Breaking PLUSଓଡ଼ିଶାମୁଖ୍ୟ ଖବର

ଆସିଲା ଅକ୍ଟୋବର ଗାଇଡଲାଇନ

ଅକ୍ଟୋବର ମାସ ପାଇଁ ଆସିଲା ଗାଇଡଲାଇନ୍ । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି । ଏହି ନିୟମ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ । ଏ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ ଆଗକୁ ପୂଜା ପାର୍ବଣ ଆସୁଛି । ତେଣୁ ଏଥିପାଇଁ ସତର୍କ ରହିବା ନିହାତି ଦରକାର । ବିଶେଷକରି ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ସେ କହିଛନ୍ତି ।

ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ । କେବଳ କଟକ ଓ ଭୁବନେଶ୍ୱର ସହର ପାଇଁ କଟକଣା ସାମାନ୍ୟ କଡ଼ାକଡ଼ି କରାଯାଇଛି । କଟକ ଓ ଭୁବନେଶ୍ୱରେ ଅକ୍ଟୋବର ୧୧ ତାରିଖରୁ ୨୦ ଯାଏ ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ । ସେହିପରି ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ । ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରାଯାଇଛି ।

ସେହିପରି ସେପ୍ଟେମ୍ବର ମାସ ପାଇଁ ବିବାହ ଓ ଅନ୍ତେଷ୍ଟି ଆଦି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ବଳବତ୍ତର ରଖିଛନ୍ତି । ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମୋଟ ୨୫୦ଜଣ ସାମିଲ ହୋଇପାରିବେ । ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ । ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ । କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ ।

ସେହିପରି ମଲ, ସିନେମା ହଲ୍ ଆଦି ଖୋଲା ରହିବ । ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ଯ୍ୟକ୍ରମ ଉପରେ ପୂର୍ବବତ କଟକଣା ବଳବତ୍ତର ରହିବ । ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇପାରିବ । ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ । ଏସବୁ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାସମିତି ପାଇଁ ଅନୁମତି ଦିଆଯିବ ନାହିଁ ।

Show More

Related Articles

Back to top button