ଓଡ଼ିଶା

ହାଇକୋର୍ଟ: ୩୧ପରେ ମିଳିଲା ନ୍ୟାୟ, ବ୍ୟବସ୍ଥାର ମାରାତ୍ମକ ରୂପ

ବିଳମ୍ବିତ ନ୍ୟାୟ ହେଉଛି ନ୍ୟାୟ ବ୍ୟବସ୍ଥାର ସବୁଠାରୁ ମାରାତ୍ମକ ରୂପ। ବାର୍ ସଦସ୍ୟଙ୍କ ଶୃଙ୍ଖଳା, କାର୍ଯ୍ୟ ଲାଗି ଆତ୍ମୋତ୍ସର୍ଗ, ପୂର୍ଣ୍ଣାଙ୍ଗ ପ୍ରସ୍ତୁତି, ସକ୍ରିୟ ସହଯୋଗ ଦ୍ବାରା ଅଦାଲତଙ୍କ ମୂଲ୍ୟବାନ ସମୟ ରକ୍ଷା କରାଯାଇ ପାରିବ ଓ ପୁରୁଣା କ୍ରିମିନାଲ ଅପିଲଗୁଡିକର ଶୀଘ୍ର ଫୈସଲା ପାଇଁ ବାଟ ଫିଟିବ

ଏଭଳି ପୁରୁଣା ଅପିଲ ନ୍ୟାୟପାଳିକା ମୁଣ୍ଡ ଉପରେ ଡେମୋ‌କ୍ଲିସ୍ ଖଣ୍ଡା ପରି ରହିଛି ବୋଲି ହାଇକୋର୍ଟ କହିଛନ୍ତି। ଏହି ସବୁ ମାମଲାର ତ୍ବରିତ ଫୈସଲା କରାଯିବା ଉଚିତ। ରୋମ୍ ଗୋଟିଏ ଦିନରେ ନିର୍ମାଣ ହୋଇ ନଥିଲା ବୋଲି ସମସ୍ତେ ସଂପୂର୍ଣ୍ଣ ଭାବେ ସ‌େଚତନ ହେବା ଉଚିତ। କିଛି ଭଲ ଓ ଗୁରୁତ୍ବପୂର୍ଣ୍ଣ କରିବା ପାଇଁ ଅହରହ ଉଦ୍ୟମ କରାଯିବା ଉଚିତ। ଏଥିପାଇଁ ସମୟ ଲାଗି ପାରେ ବୋଲି ହାଇକୋର୍ଟ କହିବା ସହିତ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୯୮୯ର ଏକ କ୍ରିମିନାଲ ଅପିଲର ଶୁଣାଣି କରି ପ୍ରକାଶ କରିଥିବା ରାୟରେ ତ୍ବରିତ ନ୍ୟାୟ ପ୍ରଦାନ କରାଯିବା ଉପରେ ଗୁରୁତ୍ବରୋପ କରିଛନ୍ତି। ଏଥି ସହିତ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ୧୯୮୯ ଅକ୍ଟୋବର ୨୬ରେ ଶ୍ରୀଧର ସ୍ବାଇଁ ଓ ମହେଶ୍ବର ବେ‌ହେରାଙ୍କୁ ପ୍ରଦାନ କରିଥିବା ଦଣ୍ଡାଦେଶକୁ ଖଣ୍ଡପୀଠ ରଦ୍ଦ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ, ରାଉରକେଲା ପୌରାଞ୍ଚଳରେ କେତେକ ମରାମତି ଓ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଭିଜିଲାନ୍ସ ୧୯୮୩ ଜାନୁଆରି ୫ରେ ଏତଲା ରୁଜୁ କରିଥିବାବେଳେ ତଦନ୍ତ ପରେ ୧୯୮୪ ଡିସେମ୍ବର ୩୧ରେ ଆବେଦନକାରୀଙ୍କ ସହିତ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା।

୧୯୮୬ ଜୁଲାଇ ୭ରେ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ୍ ହୋଇଥିବାବେଳେ ୧୯୮୯ ଅକ୍ଟୋବର ୨୬ରେ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଚୂଡାନ୍ତ ରାୟ ପ୍ରକାଶ କରିଥିଲେ। ତତ୍କାଳୀନ ରାଉ‌ରକେଲା ମ୍ୟୁନିସିପାଲ ଇଂଜିନୟର ଶ୍ରୀ ସ୍ବା‌ଇଁ ଓ ଟେଣ୍ଡର ନେଇଥିବା ଶ୍ରୀ ବେହେରାଙ୍କ ସହିତ ଅନ୍ୟଜଣଙ୍କୁ ଭିଜିଲାନ୍ସ ଅଦାଲତ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଉଭୟ ୧୯୮୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଆବେଦନକାରୀଙ୍କୁ ଜାମିନ ମଞ୍ଜୁର କରିଥିଲେ।

Show More

Related Articles

Back to top button