ଆସନ୍ତା ୧୧ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ଆସନ୍ତା ୧୧ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ । ଗତକାଲି ବିଳମ୍ବିତ ରାତିରେ ସ୍କଟଲ୍ୟାଣ୍ଡରେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ହୋଇଥିଲା । ତେଣୁ ତାଙ୍କ ସମ୍ମାନାର୍ଥେ ଭାରତ ସରକାର ଆସନ୍ତା ରବିବାର ସମଗ୍ର ଦେଶରେ ଦିନିକିଆ ଶୋକ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ସେପ୍ଟେମ୍ବର ୮ ରେ ବ୍ରିଟେନ ଓ ନର୍ଦ୍ଦନ ଆୟର୍ଲ୍ୟାଣ୍ଡର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ହୋଇଛି। ତାଙ୍କ ସମ୍ମାନାର୍ଥେ ଭାରତ ସରକାର ୧୧ ତାରିଖରେ ସମଗ୍ର ଦେଶରେ ଦିନିକିଆ ଶୋକ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ହବେ। ଦେଶର ଯେଉଁ ସବୁ ସ୍ଥାନରେ ଓ ବିଲଡିଂରେ ଜାତୀୟ ପତାକା ଉଡ଼ୁଛି, ସେଠାରେ ଏହାକୁ ଅର୍ଦ୍ଧନମିତ କରାଯିବ। ୧୧ ତାରିଖରେ କୌଣସି ପ୍ରକାରର ସରକାରୀ ଉତ୍ସବ ଓ ସମାରୋହ ହେବନାହିଁ ।
ସୂଚନା ଯୋଗ୍ୟ,ରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ହୋଇଥିଲା। ନୌସେନା ଅଧିକାରୀ ଫିଲିପ ମାଉଣ୍ଟ ବ୍ୟାଟେନଙ୍କୁ ସେ ବିବାହ କରିଥିଲେ। ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ଡ୍ର୍ୟୁ ଓ ପ୍ରିନ୍ସ ଏଡୱାର୍ଡ ରହିଛନ୍ତି। ୧୯୫୨ରେ ପିତା ଜର୍ଜ (ଷଷ୍ଟ)ଙ୍କ ମୃତ୍ୟୁ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ। । ନିଜର ଶାସନକାଳ ମଧ୍ୟରେ ସେ ୩ ଥର ଭାରତ ଗସ୍ତରେ ଆସିଥିଲେ । ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ ସେ। ତେବେ ତାଙ୍କ ମୃତ୍ୟୁ ପରେ ବ୍ରିଟେନର ନୂଆ ରାଜା ହୋଇଛନ୍ତି ରାଣୀ ଏଲିଜାବେଥଙ୍କ ୭୩ ବର୍ଷିୟ ବଡପୁଅ ପ୍ରିନ୍ସ ଚାର୍ଲସ।