ଦେଶ ବିଦେଶବାଣିଜ୍ୟ

ଆଗାମୀ ୨୫ ବର୍ଷରେ ଗାୟବ ହୋଇଯିବ ଏହି ସବୁ ଚାକିରୀ

ସୂଚୀରେ ନାହିଁତ ଆପଣଙ୍କ ଜବ୍

ସାରା ବିଶ୍ୱରେ ବେକାରୀ ବର୍ତ୍ତମାନ ସମୟର ସବୁଠୁ ବଡ଼ ସମସ୍ୟା। ବାସ୍ତବିକ କଥା ହେଲା ବିଶ୍ୱରେ ଜନସଂଖ୍ୟା ଯେଉଁ ହାରରେ ବଢୁଛି ସେହି ହାରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନାହିଁ। ଏଣୁ ସବୁଆଡେ ବେକାରୀ ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ତେବେ ଆଗାମୀ ସମୟରେ ସମସ୍ୟା ସମାଧାନ ହେବା ବଦଳେ ଆହୁରି ଉଗ୍ର ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। କାରଣ ୨୫ ବର୍ଷ ପରେ ଅନେକ ପଦପଦବୀ ଆଉ ନଥିବ କି ଏହି ପଦବୀରେ କର୍ମଚାରୀ ନିଯୁକ୍ତ କରିବାକୁ ପଡି ନ ପାରେ। ଏଣୁ ଏହି କ୍ଷେତ୍ରରେ କାର୍ଯ୍ୟରତ ସାରା ବିଶ୍ୱର ଲକ୍ଷଲକ୍ଷ ଲୋକେ ବେକାର ହୋଇ ଯାଇପାରନ୍ତି। ଅକ୍ସଫର୍ଡ ୟୁନିଭର୍ସିଟି ପକ୍ଷରୁ ଏ ବାବଦେ କରାଯାଇଥିବା ଏକ ଗବେଷଣା ପରେ ଏହି ଚେତାବନୀ ଜାରି ହୋଇଛି ଯେ ଆଗାମୀ ୨୫ ବର୍ଷରେ ରୋଜଗାରର ଅବସର ଅନେକ ଗୁଣା ହ୍ରାସ ହୋଇଥିବ। ଏବେ ଯେଉଁ କାମ ପାଇଁ ମଣିଷ ବେତନ ନେଉଛନ୍ତି ସଂସ୍ଥାମାନେ ନିଜର ଲାଭ ପାଇଁ ସେହି ସବୁ କାମ ରବୋଟ ଦ୍ୱାରା କରିବାରେ ଲାଗିବେ। ଏଣୁ ଏହି ସବୁ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହ୍ରାସ ହେବ ନଚେତ କର୍ମଚାରୀର ଆବଶ୍ୟକତା ପଡି ନପାରେ। ରବୋଟ ଦ୍ୱାରା କାମ କରାଯିବା ଯୋଗୁ ବିଶ୍ୱରେ ବେକାରୀ ବଢିଯିବ। ଏଠାରେ ଆମେ କିଛି ଜବର ଲିଷ୍ଟ ଦେଉଛୁ। ବର୍ତ୍ତମାନ ଏହି କାମ କରି ସାରା ବିଶ୍ୱରେ ଅନେକ ଲୋକ ପେଟପାଟଣା ଚଳାଉଛନ୍ତି । ସେହି ସବୁ କାମ ରବୋଟ ଯୋଗୁ ଆଗକୁ ଲୋକଙ୍କ ଦ୍ୱାରା ହୁଏତ କରିବାକୁ ପଡି ନପାରେ। ଏଣୁ ବେକାରୀ ଚରମ ସୀମାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ୱେରହାଉସ୍ ୱାର୍କର
ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କ ସାମଗ୍ରୀ ମହଜୁଦ ରଖିବା ଲାଗି ୱେର ହାଉସ୍ କରିଛନ୍ତି। ଯେଉଁଠି ହଜାର ହଜାର ଲୋକେ ଆଜିକାଲି କାମ କରୁଛନ୍ତି। ସାମଗ୍ରୀ ଷ୍ଟକ୍ କରିବା ସେଗୁଡିକର ମେଣ୍ଟେନାନ୍ସ କରିବା ଲାଗି ଲୋକେ ନିଯୁକ୍ତ ହେଉଛନ୍ତି। ତେବେ ଆଗାମୀ ଦିନରେ ଏହି କାମରୁ ଲୋକଙ୍କୁ ରବୋଟ ଙ୍କ ଦ୍ୱାରା ରିପ୍ଲେସ କରାଯିବ। ତେବେ ଏଲନ ମସ୍କ ସ୍ପଷ୍ଟ ଭାବେ କହିଛନ୍ତି ରବୋଟ ସାମାନ୍ୟ ବୈଷୟିକ ଗଡବଡି ଯୋଗୁ ବଡ଼ ଧରଣର କ୍ଷତି କରିଦେଇ ପାରନ୍ତି। ଏଣୁ ତାଙ୍କର ୱେର ହାଉସ କେବେବି ଶତ ପ୍ରତିଶତ ରବୋଟଙ୍କ ଉପରେ ନିର୍ଭରଶୀଳ ହେବ ନାହିଁ । ତେବେ ଅନ୍ୟକମ୍ପାନୀମାନଙ୍କ ମାନସିକତା ଏବେଠୁ ଜଣା ପଡି ନାହିଁ।

