Breaking PLUSଓଡ଼ିଶାମୁଖ୍ୟ ଖବର

ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଆସନ୍ତା ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ଉତ୍ସବ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଟିଡିସି ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ଗୁରୁବାର କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

କୋଭିଡ ଗାଇଡଲାଇନ ଅନୁଯାୟୀ ଏହି ଉତ୍ସବ ଆୟୋଜିତ ହେବ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଓଡ଼ିଶୀ, କଥକ, ସତ୍ରୀୟା, ମୋହିନୀଆଟ୍ଟମ, ଭାରତନାଟ୍ୟମ ଓ କୁଚିପୁଡ଼ି ନୃତ୍ୟ ପ୍ରଦର୍ଶିତ ହେବ । ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିବ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ମାଧବୀ ମୁଦଗଲଙ୍କ ଓଡିଶୀ ନୃତ୍ୟ । ସେହିଭଳି ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ହେବ । ଦୂରଦର୍ଶନ, ଓଡ଼ିଶା ଟୁରିଜିମ ସୋସିଆଲ ମିଡିଆ ପେଜ୍‌, ଫେସବୁକ, ୟୁଟ୍ୟୁବରେ କୋଣାର୍କ ଉତ୍ସବର ସିଧା ପ୍ରାସାରଣ ବ୍ୟବସ୍ଥା ହୋଇଛି ।

ମାସ୍କ ଓ ସାମାଜିକ ଦୂରତାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବାବେଳେ ପୂର୍ବ ବର୍ଷ ଭଳି ଏଥର ବି ମୀନାବଜାର ଓ ଯାତ୍ରାକୁ ବାତିଲ କରିଦିଆଯାଇଛି । ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ସାହିତ୍ୟ ଉତ୍ସବ, ଚିତ୍ରକଳା ଶିବିର, ବେଳାଭୂମି ପଦଯାତ୍ରା, ମିନି ସାଇକ୍ଲୋଥନ, ଗଣଦୌଡ଼ ଓ ପୁସ୍ତକ ମେଳା ଆୟୋଜିତ ହେବ । ପର୍ଯ୍ୟଟନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଅତିରିକ୍ତ ସଚିବ ରୀନା ମହାପାତ୍ର, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

Show More

Related Articles

Back to top button