
ନୂଆଦିଲ୍ଲୀ: ଆତ୍ମହତ୍ୟା କରିଛନ୍ତି ସିବିଆଇର ଡେପୁଟି ଆଇନ ପରାମର୍ଶଦାତା ଜିତେନ୍ଦ୍ର କୁମାର। ସେ ଦକ୍ଷିଣ ଦିଲ୍ଲୀର ଡିଫେନ୍ସ କଲୋନୀ ଅଞ୍ଚଳରେ ଥିବା ହୁଡକୋରେ ରହୁଥିଲେ। ୪୮ ବର୍ଷୀୟ ଜିତେନ୍ଦ୍ର କୁମାରଙ୍କୁ କେନ୍ଦ୍ର ସରକାର ଗୋଟିଏ ଫ୍ଲାଟ ଦେଇଥିଲେ। ସେ ଏକାକୀ ଏଠାରେ ରହୁଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ହିମାଚଳ ପ୍ରଦେଶରେ ମଣ୍ଡିରେ ରୁହନ୍ତି। ଜିତେନ୍ଦ୍ର କୁମାର ଫ୍ଲାଟର ବାଲକୋନୀରେ ବେକରେ ବେଲ୍ଟ ଲଗାଇ ଝୁଲିଥିବା ଖବର ପାଇ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥିସହ ତାଙ୍କୁ ତୁରନ୍ତ ସେହି ଅବସ୍ଥାରୁ କାଢ଼ି ତାର ତଦନ୍ତ ଆରମ୍ଭ କରିଥିଲା। ହେଲେ ସେତେବେଳେକୁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିଲା। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ଏହି ଆତ୍ମହତ୍ୟା ପଛର ପ୍ରକୃତ କାରଣ କ’ଣ ଏଯାଏ ଜଣାପଡ଼ିନି । ପୁଲିସ୍ ଜିତେନ୍ଦ୍ର କୁମାରଙ୍କ ଫ୍ଲାଟରୁ ଗୋଟିଏ ହାତଲେଖା ସୁଇସାଇଡ ନୋଟ ଜବତ କରିଛି। ଏଥିରେ ଲେଖାଯାଇଛି ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ସେ ମାନସିକ ଚାପରେ ରହୁଥିଲେ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି। ପରିବାରରେ କୌଣସି ପାଟିତୁଣ୍ଡ ହେଉଥିଲା ନା କର୍ମକ୍ଷେତ୍ରରେ ତାଙ୍କ ଉପରେ କେହି ଚାପ ପକାଉଥିଲେ କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଡିଫେନ୍ସ କଲୋନୀ ପୁଲିସ୍ ଜିତେନ୍ଦ୍ର କୁମାରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଦିଲ୍ଲୀ ଏମ୍ସକୁ ପଠାଇଛି। ଏଥିସହ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।