ଓଡ଼ିଶା

ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ୍ ମିଡିଆ ସାମ୍ବାଦିକଙ୍କୁ ଥାନାରେ ପଚରାଉଚରା

ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ଥାନାରେ ଅଟକ ରଖାଯାଇଛି । ଦୂତୀ ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ତାଙ୍କୁ  ଭୁବନେଶ୍ୱରରେ ମହିଳା ଥାନା ପୋଲିସ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି ।  ଗତ ୧ ତାରିଖରେ ଦୂତୀ ଚାନ୍ଦ ଅଲିମ୍ପିକ ଗେମ୍ସରୁ ଫେରିବା ପରେ ଫୋକସ୍ ପ୍ଲସ ନାମକ ଏକ ୱେବ୍ ପୋର୍ଟାଲର ଏଡିଟର୍ ସୁଧାଂଶୁ ଶେଖର ରାଉତଙ୍କ ସମେତ ଅନ୍ୟ ଦୁଇଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଫୋକସ୍ ପ୍ଲସ୍‌ରେ ବ୍ୟବହାର ହେଉଥିବା ଲାପ୍‌ଟପ୍‌, କମ୍ପ୍ୟୁଟର୍ ଓ ମୋବାଇଲକୁ ପୋଲିସ ଜବତ କରିଛି । ସୁୁଧାଂଶୁଙ୍କ ବିରୋଧରେ ଦୂତୀ ଦାଦାଗିରି, ବଟି ଆଦାୟ ଅଶ୍ଳୀଳ ମନ୍ତବ୍ୟ ଓ ବଦନାମ କରିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ସବିଶେଷ ତଥ୍ୟ ଅନୁଯାୟୀ ୩୮୫, ୨୯୨,୩୫୪, ୫୦୬, ୫୦୯ ଓ ୧୨୦(ବି) ଦଫାରେ ମାମଲା ରୁଜୁ ହୋଇଛି ।                                                                                                                                                                                                                                                                           ଦୂତୀଙ୍କ ପାରିବାରିକ ସମ୍ପର୍କକୁ ନେଇ ଫୋନ୍ କଲ ଓ ହ୍ୱାଟ୍ସଆପ୍ ଜରିଆରେ ଚାପ ପକାଇ ଆସୁଥିଲା । ତେବେ ଘଟଣା ଏତିକିରେ ଥମିନଥିଲା । ଦୂତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ଅନେକ ଆପତ୍ତି ଜନକ ପୋଷ୍ଟ ଉଭୟ ଫେସବୁକ ଓ ୱେବସାଇଟ୍‌ରେ ପ୍ରକାଶ କରିଥିଲା । ଫଳରେ ତାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦୂତୀ ଅଭିଯୋଗ କରିଥିଲେ ଏବଂ ଏହି ଘଟଣାକୁ ନେଇ ଦୂତୀ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାରଣ ଓ ବଦନାମ କରିବା ଅଭିଯୋଗରେ ଦୂତୀ ଭୁବନେଶ୍ୱର ସିଭିଲ୍ କୋର୍ଟରେ ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଥିଲେ । ଅନ୍ୟପଟେ ଜଣାଶୁଣା ଗଣମାଧ୍ୟମ ଆଗରେ ସୁଧାଂଶୁ ଏହି ଘଟଣାକୁ ନେଇ ଦୂତୀଙ୍କ ସହ କୌଣସି ବ୍ୟକ୍ତିଗତ ମନମତାନ୍ତର ନଥିବା ପ୍ରକାଶ କରିଛନ୍ତି ।

Show More

Related Articles

Back to top button