ଟ୍ୟାକ୍ସି ଡ୍ରାଇଭର
ସାରା ବିଶ୍ୱରେ ଏବେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟକରି ଲକ୍ଷଲକ୍ଷ ଲୋକେ ପରିବାର ପୋଷଣ କରୁଛନ୍ତି। ଗମନା ଗମନ ଓ ପରିବହନରେ ଏମାନଙ୍କର ଭୂମିକା ଅସ୍ୱୀକାର୍ଯ୍ୟ। କାମ ବଦଳେ ଡ୍ରାଇଭର ବେଶ ଦୁଇପଇସା ରୋଜଗାର ମଧ୍ୟ କରୁଛନ୍ତି। ଏଣୁ ବାହନ ଚଳନା କର୍ମ ନିଯୁକ୍ତିର ଏକ ଅବସର ହୋଇ ରହିଛି। ତେବେ କୁହାଯାଉଛି ଆଗାମୀ ୨୦-୨୫ ବର୍ଷ ବେଳକୁ କାରଗୁ଼ଡିକ ସେଲଫ ଡ୍ରାଇଭିନ ଥିବ। ଏଣୁ ବାହନ ଚାଳକଙ୍କର ଆଉ ଆବଶ୍ୟକତା ପଡିବ ନାହିଁ।

ମେକାନିକ୍
ବାହନ ଚାଳକଙ୍କ ଭଳି ଆଗାମୀ ଦିନରେ ମେକାନିକ୍‌ଙ୍କ କୌଣସି ଆବଶ୍ୟକତା ପଡି ନପାରେ। କାରଣ ମେକାନିକଙ୍କ ସ୍ଥାନ କମ୍ପ୍ୟୁଟର ଇଞ୍ଜିନିୟରମାନେ ନେଇ ପାରନ୍ତି। ଏ ବାବଦେ ଟେସଲା ନିର୍ମାତା ନୂଆ କ୍ରାନ୍ତି ଆଣିଛନ୍ତି। ଟେସଲାର ସେଲଫ ଡ୍ରାଇଭ କାର ଦୁନିଆରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏଣୁ ଆଗାମୀ ସମୟରେ କମ୍ପ୍ୟୁଟର ବୈଜ୍ଞାନିକମାନେ ମେକାନିକ୍‌ଙ୍କ ସ୍ଥାନ ଦଖଲ କରିନେଇ ପାରନ୍ତି। ଏଥିରୁ ଆଗାମୀ ଦିନରେ କାର ତଳେ ଶୋଇ ହାତ କଳା କରିବାର କାମ ନଥିବ। କମ୍ପ୍ୟୁଟର ବୈଜ୍ଞାନିକମାନେ ତାଙ୍କ ସିଷ୍ଟମ ଓ ସଫ୍ଟୱେର ମାଧ୍ୟମରେ କାରର ତ୍ରୁଟି ସୁଧାରି ଦେଇପାରିବେ।

