Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ-ପାକ୍ ଅସ୍ତ୍ରବିରତି ବୁଝାମଣା

ଜମ୍ମୁ-କଶ୍ମୀରସ୍ଥିତ ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ପାଇଁ ଦୁଇ ପାରମ୍ପରିକ ଶତ୍ରୁ ରାଷ୍ଟ୍ର ଭାରତ ଓ ପାକିସ୍ତାନ ସମ୍ମତି ପ୍ରଦାନ କରିଛନ୍ତି । ଫେବୃଆରୀ ୨୪ ମଧ୍ୟରାତ୍ରୀରୁ ଏହା କାର୍ଯ୍ୟକାରୀ କରାଯାଇଛି । ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

ଜମ୍ମୁ-କଶ୍ମୀରସ୍ଥିତ ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ପାଇଁ ଦୁଇ ପାରମ୍ପରିକ ଶତ୍ରୁ ରାଷ୍ଟ୍ର ଭାରତ ଓ ପାକିସ୍ତାନ ସମ୍ମତି ପ୍ରଦାନ କରିଛନ୍ତି । ଫେବୃଆରୀ ୨୪ ମଧ୍ୟରାତ୍ରୀରୁ ଏହା କାର୍ଯ୍ୟକାରୀ କରାଯାଇଛି । ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ଭାରତର ଡିଜିଏମଓ (ଡାଇରେକ୍ଟର ଜେନେରାଲ ଅଫ୍ ମିଲିଟାରୀ ଅପରେସନ) ଲେଫ୍ଟନାଣ୍ଟ ଜେନେରାଲ ପରମଜିତ ସିଂହ ସାଂଘା ଓ ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ମେଜର ଜେନେରାଲ ନୌମାନ୍ ଜାକାରିଆଙ୍କ ମଧ୍ୟରେ ଟେଲିଫୋନ (ହଟ୍‌ଲାଇନ) ବାର୍ତ୍ତାଳାପ ହେବାପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ । ବାର୍ତ୍ତାଳାପ ସମୟରେ ଉଭୟ ସାମରିକ ପଦାଧିକାରୀ ଏଲଓସି ସ୍ଥିତିକୁ ସମୀକ୍ଷା କରିଥିଲେ । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ଆଲୋଚନା ହୋଇଥିଲା ବୋଲି ଉଭୟପକ୍ଷରୁ ମିଳିତଭାବେ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି । ୨୦୨୧ ଫେବୃଆରୀ ୨୪ ମଧ୍ୟରାତ୍ରୀରୁ ଏଲଓସି ସମେତ ଅନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡାକଡିଭାବେ ପାଳନ କରିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି । ଯଦି ଏହି ବ୍ୟବସ୍ଥାରେ କୌଣସି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ, ତେବେ ଦୁଇ ବରିଷ୍ଠ ସାମରିକ ପଦାଧିକାରୀ ହଟ୍‌ଲାଇନ ମାଧ୍ୟମରେ କିମ୍ବା ଦ୍ୱିପାକ୍ଷିକ ଫ୍ଲାଗ୍ ବୈଠକ ଜରିଆରେ ସମସ୍ୟାର ସମାଧାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ୨୦୧୯ ଫେବୃଆରୀରେ ପୁଲୱାମା ଆତଙ୍କବାଦ ଆକ୍ରମଣ ଘଟଣା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନିମ୍ନଗାମୀ ହୋଇପଡିଥିଲା । ପୁନଶ୍ଚ ୨୦୧୯ ସେପ୍ଟେମ୍ବରରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାପରେ ଏହି ସମ୍ପର୍କ ଅତି ଶୋଚନୀୟ ହୋଇପଡିଛି । ଏଲଓସିରେ ଅସ୍ତ୍ରବିରତି ପାଇଁ ୨୦୦୩ ନଭେମ୍ବରରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ତେବେ ପାକିସ୍ତାନ ଏହାକୁ ସମ୍ମାନ ଜଣାଉନଥିଲା । ୨୦୧୯ ପରଠାରୁ ପାକିସ୍ତାନ ନିୟମିତଭାବେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି । ଭାରତ ଅବଶ୍ୟ ଏହାର ପାଲଟା ଜବାବ ଦେବାରେ ଆଦୌ କୁଣ୍ଠାବୋଧ କରୁନାହିଁ । ତେବେ ଅସ୍ତ୍ରବିରତି ଉଲ୍ଲଂଘନ ପଛରେ ପାକିସ୍ତାନର ଅସଲ ଉଦ୍ଦେଶ୍ୟ ହେଲା, ଭାରତୀୟ ଯବାନଙ୍କୁ ଏଥିରେ ବ୍ୟସ୍ତ ରଖି ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ ଭାରତକୁ ଅନୁପ୍ରବେଶ କରାଇବା । ଭାରତୀୟ ସେନା ମଧ୍ୟ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦମନ ପ୍ରକ୍ରିୟାକୁ ଜୋରଦାର କରୁଛି । ଫଳରେ କଶ୍ମୀର ଘାଟୀରେ ଏକାଧିକ କମାଣ୍ଡରସ୍ତରୀୟ ତୁଙ୍ଗ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଆଉ କେତେକ ଗିରଫ ମଧ୍ୟ ହୋଇସାରିଲେଣି । ଫଳରେ ସେଠାରେ ଆତଙ୍କବାଦ କାର୍ଯ୍ୟକଳାପ ବେଶ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି । ବିଗତ ଦଶ ମାସ ଧରି ଲଦାଖ୍ ସୀମାରେ ଭାରତୀୟ ସେନା ଚୀନ୍‌ର ଉତ୍ପାତକୁ ସଫଳତାର ସହ ମୁକାବିଲା କରୁଥିବାବେଳେ ଏଲଓସିରେ ଅସ୍ତ୍ରବିରତି ପାଇଁ ପାକିସ୍ତାନ ହଠାତ୍ ରାଜି ହେବା ଅପ୍ରତ୍ୟାଶିତ ଘଟଣା ବୋଲି କେତେକ ପ୍ରତିରକ୍ଷା ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।

