ଓଡ଼ିଶାପାଣିପାଗ

ହାଡଭଙ୍ଗା ଶୀତରେ ଥରୁଛି କେନ୍ଦୁଝର ଜିଲ୍ଲା

୧୦ ଡିଗ୍ରୀ ତଳେ ପାରଦ

କେନ୍ଦୁଝର ଜିଲ୍ଲାର ଯୋଡ଼ା, ବଡ଼ବିଲ, କିରିବୁରୁ ଓ ଏହାର ଆଖ ପାଖ ଅଂଚଳରେ ଗତ ୩ ଦିନ ହେଲା ଶୀତର ପ୍ରୋକପ ବୃଦ୍ଧି ପାଇଛି । ବିଶେଷ କରି ପାହାଡ଼ ଓ ଜଙ୍ଗଲ ଘେରା ଅଂଚଳରେ ଅଧିକ ଜାଡ଼ ଅନୁଭୂତ ହେଉଛି । ଆଜି ବଡ଼ବିଲରେ ପାରଦ ୧୦ ଡିଗ୍ରିକୁ ଖସିଆସିଛି । ପ୍ରବଳ ଶୀତ ଅନୁଭୂତ ହେବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ହାଡ଼ଭଙ୍ଗା ଶୀତ, ସାଧାରଣ ଜୀବନ ଯାପନକୁ ପ୍ରଭାବିତ କରିଛି । ସଂଧ୍ୟା ୮ଟା ପରେ ସହର ସହରର ରାସ୍ତାଘାଟ ଜନଶୂନ୍ୟ ହୋଇ ପଡ଼ୁଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଥିବା ବେଳେ, ବୁଲା ଗାଈ ଗୋରୁ ମଧ୍ୟ ଟିକିଏ ଗରମ ପାଇବା ପାଇଁ ନିଆଁ ପାଖକୁ ଚାଲିଯାଇ ଆସ୍ୱସ୍ତି ଲାଭ କରୁଛନ୍ତି ।

ତେବେ ଶୀତ ଋତୁରେ ଚା’ ଦୋକାନୀଙ୍କ ବେପାର ବେଶ୍ ଜମୁଛି । ଥଣ୍ଡା ଦାଉରୁ ଉପଶମ ପାଇବା ପାଇଁ ଲୋକେ ଚା’ ଦୋକାନରେ ଭିଡ଼ ଜମାଉଛନ୍ତି । ଶୀତ ଋତୁରେ ନିଜକୁ ଫିଟ୍ ରଖିବା ପାଇଁ ଅନେକ ଲୋକ ମର୍ଣ୍ଣିଂ ୱାକ୍‌, ଜଗିଂ ମଧ୍ୟ କରୁଛନ୍ତି । ସକାଳ ୭ଟା ସୁଦ୍ଧା ଖରା ପଡ଼ିଲେ ମଧ୍ୟ ଶୀତ କମିବାର ନାଁ ନାହିଁ । ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଗରୀବ ଗୁରୁବା ଓ ବୟସ୍କ ବ୍ୟକ୍ତି । ପ୍ରଚଣ୍ଡ ଥଣ୍ଡା ସତ୍ୱେ ନିଜର ପେଟପାଟଣା ପାଇଁ ଲୋକେ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି । ଆଗକୁ ଶୀତ ଆହୁରି ବଢ଼ିବ, ଏମିତିରେ ହାଡ଼ଭଙ୍ଗା ଶୀତକୁ ସହିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ବାଟ ନାହିଁ ।

Show More

Related Articles

Back to top button