ଖେଳ

ଆଇପିଏଲ୍‌ରେ ନୂତନ ଟିମ ସାମିଲ କରିବାର ପ୍ରକ୍ରିୟା ସ୍ଥଗିତ

୨୦୨୨ର ଆଇପିଏଲ୍‌ ସଂସ୍କରଣରେ ୨ଟି ନୂଆ ଦଳ ସାମିଲ କରିବାର ଯୋଜନା କରିଛି ବିସିସିଆଇ

ନିକଟରେ ଏହି ୨ଟି ନୂଆ ଫ୍ରାଞ୍ଚାଇଜି ଦଳ ସାମିଲ ପାଇଁ ଟେଣ୍ଡର ଆହ୍ବାନ କରିଥାଆନ୍ତା ବିସିସିଆଇ। ହେଲେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଏବଂ ଏହାର ପ୍ରଭାବରେ ଆଇପିଏଲ୍‌ର ୨୦୨୧ ସଂସ୍କରଣ ଅଧାରୁ ସ୍ଥଗିତ ରଖା ଯାଇଥିବାରୁ ୨ଟି ନୂଆ ଦଳ ସାମିଲ ପାଇଁ ଟେଣ୍ଡର ଆହ୍ବାନ ପ୍ରକ୍ରିୟାକୁ ବିସିସିଆଇ ସ୍ଥଗିତ ରଖିଛି। ଚଳିତବର୍ଷ ମେ’ ସୁଦ୍ଧା ୨ଟି ନୂଆ ଦଳଙ୍କୁ ସାମିଲକରି ଆଇପିଏଲ୍‌କୁ ୧୦ଟି ଦଳର ଟୁର୍ଣ୍ଣାମେଣ୍ଟ କରିବାକୁ ବିସିସିଆଇ ଯୋଜନା କରିଥିଲା। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ୨ଟି ନୂଆ ଦଳ ସାମିଲ କରିବା ଅପେକ୍ଷା ସ୍ଥଗିତ ରହିଥିବା ଆଇପିଏଲ୍‌କୁ ସମ୍ପୂର୍ଣ୍ଣ କରିବା ଏବେ ବୋର୍ଡର ପ୍ରାଥମିକତା।ସୂଚନାଯୋଗ୍ୟ; ଆଇପିଏଲ୍‌-୧୪ ସ୍ଥଗିତ ହେବା ବେଳକୁ ୨୯ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ୩୧ଟି ମ୍ୟାଚ୍‌ ବାକିଅଛି।

ଏହି ୩୧ଟି ମ୍ୟାଚ୍‌ ଖେଳାନଗଲେ ବିସିସିଆଇ ୨୨୦୦ କୋଟିରୁ ୨୫୦୦ କୋଟି ଟଙ୍କା କ୍ଷତି ସହିବ। ତେଣୁ ଯେବେ ହେଉ ପଛେ ଏବଂ ଯେଉଁ ଦେଶରେ ହେଉ ପଛେ ଆଇପିଏଲ୍‌-୧୪ର ଅବିଶିଷ୍ଟ ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ପ୍ରୟାସ ଚଳାଇଛି। ଆଇପିଏଲ୍‌ରେ କିଛି ଖେଳାଳି ଓ ଅଣଖେଳାଳି କରୋନା ଆକ୍ରାନ୍ତ ହେବା ପରେ ମେ ୪ରେ ବିସିସିଆଇ ଆଇପିଏଲ୍‌କୁ ସ୍ଥଗିତ ରଖିଥିଲା। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଏବେ ଆଇପିଏଲ୍‌ରେ ଅଧିକ ଦଳ ସାମିଲ କରିବା କଥା ଆଲୋଚନା କରିବାର ପ୍ରକୃଷ୍ଟ ସମୟ ନୁହେଁ। କିପରି ସ୍ଥଗିତ ରହିଥିବା ଆଇପିଏଲ୍‌କୁ ସମ୍ମନ୍ନ କରାଯିବ; ତାହା ଆମର ପ୍ରଥମ ଲକ୍ଷ୍ୟ। ଏହି ସମସ୍ୟାର ସମାଧାନ ପରେ ଆମେ ଆଗାମୀ ସଂସ୍କରଣ ପାଇଁ ନୂଆ ଦଳ ସାମିଲ କରିବା କଥା ଚିନ୍ତା କରିବୁ।

Show More

Related Articles

Back to top button