ସୂଚନା ଯେ, ଗତବର୍ଷ ଅର୍ଥାତ ୨୦୨୦ରେ ପାକିସ୍ତାନ ଭାରତ ସଂଲଗ୍ନ ନିୟନ୍ତ୍ରଣ ରେଖାରେ ମୋଟ ୫୧୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏଥିରେ ୪୬ ଭାରତୀୟ ଯବାନ ସହିଦ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଭାରତ ପକ୍ଷରୁ କୂଟନୈତିକସ୍ତରରେ ପାକିସ୍ତାନକୁ ଅବଗତ କରାଯିବା ସହ ସାମରିକ କମାଣ୍ଡରସ୍ତରୀୟ ବୈଠକରେ ମଧ୍ୟ ପାକିସ୍ତାନକୁ ତାଗିଦ କରାଯାଇଥାଏ । ଏହାସତ୍ତ୍ୱେ ପାକିସ୍ତାନ ଜମ୍ମୁ-କଶ୍ମୀର ସଂଲଗ୍ନ ଆନ୍ତର୍ଜାତିକ ସୀମା ଏବଂ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ପାଳନ ଚୁକ୍ତିକୁ ବେଖାତିର କରିଆସୁଛି । ୨୦୧୯ରେ ପାକିସ୍ତାନ ପକ୍ଷରୁ ୩୨୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଅପରପକ୍ଷରେ ଚଳିତବର୍ଷ ଜାନୁଆରୀ ୩୧ ସୁଦ୍ଧା ଏଲଓସିରେ ୨୯୯ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇସାରିଲାଣି ।

Show More

Related Articles

Back to top button