Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ସେପ୍ଟେମ୍ବରରେ ତିନି ଲଘୁଚାପ

ସମୁଦ୍ର ଭିତରେ ଆସିପାରେ ବାତ୍ୟା

ପବନଠାରୁ ବେଶି ରହିବ ବର୍ଷାର ପ୍ରକୋପ । ଲଗାଣ ବର୍ଷା ହେବ ପ୍ରାୟ ୩ ଦିନ ଧରି । ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାବେଳେ ଉପକୂଳ ଛୁଇଁବାବେଳକୁ ବଳ ସାମାନ୍ୟ କମିଯାଇପାରେ । ଚଳିତ ମାସରେ ପ୍ରଥମ ତିନି ସପ୍ତାହ ଭିତରେ ୩ଟି ଲଘୁଚାପ ଆଗ ପଛ ହୋଇ ଆସିପାରେ, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ଅଧିକାଂଶ ମଡେଲ୍‌ ଦର୍ଶାଯାଉଛନ୍ତି, ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ । ଜିଏଫଏସ ଭଳି କିଛି ମଡେଲ୍‌ ଆକଳନ ଯାହା, ଏହା ସମୁଦ୍ର ଭିତରେ ବାତ୍ୟା ରୂପ ନେବ । ମାତ୍ର ଉପକୂଳ ଛୁଇଁଲାବେଳକୁ ଗଭୀର କିମ୍ବା ଅବପାତ ଅବସ୍ଥାରେ ରହିପାରେ । କିଛି ମଡେଲ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ କରୁଥିବାବେଳେ ଆଉ କେତେକ ଦର୍ଶାଇଛନ୍ତି, ଏହା ଆନ୍ଧ୍ର କିମ୍ବା ପଶ୍ଚିମବଙ୍ଗ ଯାଇପାରେ । ଏସବୁ କେବଳ ପ୍ରାକ୍‌ ଆକଳନ । ଯାହା ବି ହେଉ, ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା ହୋଇପାରେ । କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଜିଏଫଏସ୍‌-ଏନସିଇପି ମଡେଲ ଅନୁଯାୟୀ ପ୍ରଥପ ତିନି ସପ୍ତାହରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ସୃଷ୍ଟି ହୋଇପାରେ । ଏନସିଏମଡବ୍ଲୁଏଫ ମଡେଲ ଅନୁସାରେ ଦୁଇଟି ଲଘୁଚାପ ହେବ । ପ୍ରଥମ ଲଘୁଚାପଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆସନ୍ତା ୬/୭ ତାରିଖବେଳକୁ ହୋଇପାରେ । ଏହା ୯ ତାରିଖରେ ତେଲେଙ୍ଗାନା ଆଡ଼କୁ ମୁହାଁଇବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନ ବହିବ । ତାପମାତ୍ରା କମିବ । ଆଂଶିକ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ ।

ଦ୍ୱିତୀୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୯ ତାରିଖବେଳକୁ ସୃଷ୍ଟି ହୋଇପାରେ । ଏହା ଓଡ଼ିଶା କିମ୍ବା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ୧୧ ତାରିଖରେ ଛୁଇଁପାରେ । ସମୁଦ୍ରରେ ଥିବାବେଳେ ଏହା ଗଭୀର ଅବପାତ (ଡିପ୍‌ ଡିପ୍ରେସନ୍‌) ହେବା ସମ୍ଭାବନା ଅଧିକ । ଏମିତିକି ବାତ୍ୟା ପାଖାପାଖି ପବନ ହୋଇପାରେ ବୋଲି ଜିଏଫଏସ ବାରମ୍ବାର ଆକଳନ କରିଛି । ଏହାକୁ କମାଇ ଗଭୀର ଅବପାତ ନେଇ ମଧ୍ୟ ପୂର୍ବାନୁମାନ କରିଛି । ତେଣୁ ପୂର୍ବାନୁମାନରେ ସ୍ଥିରତା ରହିନାହିଁ । ତେଣୁ ସ୍ଥିତି ବଦଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଜଳପତ୍ତନର ତାପମାତ୍ରା, ବାୟୁ ପ୍ରଚଳନ ଓ ଊଦ୍ଧ୍ୱର୍ଗାମୀ ବାୟୁ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରଖିଛି । ତୃତୀୟ ଲଘୁଚାପ ୧୩ରୁ ୧୬ ତାରିଖ ଭିତରେ ସୃଷ୍ଟି ହୋଇପାରେ । ଏହା ମଧ୍ୟ ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଯାଇପାରେ । ଯଦି ଦ୍ୱିତୀୟ ଲଘୁଚାପଟି ଅଧିକ ଘନୀଭୂତ ନ ହୁଏ, ତେବେ ତୃତୀୟଟି ଅଧିକ ଘନୀଭୂତ ହେବ । ଚଳିତ ମାସର ଦ୍ୱିତୀୟ ସପ୍ତାହରେ ଉତ୍ତର ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା ଅଛି । ମାସରେ ଯେତିକି ବର୍ଷା ହେବା କଥା, ଗୋଟିଏ ସପ୍ତାହରେ ତା’ର ଅଧା ବର୍ଷା ହୋଇପାରେ । ତୃତୀୟ ଲଘୁଚାପ ଯୋଗୁ ବର୍ଷା ଆହୁରି ବଢ଼ିପାରେ । ତେଣୁ ଚଳିତ ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି ।

Show More

Related Articles

Back to top button