
ଭାରତର ସୁନା କିଣା ରିପୋର୍ଟ ଆସିଛି। ଗତ ୨୦୨୧ ବର୍ଷ ଆରମ୍ଭରୁ ଦେଶରେ କୋଭିଡର ପ୍ରକୋପ ଥିଲା। କଟକଣା ଓ ବନ୍ଦବାନ୍ଦ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେଇଥିଲା। ହେଲେବି ଭାରତର ସୁନା ଆମଦାନୀ ବନ୍ଦ ନାହିଁ। ଏହି ବର୍ଷ ଭାରତ ସୁନା ଆମଦାନୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟରୁ ଜଣାପଡିଛି। ସୁନା ବାବଦେ ୫୫.୭ ବିଲିୟନ ଡଲାର ବ୍ୟୟ ହୋଇଥିବା ଜଣାପଡିଛି। ୨୦୧୧ ମସିହା ପରେ ସୁନା କିଣାରେ ଭାରତ ନୂଆ ରେକର୍ଡ କାୟମ କରିଛି। ୨୦୨୦ ମସିହାରେ ଦେଶର ସୁନା ଆମଦାନୀ ହ୍ରାସ ହୋଇଥିଲା। ଯଦିଓ ଆମଦାନୀ ଥିଲା ତେବେ ୨୩ ବିଲିୟନ ଡଲାରରୁ ବି କମ୍ ମୂଲ୍ୟର ସୁନା କିଣା ଯାଇଥିଲା। ଏଥିରେ ଦେଶକୁ ମାତ୍ର ୪୩୦ ଟନ ସୁନା ଆମଦାନୀ ହୋଇଥିଲା। ତେବେ ୨୦୨୧ ମସିହାରେ ଭାରତ ୧,୦୧୫୦ ଟନ ସୁନା ଆମଦାନୀ କରିଥିବା ଜଣାପଡିଛି। ଏଥିଲାଗି ବିଦେଶରୁ ୫୩.୯ ବିଲିୟନ ଡଲାରର ସୁଣା କିଣାଯାଇଛି।
ବିଶ୍ୱ ସ୍ୱର୍ଣ୍ଣ ପରିଷଦ (ଡବ୍ଲୁଜିସି) ଙ୍କ ଅନୁସାରେ ୨୦୨୧ରେ କରୋନା ପରିସ୍ଥିତି ସୁଧୁରିବାରୁ ଚାହିଦା ସୁଧିରିଥିଲା ବୋଲି କୁହାଯାଇଛି। ଉତ୍ସବ ଓ ବିବାହ ଋତୁରେ ଚାହିଦା ବଢିବା କାରଣରୁ ଆମଦାନୀ ବଢ଼ାଇବାକୁ ପଡିଥିଲା ବୋଲି କାଉନସିଲ କହିଛି। ଡବ୍ଲୁସିଜିଙ୍କ ରିପୋର୍ଟ ଅନୁସାରେ ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଲୋକେ ସୁନାରେ ବେଶ ନିବେଶ କରିଛନ୍ତି। ଏହା ବାଦେ ବିବାହ ଋତୁର ପିକ୍ ସିଜିନର ମଧ୍ୟ ସୁନା ଚାହିଦା ଅଚାନକ ବଢ଼ି ଯାଇଥିଲା। ବର୍ଷର ଶେଷ ମାସରେ ଦେଶକୁ ୮୬ ଟନ ସୁନା ଆମଦାନୀ କରିବାକୁ ପଡିଥିବାର ଡବ୍ଲୁଜିସି ରିପୋର୍ଟରୁ ଜଣାପଡିଛି। ସୁନା କିଣାରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ। ପ୍ରାୟ ସୁନା ଓ ଆଭୂଷଣ ଆବଶ୍ୟକତା ବିଦେଶରୁ ପୂରଣ କରାଯାଇଥାଏ। ଏଥିରୁ ୪୪ ପ୍ରତିଶତ ସ୍ୱିଜରଲ୍ୟାଣ୍ଡରୁ ଆମଦାନୀ ହେଉଥିବା ବେଳେ ୧୧ ପ୍ରତିଶତ ୟୁଏଇରୁ ଆମଦାନୀ ହୁଏ। ଏହା ପୂର୍ବରୁ ୨୦୧୪-୧୫ ବର୍ଷର ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଭାରତକୁ ୩୩୯.୩ ଟନ ସୁନା ଆମଦାନୀ ହୋଇଥିବାର ରେକର୍ଡ ରହିଛି।