
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ତିନି ମ୍ୟାଚ୍ବିଶିଷ୍ଟ ଟି-୨୦ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିଛି। ସିରିଜର ପ୍ରଥମ ମ୍ୟାଚ୍ ଆଜି ମୋହାଲିରେ ଖେଳାଯିବ। ରୋହିତ୍ ଶର୍ମା ଭାରତର ଏବଂ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି। ବିଶ୍ୱକପ୍ ପୂର୍ବରୁ ବିଶ୍ୱ କ୍ରିକେଟର ଏହି ଦୁଇ ପ୍ରମୁଖ ଦଳ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ । ଭାରତ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି । ଗତ କିଛି ଦିନ ହେବ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଭାରତ ଓ ଅଷ୍ଟ୍ରେଲିଆ ଦଳର ରେକର୍ଡ ଉପରେ ନଜର ପକାଇଲେ ଉଭୟ ଦଳ ଶେଷଥର ଲାଗି ଗତ ଡିସେମ୍ବରରେ ଟି-୨୦ ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାବେଳେ ୩ଟି ଟି-୨୦ ମ୍ୟାଚ୍ ଖେଳିଥିଲା ଭାରତ। ଯେଉଁଥିରେ ଭାରତୀୟ ଦଳ ୨-୧ରେ ସିରିଜ ବିଜୟୀ ହୋଇଥିଲା। ପ୍ରଥମ ଦୁଇ ମ୍ୟାଚକୁ ଭାରତ ଯଥାକ୍ରମେ ୧୧ ରନ ଓ ୬ ୱିକେଟ୍ରେ ଜିତି ଆଗୁଆ ୨-୦ରେ ସିରିଜ କବ୍ଜା କରିଥିଲା। ଏହାପରେ ଅନ୍ତିମ ମ୍ୟାଚକୁ ୬ ୱିକେଟ୍ରେ ଜିତି ଘରୋଇ ଅଷ୍ଟ୍ରେଲିଆ ଦଳ ସମ୍ମାନ ରଖିଥିଲା। ଓଭରଅଲ୍ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ ଟି-୨୦ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ଭାରତ ୧୩ ମ୍ୟାଚ୍ ଜିତି ଅଗ୍ରଣୀ ରହିଛି। ଅଷ୍ଟ୍ରେଲିଆ ୯ ମ୍ୟାଚରେ ଜିତିଥିବାବେଳେ ଗୋଟିଏ ମ୍ୟାଚ୍ର ବିନା ଫଳାଫଳରେ ଶେଷ ହୋଇଛି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଭାରତର ପଲା ଭାରି ରହିଛି। ଶେଷ ୫ ଟି-୨୦ ମ୍ୟାଚ୍ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଆଗରେ ରହିଛି। ଯେଉଁଥିରେ ଅଷ୍ଟ୍ରେଲିଆ ୩ ଓ ଭାରତ ୨ ମ୍ୟାଚ୍ ଜିତିଛି। ଭାରତ ମାଟିରେ ଉଭୟ ଦଳ ମଧ୍ୟରେ ୭ ଟି-୨୦ ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୪ ମ୍ୟାଚ ଜିତିଥିବାବେଳେ ୩ଟିରେ ପରାଜୟର ସମ୍ମୁଖୀନ ହୋଇଛି। ପଞ୍ଜାବର ମୋହାଲି ଗ୍ରାଉଣ୍ଡରେ ଦୁଇ ଦଳ ଗୋଟିଏ ଥର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ଭାରତ ବାଜିମାତ୍ କରିନେଇଥିଲା।