ୱେଟର
ଜାପାନର ଅଧିକାଂଶ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅର୍ଡର ନେବା ଓ ଡେଲିଭରି କାମ ରବୋଟଙ୍କ ଦ୍ୱାରା କରାଉଛନ୍ତି। ଆମେରିକା ମଧ୍ୟ ଏହି ଦିଗରେ ଏବେ ପାଦ ବଢାଇଲାଣି। ଏଥିରୁ ୨୦୨୫ ବେଳକୁ ବିଶ୍ୱର ବଡ଼ ବଡ଼ ଫୁଡ ଆଉଟଲେଟ୍‌ ରବୋଟ ଦ୍ୱାରା ପରିଚାଳିତ ହେଉଥିବେ। ଏଣୁ ଏ କ୍ଷେତ୍ରରେ ଥିବା ନିଯୁକ୍ତି ମଧ୍ୟ ସଂକୁଚିତ ହୋଇଯିବ। ଫଳରେ ହୋଟେଲ, ବାର, ରେଷ୍ଟୁରାଣ୍ଟରେ ମଣିଷ ୱେଟରଙ୍କ ସ୍ଥାନରେ କେବଳ ରବୋଟ ୱେଟରମାନେ ହିଁ କାମ କରୁଥିବେ।

କ୍ୟାସିୟର
ବିଶ୍ୱର ବିଭିନ୍ନ ବ୍ୟାଙ୍କ ଓ ଅନ୍ୟ କ୍ୟାସ କାଉଣ୍ଟରରେ ମଧ୍ୟ ଲୋକଙ୍କୁ କାମ କରୁଥିବାର ଦେଖା ଯାଉଛି। ତେବେ ମଣିଷ ଦ୍ୱାରା ଭୁଲ ହେବାର ଅନେକ ସମ୍ଭାବନା ରହୁଛି। ଏଣୁ ଆଗାମୀ ଦିନରେ ରବୋଟଙ୍କ ଦ୍ୱାରା କ୍ୟାସିୟରଙ୍କ ରିପ୍ଲେସ କରିଦିଆଯାଇପାରେ। ଯାହା ଦ୍ୱାରା କ୍ୟାସ୍‌ କାମରେ ଆଶଙ୍କା କରାଯାଉଥିବା ଗଡବଡ଼ି ରହିବ ନାହିଁ। ତେବେ କେବଳ ଏତିକି କାର୍ଯ୍ୟ ନୁହେଁ ଆଗାମୀ ୨୦-୨୫ ବର୍ଷ ବେଳକୁ ଏହିପରି ଅନେକ କାର୍ଯ୍ୟରୁ ମଣିଷକୁ ଦୂରେଇ ଦିଆଯାଇଥିବ। ଏଥିରେ ବ୍ରୋକର୍ସ, ଟୋଲବୁଥ ଅପରେଟର୍ସ, ବ୍ୟାଙ୍କ ଟେଲର୍ସ, ଟ୍ରାନ୍ସଲେଟର୍ସ, କମ୍ପ୍ୟୁଟର ମେକାନିକ୍ ଓ କଷ୍ଟମର ସର୍ଭିସ ରିପ୍ରେଜେଣ୍ଟେଟିଭ ଆଦି ଚାକିରୀ ମଣିଷଙ୍କ ଲାଗି ଆଉ ନଥିବ।

Show More

Related Articles

Back to top button