୍କ ପାଇଁ ଏଭଳି ଗର୍ଭଧାରଣ ବିପଜ୍ଜନକ ପରିଲକ୍ଷିତ ହୋଇଥାଏ । ଏହାକୁ ହାଇରିସ୍କ ପ୍ରେଗ୍ନାନ୍ସି ବୋଲି କୁହାଯାଏ । ନିକଟରେ ଏକ ଚମକପ୍ରଦ ଖବର ଶୁଣିବାକୁ ମିଳିଥିଲା ଯେ, ମାସିକ ଋତୁସ୍ରାବର ବିରତି ପରେ ମଧ୍ୟ ୬୫ ବର୍ଷ ବୟସରେ ଜଣେ ମହିଳା ଗର୍ଭଧାରଣ କରିବାରେ ସକ୍ଷମ ହୋଇଛନ୍ତି । ଆଣ୍ଡ୍ରୋପଜ୍ ପରେ ମଧ୍ୟ ପୁରୁଷମାନେ ୮୦ ବର୍ଷ ବୟସରେ ପିତୃତ୍ୱ ଲାଭ କରିପାରୁଛନ୍ତି । ବୟସ୍କା ମହିଳାମାନଙ୍କ ମଧ୍ୟରୁ କେତେଜଣ ଅଭାବନୀୟ ପରିସ୍ଥିତିରେ ଗର୍ଭଧାରଣ କଲାବେଳେ ଆଉ କିଛି ବର୍ଷ ବର୍ଷ ଧରି ବନ୍ଧ୍ୟା ରହିବା ପରେ ଗର୍ଭଧାରଣ କରିଥାନ୍ତି ଏବଂ ଅବଶିଷ୍ଟ ମହିଳା ନିଜ ଠାରୁ କମ୍ ବୟସର ମହିଳାଙ୍କ ଠାରୁ ଡିମ୍ବ ନେଇ ଗର୍ଭଧାରଣ କରିଥାନ୍ତି ।
ବିଳମ୍ବିତ ବିବାହରେ ସମସ୍ୟା :

ବନ୍ଧ୍ୟାଦୋଷ : ବୟସ ବଢ଼ିବା ସହିତ ଗର୍ଭଧାରଣ କରିବା ଶକ୍ତି କମି ଯାଏ, କାରଣ ବୟସ୍କା ମହିଳା ମାନଙ୍କର ଡିମ୍ବ କୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ ।

ଗର୍ଭପାତ : ବୟସ୍କା ମହିଳା ମାନଙ୍କ ଡିମ୍ବରେ ଜନ୍ମଗତ ବିକଳାଙ୍ଗତା କ୍ରୋମୋଜୋମାଲ ଆନୋମାଲି ଥିବାରୁ ବେଶି ଗର୍ଭନଷ୍ଟ ହୁଏ । ଏମାନଙ୍କର ଜରାୟୁ ଝିଲ୍ଲୀ ବିକଶିତ ହୋଇନଥିବାରୁ ଗର୍ଭପାତ ୬ଗୁଣ ଅଧିକା ହୋଇଥାଏ ।
ଶିଶୁ ବିକଳାଙ୍ଗତା : ୩୫ ବର୍ଷରୁ ଅଧିକ ବୟସ୍କା ମହିଳା ମାନଙ୍କର ମଲାଶିଶୁ ଜନ୍ମ ହେବାର ଆଶଙ୍କା ଅଧିକ ଦେଖାଦେଇଥାଏ ।
ଉଚ୍ଚ ରକ୍ତଚାପ : ବୟସ ବଢ଼ିବା ସହିତ ଉଚ୍ଚ ରକ୍ତଚାପ ଦେଖାଦେଇଥାଏ । ଯାହାଫଳରେ ବିଳମ୍ବରେ ବିବାହ କରୁଥିବା ମହିଳା ଅଧିକ ରକ୍ତଚାପର ସମ୍ମୁଖୀନ ହୋଇଥାନ୍ତି ।
ଜରାୟୁ ଅର୍ବୁଦ୍ ଫାଇବ୍ରଏଡ଼୍ : ଶତକଡ଼ା ୧୦ ଭାଗ ବୟସ୍କା ମହିଳାଙ୍କୁ ଏହି ରୋଗ ହୋଇଥାଏ । ଏହାଦ୍ୱାରା ଗର୍ଭପାତ ଓ ଅପରିଣତ ପ୍ରସବ ଆଦି ହୋଇଥାଏ ।

ମଧୁମେହ : ଅଧିକ ବୟସରେ ବିବାହ କରୁଥିବା ଶତକଡ଼ା ୧୦ ଭାଗ ମହିଳାଙ୍କ ଠାରେ ମଧୁମେହ ରୋଗ ଦେଖାଦେଇଥାଏ । ଏହାଦ୍ୱାରା ଗର୍ଭରେ ଶିଶୁ ମୃତୁ୍ୟ, ପ୍ରସବ ପରେ ଶିଶୁର ଅସୁବିଧା ଆଦି ଦେଖିବାକୁ ମିଳିଥାଏ ।

ଅପରିଣତ ପ୍ରସବ : ବିଳମ୍ବରେ ଗର୍ଭଧାରଣ କଲେ ଅପରିଣତ ପ୍ରସବର ଜଟିଳତା ପ୍ରାୟ ୨ଗୁଣ ବଢ଼ିଯାଏ । ଶତକଡ଼ା ୧୦-୧୮ ଭାଗ ଶିଶୁ ଅପରିଣତ ବୟସରେ ଜନ୍ମଗ୍ରହଣ କରିବାରୁ ଶିଶୁ ମୃତୁ୍ୟହାର ଅଧିକ ଦେଖିବାକୁ ମିଳିଥାଏ । ଏତଦ୍ଭିନ୍ନ ଅଧିକ ବୟସରେ ଗର୍ଭଧାରଣ କରୁଥିବା ମହିଳାଙ୍କର ପ୍ରସବ ପୂର୍ବରୁ ପାଣିଥଳୀ ଫାଟିଯାଏ, ଯାହାଦ୍ୱାରା କି ସଂକ୍ରମଣଜନିତ ସମସ୍ୟା ପରିଲକ୍ଷିତ ହୋଇଥାଏ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସ୍ତ୍ରୀ ଓ ପ୍ରସୂତୀ ସମ୍ବନ୍ଧୀୟ ସମସ୍ତ ପ୍ରକାର ସୁବିଧା କେବଳ ସହରାଞ୍ଚଳନୁହେଁ ଗ୍ରାମାଞ୍ଚଳ ଠାରୁ ସବୁଜବନାନୀରେ ଥିବା ସ୍ତ୍ରୀ ଲୋକଟି ପାଇଁ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button