Breaking PLUSଦେଶ ବିଦେଶମୁଖ୍ୟ ଖବର

ଟିକାକରଣରେ ରେକର୍ଡ କଲା ଏହି ରାଜ୍ୟ, ନଭେମ୍ବର ୩୦ ସୁଦ୍ଧା ସମସ୍ତଙ୍କୁ ଡବଲ୍‌ ଡୋଜ୍‌

ଟିକାକରଣରେ ରେକର୍ଡ କଲା ହିମାଚଳପ୍ରଦେଶ । ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକାର ପ୍ରଥମ ଡୋଜ୍‌ ଲାଗିସାରିଛି।

ଏମିତି ଉବଲବ୍ଧି ହାସଲ କରିବାରେ ହିମାଚଳପ୍ରଦେଶ ଦେଶର ପ୍ରଥମ ରାଜ୍ୟ । ଏନେଇ ରାଜ୍ୟ ସରକାର ରବିବାର ସୂଚନା ଦେଇଛନ୍ତି। ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ରାଜୀବ ସୌଜଲ କହିଛନ୍ତି, ହିମାଚଳପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠି ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆସରିଛି।ଏହା ସହ ୩୦ ନଭେମ୍ବର ସୁଦ୍ଧା ସମସ୍ତ ବ୍ୟକ୍ତିଙ୍କୁ ଦୁଇ ଡୋଜ୍‌ ଟିକା ଦିଆଯିବାର ଲକ୍ଷ୍ୟ ଥିବା ମଧ୍ୟ ସେ କହିଛନ୍ତି । ଏବେ ଯାଏ ରାଜ୍ୟରେ ୧୩ ଲକ୍ଷ ଲୋକଙ୍କୁ ଡବଲ୍‌ ଡୋଜ୍‌ ଦିଆଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ସରକାର ଏକ ଭର୍ଚୁଆଲ୍‌ ଇଭେଣ୍ଟର ଆୟୋଜନ କରିବେ। ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଲାଭାର୍ଥୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେବେ।୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ୪୭୦୦୬୮୧ ଲୋକଙ୍କୁ ଭ୍ୟାକସିନ୍‌ର ପ୍ରଥମ ଡୋଜ୍‌ ଦିଆଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ଏହି ଆୟୁ ବର୍ଗର ୫୩୭୭୦୮୨୦ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫୪୪୩୧୧୩ ଜଣଙ୍କୁ ପ୍ରଥମ ପାନ ଦିଆସରିଛି। ଯଦି କୌଣସି ବ୍ୟକ୍ତି ବାଦ ପଡ଼ିଯାଇଛନ୍ତି ଯାଞ୍ଚ କରି ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜୀବ ସୌଜଲ କହିଛନ୍ତି।

Show More

Related Articles

Back to top button