ଦେଶ ବିଦେଶବାଣିଜ୍ୟ

ଜିଏସଟିକୁ ପୂରିବ ୫ ବର୍ଷ

ମଙ୍ଗଳବାର ବସିବ ପରିଷଦର ୪୭ ତମ ବୈଠକ

ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)କୁ ୫ ବର୍ଷ ପୁରିବାକୁ ଯାଉଛି । ଏହି ଅବସରରେ ଜିଏସ୍‌ଟି ପରିଷଦର ୪୭ ତମ ବୈଠକ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି । ଏହି ଦୁଇଦିନିଆ ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇପାରେ । ତେବେ ଏଜେଣ୍ଡାରେ ଆଗରେ ରାଜ୍ୟଗୁଡ଼ିକର କ୍ଷତିପୂରଣ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ରାଜସ୍ୱ କ୍ଷତି ପାଇଁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ନିମନ୍ତେ ଏକ ଢ଼ାଞ୍ଚା ଉପରେ ଆଲୋଚନା କରାଯାଇପାରେ । କେତେକ ସାମଗ୍ରୀ ଉପରେ ଟିକସ ହାର ସଂଶୋଧନ କରାଯାଇପାରେ । ସାମଗ୍ରୀଗୁଡ଼ିକର ଟିକସ ସ୍ଲାବକୁ ଅଦଳବଦଳ କରାଯାଇପାରେ । ସେହିଭଳି କ୍ଷୁଦ୍ର ଅନ୍‌ଲାଇନ୍‌ ଯୋଗାଣକାରୀଙ୍କ ପାଇଁ ପଞ୍ଜୀକରଣ ଆଇନକୁ କୋହଳ କରାଯାଇପାରେ । ଅନ୍ୟପକ୍ଷରେ, ଜିଏସ୍‌ଟି ପରିଷଦ କେତେକ ସାମଗ୍ରୀ ଏବଂ ସେବାକୁ ସର୍ବୋଚ୍ଚ ଟିକସ ସ୍ଲାବ୍‌କୁ ନେଇପାରେ ବୋଲି ଜଣାପଡ଼ିଛି । ଅନ୍‌ଲାଇନ୍‌ ଗେମ୍‌, କ୍ୟାସିନୋ ଏବଂ ଘୋଡ଼ା ଦୌଡ଼ ଉପରେ ୨୮% ଟିକସ ଲଦାଯାଇପାରେ । ଜିଏସ୍‌ଟି ଉପରେ ଗଠିତ ଉଚ୍ଚସ୍ତରୀୟ ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି । ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ଆଉ ଏକ ସୁପାରିସ ମଧ୍ୟ କରାଯାଇଛି । ୨ ଲକ୍ଷ କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ସୁନା ଏବଂ ମୂଲ୍ୟବାନ ରତ୍ନପଥରର ଆନ୍ତଃ-ରାଜ୍ୟ ପରିବହନରେ ଇ-ୱେ ବିଲ୍‌ ବାଧ୍ୟତାମୂଳକ କରାଯାଇପାରେ । ସୁନା ଏବଂ ଦାମୀ ରତ୍ନପଥର ଯୋଗାଉଥିବା ସମସ୍ତ ଟିକସଦାତା, ଯେଉଁମାନଙ୍କ ବାର୍ଷିକ ହାରାହାରି କାରବାର ୨୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ସେମାନଙ୍କ ପାଇଁ ଇ-ଇନ୍‌ଭଏସିଂ ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ମନ୍ତ୍ରୀଗୋଷ୍ଠୀର ଆଉ ଏକ ପ୍ରସ୍ତାବ ଉପରେ ବି ବିଚାର ହୋଇପାରେ । ଟିକସ ପରିସରରେ ନ ଥିବା କେତେକ ସାମଗ୍ରୀକୁ ଏହା ପରିସରକୁ ଆଣିବା ପାଇଁ ବିଚାର କରାଯାଇପାରେ ।ଅନ୍ୟପକ୍ଷରେ, ରାଜ୍ୟ ଏବଂ କେନ୍ଦ୍ର ଅଧିକାରୀମାନଙ୍କୁ ନେଇ ଗଠିତ ଫିଟ୍‌ମେଣ୍ଟ କମିଟି ମଧ୍ୟ ପୃଥକ ଭାବେ କିଛି ପ୍ରସ୍ତାବ ଜିଏସ୍‌ଟି ପରିଷଦ ଆଗରେ ରଖିଛି । କେତେକ ସାମଗ୍ରୀ ଉପରେ ଟିକସ ହାର ସଂଶୋଧନ କରିବା ପାଇଁ ଏହା ସୁପାରିସ କରିଛି ।

କ୍ରିପ୍ଟୋକରେନ୍ସି ଏବଂ ଅନ୍ୟାନ୍ୟ ଭର୍ଚୁଆଲ ଡିଜିଟାଲ ଆସେଟ୍‌ରେ ଟିକସ ଲଗାଣ ନିଷ୍ପତ୍ତିକୁ କିଛି ସମୟ ପାଇଁ ବିଳମ୍ବ କରିବାକୁ ଫିଟ୍‌ମେଣ୍ଟ କମିଟି ପରାମର୍ଶ ଦେଇଛି । ରାଜ୍ୟଗୁଡ଼ିକର କ୍ଷତିପୂରଣ ବାବଦ ଆଲୋଚନା ହୋଇପାରେ । ସୂଚନାଯୋଗ୍ୟ, କ୍ଷତିପୂରଣ ଅବଧିକୁ ଆଉ ୫ ବର୍ଷ ବଢ଼ାଇବା ପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ଦାବି କରାଯାଉଛି । ଏହି ଅବଧି ଜୁନ୍‌ ୩୦ରେ ଶେଷ ହେଉଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ କେନ୍ଦ୍ର ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି, ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଆଦାୟ ୨୦୨୬ ମାର୍ଚ୍ଚ ଯାଏ ଜାରି ରହିବ । ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ଗତ ଦୁଇ ବର୍ଷରେ ଯେଉଁ ଋଣ କରିଛନ୍ତି ତାହାକୁ ପରିଶୋଧ କରିବାରେ ଏହା ବ୍ୟବହାର ହେବ । ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧ରେ ଜିଏସ୍‌ଟି ଲାଗୁ କରାଯାଇଥିଲା । ଏହା ଫଳରେ ଅନେକ ସ୍ଥାନୀୟ ଟିକସର ବିଲୀନ ଘଟିଲା । ଫଳରେ ରାଜ୍ୟଗୁଡ଼ିକ ଯେଉଁ ରାଜସ୍ୱ ହରାଇଲେ ତାହାର ଭରଣା ପାଇଁ ଜିଏସ୍‌ଟି କ୍ଷତିପୂରଣ ସେସ୍‌ର ବନ୍ଦୋବସ୍ଥ କରାଯାଇଥିଲା । ଏହାର ଅବଧି ୨୦୨୨ ଜୁନ୍‌ ୩୦ ଯାଏ ଥିଲା । କିନ୍ତୁ ମହାମାରୀ ଯୋଗୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସମ୍ପ୍ରସାରଣ କରାଯାଇଥିବା ଜଣାପଡ଼ିଛି । ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ସରକାର ଋଣ କରି ୨୦୨୦-୨୧ରେ ସେମାନଙ୍କୁ ୧.୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୧.୫୯ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି । ୨୦୨୨ ମେ’ ୩୧ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ବାବଦ ସମ୍ପୂର୍ଣ୍ଣ ଅର୍ଥ ହସ୍ତାନ୍ତର କରିଛନ୍ତି ।

Show More

Related Articles

Back to top button