ଓଡ଼ିଶାଖେଳଦେଶମୁଖ୍ୟ ଖବର

ବାଂଲାଦେଶକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଇଣ୍ଡିଆ

ଆଡିଲେଡ: ଚଳିତ ଟି-୨୦ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍‌ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି। ଏକଦା ବାଂଲାଦେଶ ହାତରେ ମ୍ୟାଚ୍‌ ଥିବା ବେଳେ କେଏଲ ରାହୁଲଙ୍କ ଡାରେକ୍ଟ ଥ୍ରୋ ଓ ବର୍ଷା ଏହାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ଶେଷ ଯାଏ ଚେଷ୍ଟା କରିଥିଲେ ହେଁ ଟାର୍ଗେଟ ଠାରୁ ୫ ରନ ପଛରେ ରହି ଯାଇଛି। ବାଂଲାଦେଶ ପ୍ରଥମେ ୧୮୫ ରନର ଟାର୍ଗେଟକୁ ପିଛା କରୁଥିଲା। ୭ ଓଭର ସୁଦ୍ଧା ଦଳ ବିନା କୌଣସି ୱିକେଟ ହରାଇ ୬୬ ରନ ମଧ୍ୟ କରି ନେଇଥିଲା। ହେଲେ ବର୍ଷା ଯୋଗୁଁ ବାଂଲାଦେଶକୁ ଡିଏଲ ମେଥଡ ଦ୍ୱାରା ୧୬ ଓଭରରେ ୧୫୧ ରନର ଟାର୍ଗେଟ ମିଳିଥିଲା। ଲିଟନ ଦାସ ବିସ୍ଫୋରକ ଅର୍ଦ୍ଧଶତକ ସହ କ୍ରିଜ୍‌ରେ ଥିବାରୁ ବାଂଲାଦେଶ ସହଜରେ ବିଜୟ ଟାର୍ଗେଟକୁ ହାସଲ କରିନେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ଷା ଛାଡ଼ିବା ପରେ ମିଡ୍‌ ୱିକେଟରୁ କେଏଲ ରାହୁଲଙ୍କ ସିଧା ଥ୍ରୋରେ ଲିଟନ ଦାସ ରନ ଆଉଟ ହେବାରୁ ଖେଳର ଗତିପଥ ବଦଳି ଯାଇଥିଲା। ଲିଟନ ଦାସ ୨୭ ବଲରେ ୬୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ଓଭର ପିଛା ପାଖାପାଖି ୧୦ ରନ ଦରକାର ଥିବାରୁ ବାଂଲାଦେଶର ପ୍ରତଟି ବ୍ୟାଟର ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଫଳରେ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ। ଓପନର ନଜମୁଲ ହୁସେନ ସାଣ୍ଟୋ(୨୧), ଅଧିନାୟକ ସାକିବ ଅଲ ହାସନ(୧୩), ଅଫିଫ ହୁସେନ(୩) ଓ ୟାସିର ଅଲୀ (୧) ନିରାଶ କରିଥିଲେ। ମୋସାଡେକ ହୁସେନ(୬) ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲର ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୦୮ ରନ ରହିଥିଲା। ଏହି ଠାରୁ ନୁରୁଲ ହାସନ ଓ ତସ୍କିନ ଅହମ୍ମଦ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ବଡ଼ ଶଟ ଖେଳିବାରୁ ଶେଷ ଓଭରରେ ବାଂଲାଦେଶକୁ ଜିତିବାକୁ ୨୦ ରନ ଆବଶ୍ୟକ ରହିଥିଲା। ହାସନ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ବାଂଲାଦେଶ ୧୬ ଓଭରରେ ୬ ୱିକେଟ ହରାଇ ୧୪୫ ରନରେ ଅଟକି ଯାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ଗୋଟିଏ ସଫଳତା ପାଇଛନ୍ତି। ଏହାପୂର୍ବରୁ ଚଳିତ ଟି-୨୦ ବିଶ୍ୱକପରେ କ୍ରମାଗତ ଫେଲ ମାରୁଥିବା କେଏଲ ରାହୁଲଙ୍କ ୩୨ ବଲରେ ୫୦ ଓ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୪ ବଲରେ ଅପରାଜିତ ୬୪ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା।

 

Show More

Related Articles

Back to top button