Breaking PLUSଓଡ଼ିଶାମୁଖ୍ୟ ଖବର

କଳାହାଣ୍ଡିକୁ ମିଳିଛି ୫୭୦ କୋଟି ଅନୁଦାନ: ପାଣ୍ଡିଆନ

ଭବାନୀପାଟଣା: ଗତ ୭ ମାସ ମଧ୍ୟରେ କଳାହାଣ୍ଡିରୁ ପ୍ରାୟ ୨୦୦୦ ଦରଖାସ୍ତ ମିଳିଥିବା ବେଳେ ସେଥିମଧ୍ୟରୁ ୧୮୦୦ ଦରଖାସ୍ତ ମଞ୍ଜୁର ହେଇଛି। ବିଭିନ୍ନ କାରଣରୁ ପ୍ରାୟ ୨୦୦ ଦରଖାସ୍ତ ଅଟକି ରହିଛି। ଏହି ୭ ମାସ ମଧ୍ୟରେ କଳାହାଣ୍ଡିକୁ ପ୍ରାୟ ୫୭୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଇଛି ବୋଲି ଶୁକ୍ରବାର ଭବାନୀପାଟଣାସ୍ଥିତ ଶ୍ରୀକୃଷ୍ଣ ନଗରରେ ଆୟୋଜିତ ଏକ ସାଧାରଣ ସଭାରେ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟ ପଣ୍ଡିଆନ କହିଛନ୍ତି। ଜିଲ୍ଲାର କଲେଜଗୁଡ଼ିକର ରୂପାନ୍ତରିକରଣ ପାଇଁ ୨୭ କୋଟି ଟଙ୍କା, ବେଲଖଣ୍ଡି ଶୈବପୀଠ ଏବଂ ମାଁ ଲଙ୍କେଶ୍ଵରୀ ମନ୍ଦିର ପାଇଁ ୨.୫୦ କୋଟି, ମାଁ ଭଣ୍ଡରଘରଣି ମନ୍ଦିର ପାଇଁ ୧.୦୯ କୋଟି, ବୁଢ଼ାରଜା ମନ୍ଦିର ପାଇଁ ୭୫ ଲକ୍ଷ , ଆଶା ସାଗର ର ଉନ୍ନତିକରଣ ପାଇଁ ୬.୪୦ କୋଟି, ପିପଲନାଲା ପାଇଁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା, ବିଭିନ୍ନ ରାସ୍ତା ଘାଟ ପୋଲ ପାଇଁ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ଦିଆଯାଇଥିବା ଏହି ସଭାରେ ପାଣ୍ଡିଆନ କହିଥିଲେ। ତେବେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରୁ ଗୋଟିଏ ପ୍ରକଳ୍ପ ମଞ୍ଜୁର ହେବ ବୋଲି କହି ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚର ଉନ୍ନତିକରଣ ହେବ ବୋଲି ଆଶ୍ଵାସନା ଦେଇଥିଲେ ପଣ୍ଡିଆନ।

ମୁଖ୍ୟମନ୍ତ୍ରୀ କଳାହାଣ୍ଡିକୁ ଖୁବ୍ ଭଲ ପାଆନ୍ତି। ଏଣୁ କଳାହାଣ୍ଡିର ସାମଗ୍ରିକ ବିକାଶକୁ ସେ ପ୍ରାଧାନ୍ୟ ଦିଅନ୍ତି ବୋଲି ପାଣ୍ଡିଆନ କହିଥିଲେ। ସମଗ୍ର ରାଜ୍ୟରେ ଚାଷୀଙ୍କ ସର୍ବୋତ୍ତମ ରୂପାନ୍ତରୀକରଣ କଳାହାଣ୍ଡିରେ ହିଁ ହୋଇଛି ବୋଲି ସେ କହିଛନ୍ତି। ୨୦୦୨ ମସିହା ରେ କଳାହାଣ୍ଡିରେ କାମ କଲାବେଳେ ଗାଁଗୁଡ଼ିକର ଚିତ୍ରକୁ ସେ ମନେପକାଇ ଆଜି ର ରୂପାନ୍ତରିକରଣ ସହିତ ତୁଳନା କରିଥିଲେ। ସଭାରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳୀୟ ପର୍ଯ୍ୟବେକ୍ଷକ ପ୍ରଣବ କୁମାର ବଳବନ୍ତରାୟ, ସାଂସଦ ସୁଜିତ୍ କୁମାର, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ଭୂପିନ୍ଦର ସିଂ, ପ୍ରଦୀପ ଦିସାରୀ, ମୌଶଧି ବାଗ, ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ବହୁ ଦଳୀୟ ନେତୃବର୍ଗ ଯୋଗ ଦେଇଥିଲେ।

Show More

Related Articles

Back to top button