Breaking PLUSଦେଶମୁଖ୍ୟ ଖବର

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ହତ୍ୟା ଧମକ ପାଇଥିବା ଅଭିଯୋଗ କରିଛନ୍ତି ‌। ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି । ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଦିଲ୍ଲୀ ସେଣ୍ଟ୍ରାଲ୍ ଡିସିପିଙ୍କ ନିକଟକୁ ପଠାଇଥିବା ଚିଠିରେ ଗମ୍ଭୀର ଦର୍ଶାଇଥିଲେ ଯେ ସେ ‘ଆଇଏସ୍‌ଆଇଏସ୍‌ କଶ୍ମୀର’ରୁ ଏକ ଇ-ମେଲ୍‌ ପାଇଛନ୍ତି । ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦିଆଯିବ ବୋଲି ଲେଖା ହୋଇଛି । ଏହା ସହିତ ସେ ଏନେଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ । ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି । ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୯ରେ ଗୌତମ ଗମ୍ଭୀର ‘ବିଜେପି’ ଟିକେଟରେ ପୂର୍ବ ଦିଲ୍ଲୀ ଆସନ ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୮ରେ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ସେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ୧୫ ବର୍ଷ ଧରି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି । ଗମ୍ଭୀରଙ୍କୁ ଏହା ପୂର୍ବରୁ ବି ହତ୍ୟା ଧମକ ମିଳିଥିଲା । ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଏନେଇ ସେ ଦିଲ୍ଲୀ ପୁଲିସ୍‌କୁ ଜଣାଇଥିଲେ ।

Show More

Related Articles

Back to top button