ଓଡ଼ିଶାଖେଳଦେଶମୁଖ୍ୟ ଖବର

ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଜିତିଲା ଭାରତ

ଭୁବନେଶ୍ୱର : ମହାରାଷ୍ଟ୍ରର ନାଗପୁରରେ ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଜିତିଲା ଭାରତ। ଏହା ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୧-୧ ସ୍ତରକୁ ଆଣିଛି ଘରୋଇ ଦଳ। ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତୀୟ ଦଳ ପାକିସ୍ତାନର ଏକ ରେକର୍ଡର ସମକକ୍ଷ ହୋଇଛି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବାର ରେକର୍ଡ ପାକିସ୍ତାନ ନାଁରେ ଥିଲା। ୨୦୨୧ରେ ପାକିସ୍ତାନ ଏହି ରେକର୍ଡ ସୃଷ୍ଟି କରିଥିଲା। ସେହିବର୍ଷ ପାକିସ୍ତାନ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଥିଲା। ଗତକାଲି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇବା ସହିତ ଟିମ୍ ଇଣ୍ଡିଆ ପାକିସ୍ତାନର ଏହି ରେକର୍ଡର ସମକକ୍ଷ ହୋଇଯାଇଥିଲା। ଦଳ ୨୦୨୨ରେ ଏଯାବତ୍ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ସାରିଲାଣି। ଚଳିତ ବର୍ଷ ଭାରତୀୟ ଦଳ ୨୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୨୦ଟିରେ ବିଜୟ ହାସଲ କରିଛି। ଆସନ୍ତାକାଲି ପାକିସ୍ତାନର ରେକର୍ଡ ଭାଙ୍ଗିବାକୁ ଭାରତ ପାଖରେ ସୁଯୋଗ ରହିଛି। କାରଣ କାଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟ ହାସଲ କଲେ ଭାରତ ସିରିଜ୍ ହାତେଇବା ସହ ପାକିସ୍ତାନର ରେକର୍ଡ ଭାଙ୍ଗିବ। ଅନ୍ୟପକ୍ଷରେ ଆସନ୍ତାକାଲିର ମ୍ୟାଚ୍‌କୁ ମିଶାଇ ଚଳିତ ବର୍ଷ ଭାରତ ସର୍ବନିମ୍ନ ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ସରିବା ପରେ ଦକ୍ଷିଣ ଆଫ୍ରିକା ଭାରତ ଆସିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ତା’ପରେ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯିବ। ବିଶ୍ୱକପ୍‌ରେ ଗ୍ରୁପ୍ ପର୍ଯ୍ୟାୟରେ ଦଳ ୫ଟି ମ୍ୟାଚ୍ ଖେଳିବ। ଏଣୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ମ୍ୟାଚ୍ ଜିତିବାର ଏକ ବଡ଼ ରେକର୍ଡ ସ୍ଥାପନ ପାଇଁ ଦଳ ପାଖରେ ବହୁତ ସୁଯୋଗ ରହିଛି।

 

Show More

Related Articles

Back to top button