ଓଡ଼ିଶାମୁଖ୍ୟ ଖବର

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି । ଏହା ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ । ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ମାସରୁ ପିଛିଲା ଭାବରେ ୧୧% ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ । ଏଥିସହ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟ (ଜିଆଇଏସ୍)ରେ ସଂଶୋଧନ କରିଛନ୍ତି । ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କୁ ଗୋଷ୍ଠୀ ବୀମା ଦେୟ ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ୫୪୦୦ ଓ ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ଜିଆଇଏସ୍ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

କର୍ମଚାରୀ ମାନଙ୍କ ପାଇଁ ଜିଆଇଏସ୍ ଏକ ସାମାଜିକ ସୁରକ୍ଷା ଯୋଜନା । ଚାକିରିରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।

୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା । ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ଅନ୍ତ୍ୟୋଷ୍ଟିକ୍ରିୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଜିଆଇଏସ୍ ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

Show More

Related Articles

Back to top button