Breaking PLUSଖେଳ

ଆଇପିଏଲ-୨୦୨୧ ରେ ବିଜୟ ବାନା ଉଡାଇଛି ଚେନ୍ନାଇ ସୁପରକିଙ୍ଗ୍ସ

ଆଇପିଏଲ-୨୦୨୧ ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ମହାବିଜୟ । ପୁଣି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ ମୁକାବିଲାରେ ଚେନ୍ନାଇ କୋଲକାତାକୁ ୨୭ ରନରେ ପରାସ୍ତ କରି ଆଇପିଏଲ ୨୦୨୧ ଚାମ୍ପିଅନ ହୋଇଛି । ଏଥିସହ ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ଚତୁର୍ଥ ଟାଇଟଲ୍ ଜିତିବାରେ ସଫଳ ହୋଇଛି । ଏହା ପୂର୍ବରୁ ଦଳ ଶେଷ ଥର ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ତୃତୀୟ ଥର ଆଇପିଏଲ ବିଜେତା ହୋଇଥିଲା । ଅନ୍ୟପଟେ ତୃତୀୟ ଥର ଫାଇନାଲରେ ପହଞ୍ଚିଥିବା କୋଲକାତାର ତୃତୀୟ ଆଇପିଏଲ ଟାଇଟଲ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି ।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗ୍ସ ଫାଫ ଡୁପ୍ଲେସିସ୍‌ଙ୍କ ୮୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଋତୁରାଜ ଗାଏକଓ୍ଵାଡ ୩୨, ରବିନ ଉଥପ୍ପା ୩୧ ଏବଂ ମୋଇନ ଅଲ୍ଲୀ ଅପରାଜିତ ୩୭ ରନ କରିଥିଲେ । ଏହାର ଜବାବରେ କୋଲକାତା ଦୁଇ ଓପନର ଶୁଭମାନ ଗିଲ୍‌(୫୧) ଓ ଭେଙ୍କଟେଶ ଆୟର(୫୦)ଙ୍କ ଅର୍ଦ୍ଧଶତକ ସତ୍ତ୍ଵେ ଶୋଚନୀୟ ପରାଜୟ ଭୋଗିଛି । ଏକଦା ୧୦.୪ ଓଭରରେ ୯୧ ରନ କରିଥିବା କୋଲକାତା ଓପନରଙ୍କ ଆଉଟ୍ ପରେ ବ୍ୟାଟିଂ ବିପର୍ୟ୍ୟୟ ଭୋଗି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଛି ।

୧୯୩ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା କୋଲକାତାକୁ ଦୁଇ ଓପନର ଶୁଭମାନ ଗିଲ୍ ଓ ଭେଙ୍କଟେଶ ଆୟର ସେହି ଅନୁସାରେ ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୧୦.୪ ଓଭରରେ ୯୧ ରନ କରି ଦଳ ବିଜୟର ମୂଳଦୁଆ ପକାଇଥିଲେ   । ଭେଙ୍କଟେଶ ଆୟର ୩୨ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୫୦ ରନ କରି ଆଉଟ୍ ହୋଇଥିଲେ । ଶାର୍ଦ୍ଦୁଳ ଠାକୁର ଓପନିଂ ଯୋଡି ଭାଙ୍ଗିଥିଲେ । ଏହା ପରେ କେକେଆର ବ୍ୟାଟିଂ ବିପର୍ୟ୍ୟୟ ଭୋଗିଥିଲା । ଶୁଭମାନ ଗିଲ୍‌ ୪୩ ବଲ୍‌ରୁ ୬ ଚୌକା ସହ ୫୧ ରନ କରି ଆଉଟ୍ ହୋଇଥିଲେ । ଦୁଇ ଓପନରଙ୍କ ପରେ ନିମ୍ନ କ୍ରମରେ ଶିବମ ମାଭି ଓ ଲୋକି ଫର୍ଗ୍ୟୁସନଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ କୋଲକାତା ନାଇଟ୍ ରାଇଡର୍ସ ୧୫୦ ରନ ମଧ୍ୟ କରି ପାରିନାହିଁ । ଏକଦା ୯୧ ରନରେ ଗୋଟିଏ ଓ୍ଵିକେଟ୍ ହରାଇଥିବା କୋଲକାତା ମାତ୍ର ୪୦ ରନରେ ୭ ଓ୍ଵିକେଟ୍ ହରାଇ ୧୪୦ ରନ କରିବାକୁ ସକ୍ଷମ ହୋଇଛି । ଶେଷ ଆଡକୁ ଶିବମ ମାଭି ୨୦ ରନ କରିଥିଲେ । ଲୋକି ଫର୍ଗ୍ୟୁସନ ୧୮ ରନ କରି ଅପରାଜିତ ଥିଲେ । ଏଥି ସହ କୋଲକାତା ୨୭ ରନରେ ହାରିବା ସହ ତୃତୀୟ ଟାଇଟଲ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି ।

ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି । ଜୋସ ହେଜେଲଉଡ ୨, ରବୀନ୍ଦ୍ର ଜାଡେଜା ୨ ଏବଂ ଦୀପକ ଚହର ଓ ଡ୍ଵେନ ବ୍ରାଭୋ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ।

Show More

Related Articles

Back to top button