ଓଡ଼ିଶା

ଉତ୍ତମ ସନ୍ତାନ

ବୁଝି ହୁଏ ନାହିଁ
ଆଜିର ଯୁବକ
ବିବାହ ହୁଅନ୍ତି କାହିଁ
ଚିନ୍ତା ବି ନଥାଏ
ଆଗାମୀ ପୀଢିକୁ
ନିର୍ମାଣ କରିବା ପାଇଁ।

କାମକ୍ଷୁଧା ସିଏ
ମେଣ୍ଟାଇବା ପାଇଁ
ବିବାହ ହିଁ କରିଥାନ୍ତି
ବର କନ୍ୟାଙ୍କର
ମିଳନରେ ସିଏ
ସନ୍ତାନଟେ ପାଇଥାନ୍ତି।

ଏ ସନ୍ତାନ ପୁଣି
କିଭଳି ହୋଇବ
ଚିନ୍ତା ବି ନ ଥାଏ ମନେ
ଦୁନିଆଁ ଆଗରେ
ଶାନ୍ତ ଅବା ଉଗ୍ର
କେମିତି ହୋଇବ ଦିନେ।

ରାଜା ପୁଅ ଦିନେ
ରାଜା ହେଉଥିଲା
ଇଏ ଥିଲା ତାଂକ ବିଧି
ରାଣୀହଂସପୁରେ
ରାଜା ବିଜେ କଲେ
ଦିନ ହେଉଥିଲା ଶୁଦ୍ଧି।

ରାଜା ରାଣୀଙ୍କର
ମିଳନ ଆଗରୁ
ଯାଗଯଜ୍ଞ ହେଉଥିଲା
ମହା ମିଳନରୁ
ଉତ୍ତମ ସନ୍ତାନ
ଉତ୍ପନ୍ନ ହିଁ ହେଉଥିଲା।

ରାଣୀହଂସପୁରେ
ଯେବେଠାରୁ ରାଣୀ
ଅନ୍ତସତ୍ତ୍ୱା ହୋଇଥାନ୍ତି
ଦୁଃଖୀ ଦରିଦ୍ରଂକୁ
ସେହି ଦିନ ଠାରୁ
ଦାନ ଧର୍ମ କରିଥାନ୍ତି।

ସେହି ବଂଶଧର
ସନ୍ତାନ ଉପରେ
ପ୍ରଭାବ ହିଁ ପଡିଥାଏ
ଦୁଃଖୀ ଦରିଦ୍ର ଓ
ଈଶ୍ବରଙ୍କ ଠାରୁ
ଆଶୀର୍ବାଦ ମିଳିଥାଏ।

ଉତ୍ତମ ଶିକ୍ଷା ଓ
ଯୁଦ୍ଧ ବିଦ୍ଯା ଆଦି
ପିତା ହିଁ ଦିଆଇ ଥାନ୍ତି
ସାଧୁ ସନ୍ନ୍ୟାସୀଂକ
ସାନ୍ନିଧ୍ୟରେ ତାକୁ
ଗୁରୁକୁଳେ ରଖିଥାନ୍ତି।

ଆଜିର ଦିନରେ
ଜାତି ଧର୍ମ ଗୋତ୍ର
କିଛି ଦେଖା ଯାଉ ନାହିଁ
ଯୁବକ ଯୁବତୀ
ଏକାଠି ରହନ୍ତି
ବାରଣ ବି କିଛି ନାହିଁ।

ଇଚ୍ଛା ହେଲେ ସିଏ
ବିବାହ କରିବେ
ବାଧ୍ୟ ବାଧକତା ନାହିଁ
ସମାଜ ସଂସ୍କୃତି
ତଳକୁ ଯାଉଛି
ଶୃଂଖଳା ବି କିଛି ନାହିଁ।

ହତ୍ଯା ଧର୍ଷଣ ବି
ନିଇତି ହେଉଛି
ବିଚାର ପ୍ରକ୍ରିୟା ଧିମା
ପରିସ୍ଥିତି ପୁରା
ବିଗିଡି ଗଲାଣି
କିଏ ବା କରିବ କିବା???

ପୁଅ ଅବା ବୋହୂ
କେହି ଖୋଜୁ ନାହିଁ
ଆପେ ମିଳି ଯାଉଛନ୍ତି
ଇଚ୍ଛା ହେଲେ ସିଏ
କୋଅର୍ଟକୁ ଯାଇ
ଛାଡପତ୍ର ଦେଉଛନ୍ତି।
*******
ଅକ୍ଷୟ ମହାନ୍ତି।

Show More

Related Articles

Back to top button