ଭାରତରେ ୯୯ଟି ଦେଶ ପାଇଁ କୋହଳ ହେଲା କୋଭିଡ କଟକଣା
କେବଳ ଟିକାକରଣ ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବେ ବିଦେଶୀ
୯୯ଟି ଦେଶ ପାଇଁ ଭାରତରେ କୋହଳ ହେଲା କୋଭିଡର କଡ଼ା ବ୍ୟବସ୍ଥା । ଦୀର୍ଘ ୨୦ ମାସ ହେଲା ବିଦେଶୀ ପର୍ଯ୍ୟଟକଙ୍କ ଭାରତ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି । ଭାରତ ସରକାର ୯୯ଟି ଦେଶରୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆଉ କୌଣସି ପ୍ରକାରର କ୍ୱାରେଣ୍ଟିନ ବ୍ୟବସ୍ଥା ଲାଗୁ ହେବନି ବୋଲି କହିଛନ୍ତି ।
କେବଳ ଟିକାକରଣ ପ୍ରମାଣପତ୍ର ଦେଖାଇଲେ, ସେମାନଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ମିଳିବ । ଭାରତ ସରକାର କଟକଣା କୋହଳ କରିଥିବା ଦେଶଗୁଡ଼ିକ ମଧ୍ୟରେ ରୁଷ, ଫ୍ରାନ୍ସ ଆମେରିକା, ବ୍ରିଟେନ, ନେଦରଲ୍ୟାଣ୍ଡ୍ସ, ଅଷ୍ଟ୍ରେଲିଆ ଭଳି ବଡ଼ବଡ଼ ଦେଶ ରହିଛନ୍ତି । ଏହି ଦେଶରୁ ଆସୁଥିବା ଲୋକଙ୍କୁ କ୍ୟାଟାଗୋରୀ ଏ’ରେ ରଖାଯାଇଛି।
ଏମାନେ କେବଳ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏୟାର ସୁବିଧା ପୋର୍ଟଲାରେ ଗୋଟିଏ ଆତ୍ମ ଘୋଷଣାନାମା ଦାଖଲ କରିବେ । ଏଥିସହ ସେମାନଙ୍କୁ ଆରଟିପିସିଆର ନେଗେଟିଭ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ପଡ଼ିବ । ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ହିଁ ଆରଟିପିସିଆର ଟେଷ୍ଟ ହୋଇଥିବା ଦରକାର ।
ସମସ୍ତ ଯାତ୍ରୀ ମାନ୍ୟତା ପ୍ରାପ୍ତ ଓ ସତ୍ୟ ରିପୋର୍ଟ ଦାଖଲ କରିବେ । ଯଦି ଏହା ଭୁଲ ପ୍ରମାଣିତ ହୁଏ, ତା’ହେଲେ ଅପରାଧିକ ମାମଲାରେ ସେମାନେ ଫସିବେ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ପ୍ରାପ୍ତ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ଭାରତରେ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିବ ।
ଭାରତ ସରକାର କହିଛନ୍ତି, ଟିକାକରଣ ଶେଷ ହେବାର ୧୫ ଦିନ ପରେ ହିଁ ଭାରତ ଆସିଲେ କ୍ୱାରେଣ୍ଟିନ ନିୟମ ଲାଗୁ ହେବନି । ଗାଇଡଲାଇନରେ ଦର୍ଶାଯାଇଛି, ବିଶ୍ୱରେ ଏମିତି କିଛି ଦେଶ ଅଛନ୍ତି ଯେଉଁମାନଙ୍କୁ ଭାରତ ଦ୍ୱାରା ରିସ୍କ ଶ୍ରେଣୀରେ ରଖାଯାଇଛି । ଏହାର ଅର୍ଥ ସେଠାରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ ସମେତ ଅତିରିକ୍ତ କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ଚାଇନା, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ ଓ ସିଙ୍ଗାପୁର ରହିଛନ୍ତି ।
ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରୁ ବିନା ଯାଞ୍ଚରେ ଭାରତରେ ପ୍ରବେଶ ପାଇଁ ଅନୁମତି ମିଳିବ । ଯେଉଁମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମତି ପାଇଥିବା ଟିକା ନେଇଥିବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ।
ଗାଇଡଲାଇନରେ ଆହୁରି କୁହାଯାଇଛି ଯେ ଯଦି କୌଣସି ଯାତ୍ରୀ ଟିକାର ଗୋଟିଏ ଡୋଜ୍ ନେଇଛନ୍ତି ବା ଆଦୌ ଟିକା ନେଇ ନାହାନ୍ତି, ତା’ହେଲେ ସେମାନଙ୍କୁ କରୋନା ପରୀକ୍ଷା ପାଇଁ ନମୁନା ଦେବାକୁ ପଡ଼ିବ । ଏହାର ରେଜଲ୍ଟ ଆସିବା ପରେ ସେମାନଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଅନୁମତି ମିଳିବ ।
ଏପରି ଯାତ୍ରୀଙ୍କୁ ସାତ ଦିନ ସଙ୍ଗରୋଧରେ ରହିବାକୁ ହେବ । ୮ମ ଦିନରେ ପୁଣିଥରେ କୋଭିଡ ପରୀକ୍ଷା ହେବ । ଯଦି ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ସେମାନଙ୍କୁ ଆଉ ୭ ଦିନ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯିବ ।
ଏହି ନିୟମକୁ ଆଧାର କରି ସୋମବାର ଠାରୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଭାରତ ସରକାର ଡୋର ଖୋଲିଛନ୍ତି । ଇଣ୍ଡିଆନ୍ ଟୁରିଜିମ୍ ପକ୍ଷରୁ ସୋମବାର ମୁମ୍ବାଇରେ ପ୍ରଥମ ବ୍ୟାଚ୍ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଯାତ୍ରୀମାନେ ଏୟାର ଫ୍ରାନ୍ସ ବିମାନ AF 218 ରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ ।