Breaking PLUSଓଡ଼ିଶାମୁଖ୍ୟ ଖବର

ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ

ଏଥର ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ତାତିବ ଗୃହ

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୨୬ କାର୍ଯ୍ୟଦିବସ ରହିଛି । ତେବେ ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ଭିତରେ ଏବଂ ବାହାରେ ବିରୋଧୀଙ୍କ ପକ୍ଷରୁ ଶାଣିତ ଆକ୍ରମଣ କରାଯିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି ।

ଅନ୍ୟପକ୍ଷରେ ଗୃହ ଭିତରକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୂରାଇ ଦେବେ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି । ଅନ୍ୟପଟେ ବିଜେଡି କିନ୍ତୁ ପ୍ରଥମେ ଦୋଷ ପ୍ରମାଣ କର ତା’ପରେ ଅଭିଯୋଗ କରିବ ବୋଲି ଯୁକ୍ତି ବାଢିଛି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମମିତାଙ୍କୁ ହାଣି ଖଣ୍ଡ ଖଣ୍ଡ କରି ଅତି ନୃଶଂସଭାବେ ହତ୍ୟା କରାଗଲା । ହେଲେ ତାଙ୍କୁ ହତ୍ୟା କରିବାର କାରଣ କ’ଣ ସେନେଇ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନାହିଁ । ମହାଲିଙ୍ଗ କଲେଜକୁ ବଡ଼ ବଡ଼ ଲୋକ, ମନ୍ତ୍ରୀ ଏବଂ ନେତା ଆସୁଥିଲେ । ସେଠାରେ ମନ୍ତ୍ରୀ ଏବଂ ନେତା ରାତ୍ରିଯାପନ କରିବା ସହ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିଲେ । ଏହାକୁ ଲୁଚାଇବା ଲାଗି ମମିତାଙ୍କୁ ହତ୍ୟା କରାଯାଇଛି, ଯାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ । କେବଳ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫକରି ଚୁପ୍‌ ବସିଛି । ଏହି ପ୍ରସଙ୍ଗକୁ କଂଗ୍ରେସ ବ୍ୟାପକ କରିବ । ଏହି ଘଟଣାରେ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିବା ପୀଡ଼ିତାଙ୍କ ପରିବାର ଲୋକ କରିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ବିଧାନସଭାରେ ଉଠାଇବୁ । ଦଳ ମମିତା ହତ୍ୟା ମାମଲାରେ କିଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବ ସେନେଇ ବିଧାୟକ ଦଳ ବୈଠକରେ ସ୍ଥିର କରିବୁ । ତେଣୁ ଏହି ଘଟଣାରେ ଦିବ୍ୟଶଙ୍କର ନିର୍ଦ୍ଦୋଷ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଗୃହରେ ପୂରାଇ ନ ଦେବାକୁ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ । ସେ ବିଧାନସଭା ଗୃହକୁ ଆସିଲେ ତାହା ଅପବିତ୍ର ହେବ । ମୁଖ୍ୟମନ୍ତ୍ରୀ ଯେହେତୁ ଗୃହରେ ରହୁନାହାନ୍ତି ସେଥିଲାଗି ଏହି ପ୍ରସଙ୍ଗରେ ଦିବ୍ୟଶଙ୍କର ଉତ୍ତର ରଖିବେ । ଏହା ମଧ୍ୟ ବିଧାନସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସାଲୁଜା ଉଠାଇଥିବା କଥାକୁ ବିଧାୟକ ସୁରେଶ କୁମାର ରାଉତରାୟ ସମର୍ଥନ କରିଛନ୍ତି ।

ସାଲୁଜାଙ୍କ ପ୍ରତିକ୍ରିୟା ଉପରେ ମତ ରଖି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଗୃହରେ ପୂରାଇ ନ ଦେବାର ଅଧିକାର କାହାର ନାହିଁ । ଏହି ବ୍ୟବସ୍ଥାକୁ ଯେଉଁମାନେ ଉଲ୍ଲଂଘନ କରିବେ ସେହି ଅନୁସାରେ ସେମାନେ ଆଇନକୁ ସମ୍ମୁଖୀନ କରିବେ । ସେମାନଙ୍କ ନିକଟରେ ଯଦି ପ୍ରମାଣ ଅଛି କୋର୍ଟ ଅଫ୍‌ ଲ’ରେ ଦିଅନ୍ତୁ । ସେମାନେ ଆଣୁଥିବା ଅଭିଯୋଗକୁ ପ୍ରମାଣ କରନ୍ତୁ । ଏଭଳି ଅଭିଯୋଗ ଆଣିଦେଲେ କିଛି ସତ ହୋଇଯିବ ନାହିଁ । ପ୍ରକୃତରେ ମନ୍ତ୍ରୀଙ୍କ ଯଦି ସମ୍ପୃକ୍ତି ଥିବ ତେବେ ମୁଖ୍ୟମନ୍ତ୍ରୀ ତଦନ୍ତ ହେବା ପରେ ରିପୋର୍ଟ ଅନୁଯାୟୀ ନିଷ୍ପତ୍ତି ଯାହା ନେବା କଥା ନେବେ । ବିରୋଧୀ ଗୃହରେ ଯେଉଁସବୁ ପ୍ରସଙ୍ଗ ଉଠାଇବେ ତା’ର ଜବାବ ଦେବାକୁ ଆମେ ପ୍ରସ୍ତୁତ । ସାଲୁଜା ଯାହା କହିବେ ତାହା ବେଦର ଗାର ନୁହେଁ ବୋଲି ଅଶ୍ୱିନୀ କହିଛନ୍ତି ।

Show More

Related Articles

Back to top button