
ଅଶୋଧିତ ତୈଳ ଦରରେ ହ୍ରାସ ଦେଖା ଦେଇଛି। ଆମେରିକୀୟ କ୍ରୁଡ ଇନଭେଣ୍ଟ୍ରିରେ ବୃଦ୍ଧି ଯୋଗୁ ଗୁରୁବାର ଅନ୍ତର୍ଜାତୀୟ ବଜାରରେ କ୍ରୁଡ ମୂଲ୍ୟ ହ୍ରାସ ହୋଇଛି। ଏଣୁ ଦେଶରେ ପେଟ୍ରୋଲିୟମ ଉତ୍ପାଦ ଦର ହ୍ରାସ ହୋଇପାରେ ବୋଲି ଆକଳନ କରାଯାଉଛି। କ୍ରୁଡର ଉଚ୍ଚ ଦର ଦେଶ ଦୁନିଆରେ ଏବେ ପେଟ୍ରୋଲ ଓ ଡିଜେଲ ମୂଲ୍ୟବୃଦ୍ଧିର କାରଣ ପାଲଟିଛି। ଗତ ଦିନରେ ଭାରତ ସରକାର ଦେଶରେ ତୈଳ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ। ଏଣୁ ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଏବେ ସ୍ଥିର ରହିଛି। ବିଦେଶ ବଜାରରେ ଅଶୋଧିତ ତୈଳ ଶସ୍ତା ଅଥବା ମହଙ୍ଗା ହେଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଥାଏ। ଏବେ ଆମେରିକୀୟ କ୍ରୁଡ ଇନଭେଣ୍ଟ୍ରିରେ ବୃଦ୍ଧି ଷ୍ଟକ ବଳକା କରିଛି।
ଏଣୁ କ୍ରୁଡ ଦରରେ ଅଚାନକ ହ୍ରାସ ଦେଖା ଦେଇଛି। ଆମେରିକୀୟ କ୍ରୁଡ ଇନଭେଣ୍ଟ୍ରିରେ ୧ ମିଲିୟନ ବାରଲ ବୃଦ୍ଧି ହୋଇଛି। ତେବେ କ୍ରୁଡର ଏହି ମୂଲ୍ୟ ହ୍ରାସ ସାମୟିକ ବୋଲି ବିଶେଷଜ୍ଞମାନେ କହିଛନ୍ତି। କୁହାଯାଉଛି ୨୦୨୨ ମସିହା ପ୍ରଥମ ତ୍ରୈମାସିକରେ ବିଶ୍ୱ ବଜାରରେ କ୍ରୁଡ ଚାହିଦା ୨୦୧୯ ମସିହା ସ୍ତରକୁ ପହଞ୍ଚିବ। ଏଣୁ ଚାହିଦା ଓ ଯୋଗାଣରେ ଯେଉଁ ବ୍ୟବଧାନ ଉପୁଜିବ ଏଥିରେ ବାରଲ ପିଛା ଦର ୧୦୦ ଡଲାରକୁ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି। ଯଦି ଏପରି ଅବସ୍ଥା ଉପୁଜେ ତେବେ ଭାରତରେ ପୁଣି ମୂଲ୍ୟବୃଦ୍ଧି ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି। ଗୁରୁବାର ଡବ୍ଲୁଟିଆଇ କ୍ରୁଡ ବାରଲ ପିଛା ୮୩.୬୬ ଡଲାରରେ କାରବାର କରୁଥିବା ବେଳେ ବ୍ରେଣ୍ଟ କ୍ରୁଡ ୮୪.୭୧ ଡଲାରରେ କାରବାର କରୁଛି।