Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଦୁଇ ଦିନ ବର୍ଷା

ନୂଆବର୍ଷରୁ କମିବ ପାରଦ, ବଢିବ ଶୀତ

ଆସନ୍ତା ନୂଆବର୍ଷରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ୨୯ ଓ ୩୦ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ଏହା ପରେ ରାତି ତାପମାତ୍ରା ତଳକୁ ଖସିବ । ୪ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା କ୍ରମଶଃ ଖସିବ । ଫଳରେ ହାଡ଼ଭଙ୍ଗା ଶୀତ ପୁଣି ଫେରିପାରେ ବୋଲି ଆକଳନ କରାଯାଉଛି । ୩୧ରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ନୂଆବର୍ଷରେ ପାଗ ଶୁଖିଲା ରହିପାରେ । ପାଣିପାଗ ବିଭାଗ ମଙ୍ଗଳବାର ପୁଣି ଥରେ ଜାରି କରିଥିବା ବୁଲେଟିନରେ ପୂର୍ବାନୁମାନ ଦୋହରାଇଛି । ବୁଧବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ।

ଏଠାରେ ଝିପିଝିପି ବା ବୁନ୍ଦା ବର୍ଷା ହୋଇପାରେ । ଗୁରୁବାର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳରେ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୩୧ରେ ପାଗ ପ୍ରାୟତଃ ଶୁଖିଲା ରହିବ । ଖୋର୍ଦ୍ଧା, ନୟାଗଡ଼, ପୁରୀ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ପ୍ରବଳ କୁହୁଡ଼ି ହେବା ଆଶଙ୍କାରେ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ରେକର୍ଡ ହୋଇଛି ।

Show More

Related Articles

Back to top button